Categories: ଜାତୀୟ

ଆମ ପ୍ରଧାନମନ୍ତ୍ରୀ ମୋଦି ଜିଙ୍କ ଠାରୁ ଅଧିକ ସଚ୍ଚୋଟ ହେବେ:ତେଜସ୍ବୀ

ମୁମ୍ବାଇ,୩୧।୮: ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପୂର୍ବରୁ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କ ସହ ମୁମ୍ବାଇରେ ପହଞ୍ଚିଥିବା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ପ୍ରସାଦ ଯାଦବ କହିଛନ୍ତି ଯେ, ମୋଦିଙ୍କ ଅପେକ୍ଷା ଯିଏ ଅଧିକ ସଚ୍ଚୋଟ ହେବ, ସେ ହିଁ ଆଗାମୀ ପ୍ରଧାନମନ୍ତ୍ରୀ ହେବେ।
ତେଜସ୍ବୀ କହିଛନ୍ତି, ଜନସାଧାରଣଙ୍କ ଚାହିଦା ଅନୁଯାୟୀ ଆମେ (ବିରୋଧୀ ଦଳ) ସାମ୍ପ୍ରଦାୟିକ ବାହିନୀ ସହିତ ଲଢିବା ପାଇଁ ଏକାଠି ହୋଇଛୁ। ଦେଶର ଲୋକମାନେ ଚାହୁଁଥିଲେ ଯେ ଏହି ମେଣ୍ଟ ଗଠନ ପାଇଁ ଆମେ କାର୍ଯ୍ୟ କରିବା। ସମସ୍ତେ ଜାଣନ୍ତି ପ୍ରଧାନମନ୍ତ୍ରୀ ବାଛିବା ପ୍ରକ୍ରିୟା କ’ଣ? ଏମ୍‌ପିମାନେ ସେମାନଙ୍କର ନେତା ବାଛିବେ। ‘ଇଣ୍ଡିଆ’ ପକ୍ଷରୁ ଯେଉଁ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବେ, ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଅଧିକ ସଚ୍ଚୋଟ ଏବଂ ଲୋକଙ୍କ ପ୍ରତି ବିଶ୍ୱସ୍ତ ରହିବେ।
ବିରୋଧୀ ବ୍ଲକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଗୁରୁବାର ମୁମ୍ବାଇରେ ଆରମ୍ଭ ହେବ। ଏହି ୨ ଦିନିଆ ସମାବେଶରେ ମେଣ୍ଟ ପାଇଁ ଏକ ସମନ୍ବୟ ସମିତି ଘୋଷଣା ସହ ଲୋଗୋ ଜାରି କରାଯିବ। ପରସ୍ପର ମଧ୍ୟରେ ଥିବା ମତଭେଦକୁ ଦୂରକରି ୨୦୨୪ ଲୋକ ସଭା ନିର୍ବାଚନ ସକାଶେ ଇଣ୍ଡିଆ ପକ୍ଷରୁ ମିଳିତ ରଣନୀତି ପ୍ରସ୍ତୁତ କରାଯିବ।

Share