Categories: ଜାତୀୟ

ମୁମ୍ବାଇରେ ଦେଶର ପ୍ରଥମ ଏକ୍ସଇ ଭାରିଆଣ୍ଟ ମାମଲା

ନୂଆଦିଲ୍ଲୀ,୮।୪: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଏକ୍ସଇ ମାମଲା ମୁମ୍ବାଇରେ ଚିହ୍ନଟ ହୋଇଛି। ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ଭାରତରେ ପ୍ରଥମ ଏକ୍ସଇ ମାମଲା। ସେହିପରି କାପ୍ପା ଭାରିଆଣ୍ଟର ଗୋଟିଏ ମାମଲା ମଧ୍ୟ ଚିହ୍ନଟ ହୋଇଛି। ତେବେ ନୂଆ ଭାରିଆଣ୍ଟ ସଂକ୍ରମିତଙ୍କଠାରେ କୌଣସି ଗୁରୁତର ଲକ୍ଷଣ ଦେଖାଯାଇ ନାହିଁ। ମୁମ୍ବାଇର ମୋଟ ୨୩୦ କୋଭିଡ୍‌ ରୋଗୀଙ୍କ ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିବା ବେଳେ ସେଥିରୁ ୨୨୮ ଜଣଙ୍କଠାରେ ଓମିକ୍ରନ୍‌, ଜଣକଠାରେ କାପ୍ପା ଏବଂ ଜଣେ ଏକ୍ସଇରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ଏକ୍ସଇ ମ୍ୟୁଟାଣ୍ଟ କୋଭିଡ୍‌-୧୯ର ଅନ୍ୟ ସମସ୍ତ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ବୋଲି ପୂର୍ବରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଥିଲା। ଏହି ନୂଆ ଭାରିଆଣ୍ଟ ପ୍ରଥମେ ଜାନୁୟାରୀ ୧୯ରେ ବ୍ରିଟେନରେ ଚିହ୍ନଟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସେଠାରେ ୬୩୭ ମାମଲା ଦେଖାଗଲାଣି। ଓମିକ୍ରନ୍‌ର ଦୁଇ ସବ୍‌ଭାରିଆଣ୍ଟ ବିଏ.୧ ଏବଂ ବିଏ.୨ର ମିଶ୍ରଣରେ ଏକ୍ସଇ ହୋଇଥିବା କୁହାଯାଉଛି। ଜଣେ ରୋଗୀ କୋଭିଡ୍‌ର ଏକାଧିକ ମ୍ୟୁଟାଣ୍ଟ ଦ୍ୱାରା ସଂକ୍ରମିତ ହେଲେ ଏଭଳି ମିଶ୍ରିତ ଭାରିଆଣ୍ଟ ସୃଷ୍ଟି ହୋଇଥାଏ ବୋଲି ବ୍ରିଟେନ ବିଶେଷଜ୍ଞମାନେ କହିଛନ୍ତି। ଏକ୍ସଇ ଓମିକ୍ରନ୍‌ର ବିଏ.୨ ସବ୍‌ଭାରିଆଣ୍ଟ ତୁଳନାରେ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି।

Share