Categories: ଜାତୀୟ

ଡେପସାଙ୍ଗ-ଡେମଚୋକ ଅଞ୍ଚଳରୁ ପିଏଲଏ ପ୍ରତ୍ୟାହାର ପାଇଁ ଭାରତର ଦାବି…

ନୂଆଦିଲ୍ଲୀ,୨୪।୪ : ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଲି ଶାଙ୍ଗଫୁଙ୍କ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଗସ୍ତରେ ଆସିବା ପୂର୍ବରୁ ଭାରତ ଏବଂ ଚାଇନା ମଧ୍ୟରେ ଶୀର୍ଷ ସ୍ତରୀୟ ସାମରିକ ଆଲୋଚନା ରବିବାର ଶେଷ ହୋଇଛି। ତେବେ କର୍ପସ କମାଣ୍ଡର ସ୍ତରୀୟ କଥାବାର୍ତ୍ତାର ୧୮ ତମ ରାଉଣ୍ଡର ଫଳାଫଳ ଉପରେ କୌଣସି ସରକାରୀ ବିବୃତ୍ତି ଆସିନାହିଁ। ତଥାପି, ସୂତ୍ରରୁ ପ୍ରକାଶ, ଏହି ବୈଠକ ଚୁସୁଲ-ମୋଲଦୋ ସୀମାରେ ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରୁ ଆରମ୍ଭ ହୋଇ ରାତିରେ ଶେଷ ହୋଇଥିଲା।

ଗତ ବର୍ଷ ଡିସେମ୍ବର ୨୦ ରେ ୧୭ ତମ ରାଉଣ୍ଡ କଥାବାର୍ତ୍ତାର ଚାରିମାସ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ୧୭ ତମ ପର୍ଯ୍ୟାୟ ଆଲୋଚନାରେ ସୀମା ବିବାଦ ପ୍ରସଙ୍ଗରେ କୌଣସି ସହମତି ହୋଇପାରି ନ ଥିଲା। ସୂତ୍ରରୁ ପ୍ରକାଶ ରବିବାର୧୪ କୋର କମାଣ୍ଡର ଲ୍ୟୁଟନାଟ ଜେନେରାଲ ରସିମ ବାଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଡେପସାଙ୍ଗର ବୁଲଗେ ଏବଂ ଡେମଚୋକର ଚାରଡିଂ ନିଙ୍ଗଲୁଙ୍ଗ ନାଲା ଟ୍ରାକ ଜଙ୍କଶନ ଅଞ୍ଚଳରୁ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ସୈନ୍ୟ ପ୍ରତ୍ୟାହାର ପାଇଁ ଦାବି କରିଛି। ଚାଇନା ପକ୍ଷରୁ ଦକ୍ଷିଣ ଜିନଜିଆନ ମିଲିଟାରୀ ଜିଲା ମୁଖ୍ୟ ଏହି ବାର୍ତ୍ତାଳାପରେ ଭାଗ ନେଇଥିଲେ।

ଭାରତୀୟ ପକ୍ଷ ସହ ଜଡିତ ଏକ ସୂତ୍ର ଅନୁଯାୟୀ, ୨୭-୨୮ ଏପ୍ରିଲରେ ଚାଇନା ପ୍ରତିରକ୍ଷା ମନ୍ତ୍ରୀଙ୍କ ଭାରତ ଗସ୍ତ ପୂର୍ବରୁ ବିବାଦୀୟ ସୀମା ପ୍ରସଙ୍ଗରେ କୌଣସି ଅଗ୍ରଗତି ହୋଇନାହିଁ। ସାମରିକ ଆଲୋଚନାରେ ଏହା ସ୍ପଷ୍ଟ ହୋଇଛି, ଭାରତ ଉଭୟ ପାର୍ଶ୍ୱରେ ପୂର୍ବ ଲଦାଖରେ ଟ୍ୟାଙ୍କ, ଆର୍ଟିଲିରି ଏବଂ ରକେଟ ପ୍ରଣାଳୀ ଭଳି ଭାରୀ ଅସ୍ତ୍ରରେ ନିୟୋଜିତ ୫୦ ହଜାରରୁ ଅଧିକ ସୈନ୍ୟ ପ୍ରତ୍ୟାହାର, ଡି-ଏସ୍କାଲେସନ ଏବଂ ଡି-ଇନଡକ୍ସନ ଚାହୁଁଛି। ବାର୍ତ୍ତାଳାପରେ ଏହା ଜୋର ଦିଆଯାଇଥିଲା, ଯଦି ଚାଇନା ସାମଗ୍ରିକ ଦ୍ୱିପାକ୍ଷିକ ସମ୍ପର୍କରେ ି ଉନ୍ନତି ଚାହୁଁଛି ତେବେ ଏହା ହେଉଛି ପ୍ରଥମ ସର୍ତ୍ତ। ଅନ୍ୟଥା, ଯୁଦ୍ଧ ନାହିଁ, ଶାନ୍ତି ନାହିଁ ପରିସ୍ଥିତି ଜାରି ରହିବ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଅସ୍ଥିର ରହିବ। ତେବେ ଚାଇନା ଏପର୍ଯ୍ୟନ୍ତ ନିଜର ବାହିନୀ ପ୍ରତ୍ୟାହାର କରିବା ଏବଂ ଭାରତୀୟ ପାଟ୍ରୋଲିଂକୁ ସେମାନଙ୍କ ପାରମ୍ପାରିକ ପାଟ୍ରୋଲିଂ ପଏଣ୍ଟକୁ ପ୍ରବେଶ କରିବାକୁ ବାରଣ କରିବାରେ ଆଗ୍ରହ ପ୍ରକାଶ କରି ନାହିଁ, ଯାହା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ଅଧୀନରେ ରହିଛି।

Share