Categories: ଖେଳ

ଏସିଆନ୍‌ ଗ୍ସେରେ ଭାରତର ଦବ୍‌ଦବା ଜାରି: ସିଫ୍ଟ କୌର ଜିତିଲେ ସ୍ବର୍ଣ୍ଣ

ହାଙ୍ଗଝୋ,୨୭।୯: ଏସିଆନ୍‌ ଗ୍ସେରେ ଭାରତର ଦବ୍‌ଦବା ଜାରି ରହିଛି। ବୁଧବାର ଭାରତ ଆଉ ସ୍ବର୍ଣ୍ଣ ପଦକ ଜିତିଛି। ୫୦ ମିଟର ରାଇଫଲ ଇଭେଣ୍ଟରେ ସିଫ୍ଟ କୌର ଦେଶ ପାଇଁ ପଞ୍ଚମ ସ୍ବର୍ଣ୍ଣ ଜିତିଛନ୍ତି। ଏହି ଇଭେଣ୍ଟରେ ଚାଇନା ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ଜିତିଛି। ଭାରତର ଆଶି ଚୋକସି ୫୦ ମିଟର ରାଇଫଲ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ଜିତିବାରେ ସଫଳ ହୋଇଥିଲେ। ଚତୁର୍ଥ ଦିନ ଅର୍ଥାତ୍‌ ଆଜି ଏହା ହେଉଛି ଭାରତର ଦ୍ୱିତୀୟ ସ୍ବର୍ଣ୍ଣ।
୫୦ ମିଟର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିବା ସିଫ୍ଟ କୌର ୪୬୯.୬ ସ୍କୋର ସହିତ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଏହି ରେକର୍ଡ ସହିତ ସେ ୪୬୨.୩ ସ୍କୋର କରିଥିବା ଚାଇନାର ଝାଙ୍ଗ କିଓଙ୍ଗୟୁଙ୍କୁ ପରାସ୍ତ କରିଛନ୍ତି। ଆଶି ଚୋକସି ୧୫୧.୯ ସ୍କୋର ସହିତ ବ୍ରୋଞ୍ଜ ଜିତିଛନ୍ତି।
ଧୀରେ ଧୀରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ସଂଖ୍ୟା ବୃଦ୍ଧି ପାଉଛି। ସିଫ୍ଟ କୌର ଭାରତ ପାଇଁ ମୋଟ ପଞ୍ଚମ ଏବଂ ଚତୁର୍ଥ ଦିନରେ ୨ୟ ସ୍ବର୍ଣ୍ଣ ଜିତିଛନ୍ତି। ଏହାପୂର୍ବରୁ ମନୁ ଭାକର, ଇଶା ସିଂ ଏବଂ ରିଥ ସାଙ୍ଗୱାନଙ୍କ ମହିଳା ଦଳ ୨୫ ମିଟର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିଲେ, ଯାହା ଦେଶର ଚତୁର୍ଥ ସାମଗ୍ରିକ ସ୍ବର୍ଣ୍ଣ ଥିଲା। ଏହାସହ ଭାରତର ପଦକ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି।

Share