ବର୍ମିଂହାମ,୫।୭: ଏଠାର ଏଜବାଷ୍ଟନ ମଇଦାନରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ବାଜିମାତ କରିଛି ଘରୋଇ ଦଳ। ଚତୁର୍ଥ ଇନିଂସରେ ଇଂଲଣ୍ଡ ୩୭୮ ରନ୍ ସ୍କୋର କରି ରେକର୍ଡ କରିବା ସହ ସିରିଜକୁ ୨-୨ରେ ଡ୍ର କରିବାରେ ସଫଳ ହୋଇଛି। ଅପରପକ୍ଷେ ଭାରତର ପରାଜୟ ସହ ଇଂଲଣ୍ଡରେ ସିରିଜ ଜିତିବାର ୧୫ ବର୍ଷର ସ୍ବପ୍ନ ସ୍ବପ୍ନରେ ରହିଯାଇଛି।
୩୭୮ ରନ୍ର ଟାର୍ଗେଟକୁ ପିଛା କରୁଥିବା ଇଂଲଣ୍ଡ ଟିମ୍ ପକ୍ଷରୁ ଜୋ ରୁଟ୍ ଏବଂ ଜନି ବେୟାରଷ୍ଟୋ ଜବରଦସ୍ତ ବ୍ୟାଟିଂ କରିଥିଲେ। ଉଭୟ ଶତକ ମାରି ଦଳକୁ ବିଜେତା କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମ୍ୟାଚ୍ ଶେଷ ବେଳକୁ ରୁଟ୍ ୧୪୨ ଏବଂ ବେୟାରଷ୍ଟୋ ୧୧୪ ରନ୍ କରି ମଇଦାନରେ ଥିଲେ।
ପ୍ରଥମ ଥର ପାଇଁ ଇଂଲଣ୍ଡ ଟିମ୍କୁ ୩୫୦ ରନ୍ରୁ ଅଧିକ ରନ୍ର ଟାର୍ଗେଟ ଦେଇଥିଲା ଭାରତ। ଏହାସତ୍ତ୍ୱେ ଦଳ ହାତରୁ ମ୍ୟାଚ୍ ହାତଛଡ଼ା ହୋଇଥିଲା। ରୁଟ୍ ଏବଂ ବେୟାରଷ୍ଟୋଙ୍କ ଦମ୍ଦାର ଇନିଂସ ଯୋଗୁ ଇଂଲଣ୍ଡ ମାତ୍ର ୭୭ ଓଭରରେ ୩୭୮ ରନ୍ ଟାର୍ଗେଟ ହାସଲ କରିନେଇଛି।