କିଶୋର ଜେନା
ଏକ ସ୍ବଚ୍ଛ ଓ ସ୍ବାଧୀନ ନିର୍ବାଚନ ପ୍ରକ୍ରିୟା, ଏକ ସ୍ବାଧୀନ ବିଚାର ବିଭାଗ, ଶକ୍ତିଶାଳୀ ବିରୋଧୀ ଦଳ, ବାଦ-ପ୍ରତିବାଦ ମୁଖର ଏକ ସଂସଦ, ଅପେକ୍ଷାକୃତ ସ୍ବାଧୀନ ଗଣମାଧ୍ୟମ ଏବଂ ରାଜନୀତିଠାରୁ ଦୂରରେ ଥିବା ଏକ ସୈନ୍ୟବାହିନୀ ଏହିସବୁ ମିଶି ଭାରତୀୟ ଗଣତନ୍ତ୍ର। ୧୯୫୦ରୁ ଭାରତ ତା’ର ସମ୍ବିଧାନ ଗ୍ରହଣ କରିବା ପରଠାରୁ ଏହା ହିଁ ସମସ୍ତେ ଜାଣିଆସିଛନ୍ତି। ବିକାଶଶୀଳ ବିଶ୍ୱରେ ଭାରତ ସେହି ଗଣତାନ୍ତ୍ରିକ ଦେଶ ରୂପେ ଦଣ୍ଡାୟମାନ, ଯେଉଁଠି କାର୍ଯ୍ୟନିର୍ବାହୀ ବିଭାଗ, ଆଇନ ପ୍ରଣୟନ ସଭା ଓ ବିଚାର ବିଭାଗର କାର୍ଯ୍ୟ ପରିଚାଳନାରେ ମୂଳଭିତ୍ତି ହେଉଛି ସମ୍ବିଧାନ। କିନ୍ତୁ ସେହି ଅର୍ଜନ ଯେ କେତେ ଭଙ୍ଗୁର, ସମ୍ବିଧାନ ଉପରେ ଲୋକଙ୍କ ଆସ୍ଥା ବିଲୀନ ହେବାର ପରିସ୍ଥିତି ଯେ କେତେ ଗୁରୁତର, ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ( ଭାଜପା) ସରକାର ଏହାର ୭ ବର୍ଷର ଶାସନକାଳରେ ଆରମ୍ଭର ୩-୪ ବର୍ଷ ମଧ୍ୟରେ ଭାରତବାସୀଙ୍କୁ ବୁଝାଇଦେଇଛି।
ଭାରତର ଅତ୍ୟନ୍ତ ସୁନ୍ଦର ବିକେନ୍ଦ୍ରୀକୃତ ପ୍ରଶାସନିକ ବ୍ୟବସ୍ଥା ଅନୁଯାୟୀ ଗୋଟିଏ ଗୋଟିଏ ରାଜ୍ୟର ନିର୍ବାଚିତ ଯେଉଁ ଦଳ ବା ମେଣ୍ଟ ସଂଖ୍ୟାଗରିଷ୍ଠ ଆସନ ଲାଭ କରେ, ସେହି ଦଳ ବା ମେଣ୍ଟର ନେତା ମୁଖ୍ୟମନ୍ତ୍ରୀ ରୂପେ ରାଜ୍ୟ ଶାସନ କରନ୍ତି। ଏହା ସହ ପ୍ରତ୍ୟେକ ରାଜ୍ୟରେ ଜଣେ ଜଣେ ରାଜ୍ୟପାଳ ବା ଗଭର୍ନର ଥାଆନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏହା ଏକ ଆନୁଷ୍ଠାନିକ, ନିରପେକ୍ଷ ଓ ସାମ୍ବିଧାନିକ ପଦ। କିନ୍ତୁ ଏହି ପଦକୁ ପ୍ରାୟ ପ୍ରତ୍ୟେକ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରିବାକୁ ଚେଷ୍ଟା କରିଥାଆନ୍ତି। କର୍ନାଟକ କଥା ଧରାଯାଉ, ବେଶ୍ କେତେବର୍ଷ ଧରି ଏ ଧରଣର ଚେଷ୍ଟା ରାଜ୍ୟପାଳଙ୍କର କାର୍ଯ୍ୟାଳୟର ନିରପେକ୍ଷତାକୁ ସ୍ପଷ୍ଟତଃ କ୍ଷୁଣ୍ଣ କରିଛି। ସେଠାରେ ଭାଜପା ବିରୋଧୀ ମେଣ୍ଟ ବେଶି ଆସନ ଜିତିଥିଲା। କିନ୍ତୁ ସେଠାର ରାଜ୍ୟପାଳ ରଜୁଭାଇ ଭାଲା ଭାଜପା ବିରୋଧୀ ମେଣ୍ଟକୁ ସରକାର ଗଠନ ପାଇଁ ନ ଡାକି ସଂଖ୍ୟାଲଘୁ ଭାଜପାକୁ ସରକାର ଗଠନର ଆମନ୍ତ୍ରଣ ଜଣାଇଥିଲେ। ଅନୁରୂପ ଘଟଣା ମଧ୍ୟ ମହାରାଷ୍ଟ୍ରରେ ଘଟିଥିଲା। ଭାଜପା ବିରୋଧୀ ସଂଖ୍ୟାଗରିଷ୍ଠ କଂଗ୍ରେସ, ଏନସିପି ଓ ଶିବସେନା ମେଣ୍ଟକୁ ନ ଡାକି ଭାଜପାକୁ କ୍ଷମତାରେ ବସାଇଥିଲେ। କିନ୍ତୁ ଗଣତନ୍ତ୍ରର ମୌଳିକ ଭିତ୍ତିକୁ ଟେକିରଖିବା ପାଇଁ ଅବଶେଷରେ ଭାରତର ସୁପ୍ରିମ କୋର୍ଟ ଏହି ଘଟଣାଗୁଡ଼ିକରେ ସଂଖ୍ୟାଗରିଷ୍ଠ ସଭ୍ୟ ସମର୍ଥନ ଥିବା ମେଣ୍ଟକୁ ସରକାର ଗଠନ କରିବାକୁ ଆଦେଶ ଦେବାରୁ ବିରୋଧୀ ମେଣ୍ଟ ସରକାର ଗଠନ କରିବାର ସୁଯୋଗ ପାଇଲେ।
ସଂସଦରେ ମଧ୍ୟ ଠିକ୍ ସମାନ ଧାରାରେ ଅବକ୍ଷୟ ଦେଖାଯାଉଛି। ୨୦୧୮ରେ ବିରୋଧୀ ନେତାମାନେ ବେଶ୍ କେଇଥର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। କିନ୍ତୁ ଲୋକ ସଭାର ଭାଜପା ମନୋନୀତ ବାଚସ୍ପତି ଏକ ମାସରୁ ବେଶି ସମୟ ଧରି ବିରୋଧୀ ଦଳଗୁଡ଼ିକର ଅନାସ୍ଥା ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରି ଚାଲିଥିଲେ। ଭାରତବର୍ଷର ବାର୍ଷିକ ବଜେଟ ଯଦିଓ ଦେଶର ସମ୍ପୂର୍ଣ୍ଣ ଅର୍ଥନୀତି ନୁହେଁ, ବରଂ ଅଂଶବିଶେଷ, ତଥାପି ଏହି ବଜେଟର ଏକ ବିଶାଳ ପ୍ରଭାବ ରହିଛି। ବଜେଟ ପ୍ରସ୍ତାବ ପେଶ୍ ହେବାପରେ ଆଇନ ପ୍ରଣୟନ ସଭା କେତେ ସପ୍ତାହ ଧରି ସ୍ବାସ୍ଥ୍ୟ, ଶିକ୍ଷା ବା ଏହି ଧରଣର ବିଭିନ୍ନ ବାବଦରେ ବ୍ୟୟ ବରାଦ ନେଇ ଆଲୋଚନା କରନ୍ତି। ଯଦି ଦେଖାଯାଏ ଯେ ବଜେଟ ଅଧିବେଶନ ଶେଷ ହୋଇଯାଇଛି ଏବଂ କିଛି ବରାଦ ଅନୁମୋଦନ କରିବାକୁ ବାକି ଅଛି, ତେବେ ଗୃହୀତ ହୋଇଥିବା ବରାଦକୁ ଏକାଠି କରି ଅନୁମୋଦନ କରାଯିବ କି ନାହିଁ, ତାହା ଠିକ୍ କରିବାକୁ ଭୋଟ ନିଆଯାଏ। ଏହି ଭୋଟ ପ୍ରକ୍ରିୟାକୁ ଗିଲୋଟିନ୍ କୁହାଯାଏ। ତେବେ ମୋଦିଙ୍କ ଶାସନ ଅମଳରେ ବଜେଟ ଅଧିବେଶନ ଶେଷ ହେବାର ଦୁଇ ତିନି ସପ୍ତାହ ପୂର୍ବରୁ ପ୍ରାୟ ଗତ କେଇ ବର୍ଷ ହେବ ଗିଲୋଟିନ୍ ଦ୍ୱାରା ବରାଦକୁ ଅନୁମୋଦନ କରାଯାଉଛି। ଯଦିଓ ବିଭିନ୍ନ ଖାତାରେ ବରାଦ ସମ୍ପର୍କରେ ସାଂସଦମାନେ ଆଲୋଚନା କରିବାକୁ ଚାହୁଁଥିଲେ ମଧ୍ୟ ଆଲୋଚନା ଓ ସମାଲୋଚନାର ସୁଯୋଗରୁ ଏମାନଙ୍କୁ ବଞ୍ଚତ୍ତ କରାଯାଉଛି। କାରଣ ସରକାର ସମାଲୋଚନା ଚାହାନ୍ତି ନାହିଁ।
ସମ୍ପ୍ରତି ତିନି ନୂଆ କୃଷି ଆଇନର କଥା ଧରାଯାଉ। ଏହା ପ୍ରଣୟନ ଓ ରଦ୍ଦ ହେଲା ବିନା ଆଲୋଚନାରେ। ସେହିଭଳି ଶ୍ରମ କୋଡ୍ ବିଲ୍ ମଧ୍ୟ ପାରିତ ହୋଇଗଲା। ଗତ ମୌସୁମୀ ଅଧିବେଶନରେ ଯେପରି ଭାବେ ବୀମା ଘରୋଇକରଣ ବିଲ୍କୁ ବିନା ଆଲୋଚନାରେ ଓ ବିରୋଧୀ ସଦସ୍ୟମାନେ ଏହି ବିଲ୍ ଉପରେ ସମ୍ବିଧାନ ଓ ସଂସଦୀୟ ବ୍ୟବସ୍ଥା ଅନୁଯାୟୀ ଡିଭିଜନ ଭୋଟ ଦାବି କଲାବେଳେ ଏମାନଙ୍କ ଦାବିକୁ ଗ୍ରହଣ କରାଗଲା ନାହିଁ ଓ ଧ୍ୱନି ମଧ୍ୟରେ ପାରିତ କରିନିଆଗଲା। ଏଭଳି କାର୍ଯ୍ୟକୁ ବିରୋଧ କରି ପ୍ରତିବାଦ କରିବାରୁ ୧୨ଜଣ ସଦସ୍ୟଙ୍କୁ ରାଜ୍ୟ ସଭାରୁ ବାହାର କରି ଦିଆଗଲା ଏବଂ ଏହା ପରେ ପରେ ରାଜ୍ୟ ସଭାକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଗଲା। ଏବେ ଶୀତକାଳୀନ ଅଧିବେଶନରେ ଏହି ୧୨ଜଣ ସଦସ୍ୟଙ୍କୁ ପୂରା ଅଧିବେଶନ ପାଇଁ ନିଲମ୍ବିତ କରାଗଲା। ଭାରତବର୍ଷର ସଂସଦରେ ପୂର୍ବ ଅଧିବେଶନର କାର୍ଯ୍ୟ ପାଇଁ ପର ଅଧିବେଶନରେ ନିଲମ୍ବନ କରାଯିବା ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କ ଘରୋଇକରଣ ପରି ଅର୍ଥବିଲ୍କୁ ରାଜ୍ୟ ସଭାରେ ବିରୋଧୀମାନେ ସଂଖ୍ୟାଗରିଷ୍ଠ ଥିବାରୁ ଏମାନଙ୍କୁ ସଂଖ୍ୟାଲଘୁ କରାଇ ଯେନତେନ ପ୍ରକାରରେ ପାରିତ କରାଇନେବା।
