ଚିନ୍ତା ବଢାଉଛି କରୋନା: ପ୍ରତି ଶହେ ଜଣରେ ୧୩ଜଣ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,୬।୭: ଚିନ୍ତା ବଢାଇ ଚାଲିଛି କରୋନା। କିଛିଦିନ ହେବ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ପରେ ରେକର୍ଡ କରି ଚାଲିଛି। ଦେଶରେ ୭ ଲକ୍ଷ ଛୁଇଁବାକୁ ଯାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଅନ୍ୟପଟେ ମୃତ୍ୟୁସଂଖ୍ୟା ବଢି ଚାଲିଥିବାରୁ ଏବେ ୧୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏବେ ମିଳିଥିବା ରିପୋର୍ଟରୁ ଜଣାପଡିଛି କି ପ୍ରତି ଶହେ ଜଣରେ ୧୩ ଜଣ କରୋନା ପଜିଟିଭ ବାହାରୁଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ସୂଚନା ଅନୁଯାୟୀ, ୫ ପ୍ରତିଶତ ପଜିଟିଭ ବାହାରିବା ସୁରକ୍ଷିତ ବା ନିୟନ୍ତ୍ରଣରେ ବୋଲି କୁହାଯାଏ। ହେଲେ ଭାରତରେ ଏବେ ସୁରକ୍ଷା ମାନଦଣ୍ଡର ଦୁଇଗୁଣାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏବେ ଏହା ଚିନ୍ତାର କାରଣ ପାଲଟି ଯାଇଛି। ମେ’ ମାସ ଦ୍ୱିତୀୟ ସପ୍ତାହରେ ଦେଶରେ ପଜିଟିଭ ସଂଖ୍ୟା ୪.୬ ପ୍ରତିଶତ ଥିବା ବେଳେ ଜୁନ୍‌ ଦ୍ୱିତୀୟ ସପ୍ତାହରେ ଏହା ୭.୮ ପ୍ରତିଶତରେ ପହଞ୍ଚିଲା ଆଉ ଏବେ ଜୁଲାଇ ପ୍ରଥମ ସପ୍ତାହରେ ଏହା ୧୩.୪୫ ପ୍ରତିଶତରେ ପହଞ୍ଚିବା ଚିନ୍ତା ବଢାଇ ସାରିଲାଣି। ବିଶେଷଜ୍ଞଙ୍କ କହିବା କଥା ହେଲା ଏବେ ଅଧିକ ପରିମାଣର ନମୁନା ପରୀକ୍ଷା କରାଯାଉ ଥିବାରୁ ପଜିଟିଭ ସଂଖ୍ୟାରେ ବୃଦ୍ଧି ଘଟିଛି। ଅନ୍ୟପଟେ ସଂକ୍ରମଣ ହାରରେ ଭାରତ ଗୋଟିଏ ପରେ ଗୋଟିଏ ପାହାଚ ଆଗକୁ ଚଢି ଏବେ ବିଶ୍ୱରେ ସଂକ୍ରମିତ ହାରରେ ଦେଶ ତୃତୀୟ ସ୍ଥାନକୁ ଉନ୍ନିତ ହୋଇଥିବା ଜଣାପଡିଛି। ଭାରତ ପୂର୍ବରୁ କେବଳ ବ୍ରାଜିଏ ଓ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି।

Share