Categories: ଖେଳ

ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ

ଅଲିମ୍ପିକ୍ସର ନବମ ସଂସ୍କରଣ ୧୯୨୪ରେ ନେଦରଲାଣ୍ଡ୍ସର ଆମଷ୍ଟରଡାମ୍‌ରେ ଅନୁଷ୍ଠିତ ହୋଇଥିଲା। ବ୍ରିଟିଶ ଜାତୀୟ ପତାକା ତଳେ ଖେଳିଥିବା ଭାରତ ଫିଲ୍ଡ ହକିରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ଜୟପାଲ ସିଂ ମୁଣ୍ଡା ଏହି ଦଳର ନେତୃତ୍ୱ ନେଇଥିବାବେଳେ ହକି ଯାଦୁକର ମେଜର ଧ୍ୟାନଚାନ୍ଦ ଭାରତ ପାଇଁ ଷ୍ଟାର ରହିଥିଲେ। ହକି ଦଳକୁ ମିଶାଇ ଭାରତର ସମୁଦାୟ ୨୧ ଜଣ ଅଲିମ୍ପିକ୍ସ ଦଳରେ ସାମିଲ ରହିଥିଲେ। ଏହା ମଧ୍ୟରୁ ହକି ଦଳ ସ୍ବର୍ଣ୍ଣ ପଦକ ପାଇ ଇତିହାସ ରଚିଥିଲା। ଭାରତୀୟ ହକି ଦଳ ଏହି ସଫଳତାକୁ ୧୯୫୬ ଅଲିମ୍ପିକ୍ସ ଯାଏ ବଳବତ୍ତର ରଖିଥିଲା। ୧୯୨୮ରୁ ୧୯୫୬ ମଧ୍ୟରେ ଖେଳାଯାଇଥିବା ସମସ୍ତ ଅଲିମ୍ପିକ୍ସରେ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ହକିରେ ମୋଟ ୯ ଦଳ ୧୯୨୮ରେ ଅଂଶଗ୍ରହଣ କରିଥିଲେ। ଭାରତ ବ୍ୟତୀତ ବେଲଜିୟମ, ଡେନ୍‌ମାର୍କ, ସୁଇଜରଲାଣ୍ଡ ଓ ଅଷ୍ଟ୍ରିଆ ଖେଳିଥିବାବେଳେ ଗ୍ରୁପ୍‌ ଚାମ୍ପିୟନ ଭାବରେ ଭାରତ ସିଧାସଳଖ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଅନ୍ୟ ଗ୍ରୁପ୍‌ ବି’ରେ ନେଦରଲାଣ୍ଡ୍ସ, ଜର୍ମାନୀ, ଫ୍ରାନ୍ସ ଓ ସ୍ପେନ୍‌ ସ୍ଥାନ ପାଇଥିଲେ। ଗ୍ରୁପ୍‌ ବି’ର ଟପ୍ପର ଭାବରେ ନେଦରଲାଣ୍ଡ୍ସ ଫାଇନାଲ ଖେଳିଥିଲା। ଭାରତ ଏହାର ୪ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଅଷ୍ଟ୍ରିଆକୁ ୬-୦, ବେଲଜିୟମକୁ ୯-୦, ଡେନ୍‌ମାର୍କକୁ ୫-୦ ଓ ସୁଇଜରଲାଣ୍ଡକୁ ୬-୦ରେ ହରାଇଥିଲା। ଧ୍ୟାନଚାନ୍ଦ ଅଷ୍ଟ୍ରିଆ ବିପକ୍ଷରେ ୪, ବେଲଜିୟମ ବିପକ୍ଷରେ ୧, ଡେନ୍‌ମାର୍କ ବିପକ୍ଷରେ ୪ ଓ ସୁଇଜରଲାଣ୍ଡ ବିପକ୍ଷରେ ୪ଟି ଗୋଲ ଦେଇଥିଲେ। ୪ ମ୍ୟାଚ୍‌ରୁ ୮ ପଏଣ୍ଟ ଅର୍ଜନ କରିଥିବା ଭାରତ ଫାଇନାଲ ଖେଳିଥିଲା। ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଧ୍ୟାନଚାନ୍ଦଙ୍କ ଡବଲ୍‌ ଗୋଲ ବଳରେ ଭାରତ ୩-୦ରେ ଏହି ମ୍ୟାଚ୍‌ ଜିତି ନେଇଥିଲା। ସେହିପରି ବ୍ରୋଞ୍ଜ ପଦକ ପ୍ଲେ ଅଫ୍‌ରେ ଜର୍ମାନୀ ୩-୦ ଗୋଲରେ ବେଲଜିୟମକୁ ହରାଇଥିଲା। ସେହିପରି କୋଲକାତାର ଡିଡି ମୁଲଜି ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ।
ଏହି ଅଲିମ୍ପିକ୍ସରେ ୪୬ ଦେଶ ଅଂଶଗ୍ରହଣ କରିଥିବାବେଳେ ମୋଟ ୨୮୮୩ ଆଥ୍‌ଲେଟ ସାମିଲ ଥିଲେ। ଏହା ମଧ୍ୟରେ ୧୬୦୬ ପୁରୁଷ ଓ ୨୭୭ ମହିଳା ଖେଳାଳି ଥିଲେ। ପ୍ରତ୍ୟାବର୍ତ୍ତନରେ ଜର୍ମାନୀ ୧୦ ସ୍ବର୍ଣ୍ଣ, ୭ ରୌପ୍ୟ ଓ ୧୪ ବ୍ରୋଞ୍ଜ ସହ ମୋଟ ୩୧ ପଦକ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଥିଲା। ଆମେରିକା ୨୨ ସ୍ବର୍ଣ୍ଣ, ୧୮ ରୌପ୍ୟ ଓ ୧୬ ବ୍ରୋଞ୍ଜ ସହ ୫୬ ପଦକ ହାସଲ କରିଥିଲା। ଫିନ୍‌ଲାଣ୍ଡର କିମ୍ବଦନ୍ତୀ ଆଥ୍‌ଲେଟ ପାଭୋ ନୁର୍ମି ନିଜର ଶେଷ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। ୧୦ ହଜାର ମିଟର ଇଭେଣ୍ଟରେ ଏକ ସ୍ବର୍ଣ୍ଣ ସହ ସେ ନିଜର ଅନ୍ତିମ ତଥା ନବମ ସ୍ବର୍ଣ୍ଣ ପଦକ ଜିତିଥିଲେ। ନରଓ୍ବେର ଯୁବରାଜ ଓଲାଭ ୬ ମିଟର ସେଲିଂରେ ଅଂଶଗ୍ରହଣ କରିଥିବାବେଳେ ଏକ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପ୍ରଥମ ଥର ପାଇଁ ମହିଳା ୧୦୦ ମିଟର ରେସ୍‌କୁ ସାମିଲ କରାଯାଇଥିବାବେଳେ ଆମେରିକାର ୧୬ ବର୍ଷୀୟା ବେଟ୍ଟୀ ରବିନ୍‌ସନ୍‌ ୧୨.୨ ସେକେଣ୍ଡର ଟାଇମିଂ ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

Share