ମୋଦି ସରକାର ସ୍ବାଧୀନ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ନିଜର ଆଜ୍ଞାବହ କରିବାରେ ଯେଉଁ ଅଭିଳାଷ ଚରିତାର୍ଥ କରିଛି, ତାହା ମଧ୍ୟ ସୁପ୍ରିମ କୋର୍ଟକୁ ଛାଡ଼ି ନାହିଁ। ଯେଉଁଠି ବର୍ତ୍ତମାନର ମୁଖ୍ୟ ବିଚାରପତିଙ୍କ ପୂର୍ବଜମାନେ ଠିକ୍ କରି ନେଉଥିଲେ କେଉଁ ବିଚାରପତି କେଉଁ ନିର୍ଦ୍ଦିଷ୍ଟ ବିଷୟରେ ରାୟ ଦେବେ। ଏଭଳି ବ୍ୟବସ୍ଥା ବିରୋଧରେ ସୁପ୍ରିମ କୋର୍ଟର ଚାରିଜଣ ବିଚାରପତି ମୁଖ୍ୟ ବିଚାରପତିଙ୍କ ରାୟକୁ ପ୍ରଭାବିତ କରିବା ପାଇଁ ନିର୍ଦ୍ଦିଷ୍ଟ ବିଭାଗ ନିର୍ଦ୍ଦିଷ୍ଟ ମାମଲାକୁ ବିଚାର କରିବାକୁ ଦେଉଛନ୍ତି ବୋଲି ଖୋଲାଖୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ। ମୋଦି ସରକାରଙ୍କ କଡ଼ା ସମାଲୋଚକ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏହି ଅଭିଯୋଗ ସମ୍ପର୍କରେ କହିଥିଲେ, ରାଜନୈତିକ ସ୍ପର୍ଶକାତର ବିଷୟଗୁଡ଼ିକୁ ବାଛି ବାଛି ଏଭଳି ଏକ ଖଣ୍ଡପୀଠ ଓ ବିଚାରପତିଙ୍କୁ ଦିଆଯାଉଥିଲା, ଯେଉଁଥିରେ କୌଣସି ଜ୍ୟେଷ୍ଠ ବିଚାରପତି ନ ଥିଲେ। ସେ ଅଭିଯୋଗ କରିଥିଲେ ମୁଖ୍ୟ ବିଚାରପତି ସ୍ପଷ୍ଟ ଭାବେ ସରକାରଙ୍କ ସ୍ବାର୍ଥ ରକ୍ଷା ପାଇଁ ବିଚାର ବିଭାଗକୁ ବ୍ୟବହାର କରିଛନ୍ତି। ଏଭଳି ପ୍ରକ୍ରିୟା ବର୍ତ୍ତମାନର ମୁଖ୍ୟ ବିଚାରପତିଙ୍କ ପୂର୍ବରୁ ବାରମ୍ବାର ଘଟୁଥିଲା ବୋଲି ଜନସାଧାରଣ ସନ୍ଦେହ କରିଆସୁଥିଲେ।
ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ଅନୁଷ୍ଠାନ ପାଇଁ ଯେଉଁ ନିର୍ବାଚନ କମିଶନ ଏତେଦିନ ଧରି ସମସ୍ତଙ୍କ ଶ୍ରଦ୍ଧାର ପାତ୍ର ଥିଲେ, ତାଙ୍କ ବିରୋଧରେ ମୋଦିଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ନିର୍ବାଚନର