Categories: ଜାତୀୟ

ଭାରତର ପ୍ରଥମ ମହିଳା ସୁପ୍ରିମକୋର୍ଟ ବିଚାରପତି ଏମ୍ ଫାତିମା ବିବିଙ୍କର ୯୬ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ,୨୩।୧୧: ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ବିଚାରପତି ଏମ୍ ଫାତିମା ବିବିଙ୍କର ଗୁରୁବାର ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଫାତିମା ପ୍ରଥମ ମୁସଲମାନ ମହିଳା ବିଚାରପତି ଯିଏକି କୌଣସି ଉଚ୍ଚ ନ୍ୟାୟପାଳିକାରେ ନିଯୁକ୍ତ ହୋଇଥିଲେ। ଏପ୍ରିଲ୍ ୨୯, ୧୯୯୨ ରେ ଅବସର ନେବା ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ରହିଥିଲେ।

ଅବସର ନେବା ପରେ ସେ ଜାତୀୟ ମାନବାଧିକାର କମିଶନ ଭାବେ ଦାୟିତ୍ୱ ନେଇଥିଲେ। ପରେ ସେ ତାମିଲନାଡୁର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ।

ତେବେ ଜାନୁୟାରୀ ୨୬, ୧୯୫୦ ରେ ଆରମ୍ଭ ହୋଇଥିବା ସୁପ୍ରିମକୋର୍ଟରେ ଆରମ୍ଭରୁ ବହୁତ କମ୍ ମହିଳା ବିଚାରପତି ନିଯୁକ୍ତ ହୋଇଥିଲେ ଏବଂ ୭୧ ବର୍ଷରୁ ଅଧିକ ସମୟ ମଧ୍ୟରେ ୧୯୮୯ ମସିହାରେ ଏମ. ଫାତିମା ବିବିଙ୍କ ଠାରୁ ଆରମ୍ଭ କରି କେବଳ ଆଠଜଣ ମହିଳା ବିଚାରପତି ନିଯୁକ୍ତ ହୋଇଛନ୍ତି।

ଫାତିମା ବିବି ୩୦ ଏପ୍ରିଲ ୧୯୨୭ ରେ କେରଳର ଏକ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିତା ତାଙ୍କୁ ଆଇନ ଅଧ୍ୟୟନ ପାଇଁ ଉତ୍ସାହିତ କରିଥିଲେ। ୧୯୫୦ ମସିହାରେ, ସେ ବାର୍ କାଉନସିଲ୍ ପରୀକ୍ଷାରେ ଶୀର୍ଷରେ ରହି ବାର୍ କାଉନସିଲ୍ ସ୍ୱର୍ଣ୍ଣ ପଦକ ପାଇଥିବା ପ୍ରଥମ ମହିଳା ହୋଇଥିଲେ। କେରଳରେ ଆଡଭୋକେଟ୍ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ୧୯୭୪ ମସିହାରେ ଜିଲା ତଥା ସେସନ କୋର୍ଟ ବିଚାରପତି ହେବା ପାଇଁ କାର୍ୟ୍ୟ କରିଥିଲେ। ୧୯୮୦ ମସିହାରେ ସେ ଆୟକର ଆବେଦନ ଟ୍ରିବ୍ୟୁନାଲରେ ଯୋଗ ଦେଇଥିଲେ ଏବଂ ୧୯୮୩ ରେ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ୧୯୮୯ ରେ, ସେ ସୁପ୍ରିମକୋର୍ଟରେ ନିଯୁକ୍ତ ପ୍ରଥମ ମହିଳା ହୋଇ ଇତିହାସ ସୃଷ୍ଟି କରିଥିଲେ, ଯେଉଁଠି ଏପ୍ରିଲ୍ ୨୯, ୧୯୯୨ ରେ ଅବସର ନେବା ପର୍ଯ୍ୟନ୍ତ ସେ ରହିଥଲେ।

Share