ତାରିଖକୁ ଆଗେଇ ନେବାର ଅଭିଯୋଗ ଆସିଥିଲା। ପଶ୍ଚିମବଙ୍ଗ ପରି କେତେକ ରାଜ୍ୟରେ କରୋନା ମହାମାରୀ ସମୟରେ ଆଠ ଦଫାରେ ନିର୍ବାଚନ କରିବା ଏବଂ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନିର୍ବାଚନୀ ସଭାରେ କୋଭିଡ୍ କଟକଣା ନ ମାନି ବିପୁଳ ଜନସମାବେଶ କରାଇବାରେ ବାଧା ନ ଦେବା, ଖୋଦ୍ ପ୍ରଧାନମନ୍ତ୍ରୀ ଗତ ସାଧାରଣ ନିର୍ବାଚନ ସମୟରେ ଖୋଲାଖୋଲି ନିର୍ବାଚନୀ ଆଚରଣବିଧିକୁ ଉଲ୍ଲଂଘନ କରିଥିଲେ ମଧ୍ୟ ସେଥିପ୍ରତି ଆଖି ବୁଜିଦେବା, ଏହାର ବିରୋଧ କରିଥିବା ଜଣେ କମିଶନ ସଦସ୍ୟଙ୍କୁ କମିଶନରୁ ବିଦା କରିଦେବା ଇତ୍ୟାଦି ବହୁ ଘଟଣା ନିର୍ବାଚନ କମିଶନ ମୋଦି ସରକାରଙ୍କ ସଖୀ କଣ୍ଢେଇରେ ପରିଣତ ହୋଇଛି। ଏହି ମୁହୂର୍ତ୍ତରେ ଭାରତରେ ହାତଗଣତି ଗୋଟିଏ ଦୁଇଟି ଛଡ଼ା ସବୁ ଗଣମାଧ୍ୟମ ମୋଦି ଏବଂ ତାଙ୍କ ରାଜନୀତିର ଗୋଡ଼ାଣିଆ ହୋଇଛି। ଯେଉଁ ଗଣମାଧ୍ୟମ ସତ୍ୟ ଘଟଣାଗୁଡ଼ିକ ପ୍ରକାଶ କରୁଛନ୍ତି ବା ମୋଦି ସରକାରଙ୍କ ନୀତିର ସମାଲୋଚନା କରୁଛନ୍ତି, ସେମାନଙ୍କ ଉପରେ ବିଭିନ୍ନ ପ୍ରକାରରେ ଆକ୍ରମଣ କରାଯାଇ ମୁହଁ ବନ୍ଦ କରାଯାଉଛି। ପ୍ରାୟ ସମସ୍ତ ଗଣମାଧ୍ୟମକୁ ବାଧ୍ୟ କରାଯାଉଛି ସରକାରଙ୍କ ପକ୍ଷରେ ରିପୋର୍ଟ କରିବାକୁ। ଯେଉଁ ସାମ୍ବାଦିକମାନେ କରୁନାହାନ୍ତି ଏବଂ ନିଚ୍ଛକ ସତକଥା ଲେଖୁଛନ୍ତି, ସେମାନଙ୍କ ମାଲିକଙ୍କ ଉପରେ ଚାପ ପକାଇ ସେମାନଙ୍କୁ କାର୍ଯ୍ୟରୁ ବାହାର କରିଦିଆଯାଉଛି। ପରଞ୍ଜୟ ଗୁହ ଠାକୁରତା, ଅଭିସାର ଶର୍ମା ଓ ଅନ୍ୟ କେତେକଙ୍କୁ ସେମାନଙ୍କ ମାଲିକମାନେ ବାହାର କରିଦେଲେ, ଏହା ପଛରେ ମୋଦି ସରକାରଙ୍କ ଚାପ ଥିଲା। ବିନୋଦ ଦୁଆଙ୍କ ପରି ଖ୍ୟାତନାମା ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାଏର କରାଯାଇଥିଲା; ଯାହାକୁ ସୁପ୍ରିମ କୋର୍ଟ ଖାରଜ କରିଦେଇ କହିଥିଲେ, ସରକାରଙ୍କ ବିରୋଧରେ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ। ୨୦୧୯ ନିର୍ବାଚନର ପ୍ରସ୍ତୁତି ସମୟରେ ମୋଦିଙ୍କ ଜନପ୍ରିୟତା ବହୁ ଭାବରେ କମିଯାଇଥିଲା। କିନ୍ତୁ ଯେଭଳି ଭାବେ ଗଣମାଧ୍ୟମ ତାଙ୍କ ସପକ୍ଷରେ ପୁଲୱାମା ଘଟଣା ନେଇ ପ୍ରଚାର କଲେ, ସେଥିରୁ ସେ ଫାଇଦା ଉଠାଇଲେ। ସମ୍ପ୍ରତି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ବିଦ୍ରୂପ କରି ବହୁ ଗଣମାଧ୍ୟମ ନାନା ଅପପ୍ରଚାର କରୁଥିଲେ।
ଦେଶର କେନ୍ଦ୍ରୀୟ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସ୍ବାୟତ୍ତତାକୁ କ୍ଷୁଣ୍ଣ କରାଯିବାର ଚାପ ପକାଇ ଅର୍ଥ ନେବା କଥା ସମସ୍ତେ ଜାଣନ୍ତି। ଭାରତର ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମଧ୍ୟ ଅବାରିତ ଭାବେ ହସ୍ତକ୍ଷେପ କରାଯାଉଛି। ଜେଏନ୍ୟୁ, ଜାମିଲା ମିଲିଆ, ବିଶ୍ୱଭାରତୀ, ହାଇଦରାବାଦର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ପୁଣେସ୍ଥିତ ଫିଲ୍ମ ଆଣ୍ଡ ଟିଭି ଇନ୍ଷ୍ଟିଚ୍ୟୁଟ୍ ଇତ୍ୟାଦିରେ କେନ୍ଦ୍ରୀୟ ହସ୍ତକ୍ଷେପ ବିରୋଧରେ ବାରମ୍ବାର ଛାତ୍ର ଆନ୍ଦୋଳନ ଦେଖାଦେଇଛି।
ସାମଗ୍ରିକ ଭାବେ ଦେଖିଲେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର କ୍ଷମତାକୁ ଆସିବା ପରେ ଭାରତବର୍ଷରେ ସାମ୍ବିଧାନିକ ବ୍ୟବସ୍ଥା ଓ ସଂସ୍ଥାଗୁଡ଼ିକ କ୍ରମଶଃ ଅବକ୍ଷୟର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏଭଳି ଆଉ କିଛି ବର୍ଷ ଚାଲିଲେ ସଂସଦୀୟ ଗଣତନ୍ତ୍ରର ଖୋଳପା ମଧ୍ୟରେ ଏକନାୟକତ୍ୱ ପ୍ରକଟିତ ହେବ। ଗଭୀର ସଙ୍କଟ ମଧ୍ୟରେ ଏବେ ଭାରତର ଗଣତନ୍ତ୍ର।
ଉତ୍କଳମଣି ମାର୍ଗ, ଅପର୍ଣ୍ଣାନଗର,
ଚାଉଳିଆଗଞ୍ଜ, କଟକ
ମୋ:୯୪୩୭୩୮୪୮୬୭