Categories: ବାଣିଜ୍ୟ

ଭାରତର ଇସ୍ପାତ ଶିଳ୍ପରେ ପ୍ରଥମ ଗ୍ରୀନ୍‌ ହାଇଡ୍ରୋଜେନ ପ୍ଲାଣ୍ଟ ଉଦ୍‌ଘାଟିତ

ନୂଆଦିଲ୍ଲୀ,୫।୩: ଭାରତର ଇସ୍ପାତ ଶିଳ୍ପରେ ପ୍ରଥମ ଗ୍ରୀନ୍‌ ହାଇଡ୍ରୋଜେନ ପ୍ଲାଣ୍ଟ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌)ର ହିସାର ୟୁନିଟରେ ଗ୍ରୀନ ହାଇଡ୍ରୋଜେନର ବ୍ୟବହାର ହୋଇଛି। ଏପରିକି ହରିୟାଣାର ହିସାରଠାରେ ଥିବା ଜେଏସଏଲ୍‌ ହିସାର ୟୁନିଟ ଦ୍ୱାରା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଏବଂ ଇସ୍ପାତ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଭାସୀ ଜରିଆରେ ଏହାର ଉଦ୍‌ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଇସ୍ପାତ୍‌ ମନ୍ତ୍ରଣାଳୟର ଶାସନ ସଚିବ ନାଗେନ୍ଦ୍ର ନାଥ ସିହ୍ନା, ଜିନ୍ଦଲ ଷ୍ଟେନ୍‌ଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ ଓ ହାଇଜେନକୋ ଗ୍ରୀନ ଏନର୍ଜି (ବୈଷୟିକ ସହଭାଗୀ)ର ସିଇଓ ଅମିତ ବଂଶଲଙ୍କ ଉପସ୍ଥିତ ଥିଲେ।
ଏନେଇ ମନ୍ତ୍ରୀ ସିନ୍ଧିଆ କହିଛନ୍ତି, ଷ୍ଟେନଲେସ ଷ୍ଟିଲ କ୍ଷେତ୍ରରେ ଭାରତର ପ୍ରଥମ ସବୁଜ ହାଇଡ୍ରୋଜେନ କାରଖାନା ଆରମ୍ଭ କରିଥିବାରୁ ମୁଁ ଉଭୟ ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ ଏବଂ ହାଇଜେନକୋକୁ ଅଭିନନ୍ଦନ ଜଣାଉଛି। ଏହି ସବୁଜ ହାଇଡ୍ରୋଜେନ ପଦକ୍ଷେପ ଇସ୍ପାତ୍‌ କ୍ଷେତ୍ରକୁ ଅଧିକ ସବୁଜ ଏବଂ ସ୍ଥାୟୀ କରିବ। ୨୦୭୦ ସୁଦ୍ଧା ନେଟ ଜିରୋ ନିର୍ଗମନ ଲକ୍ଷ୍ୟ ହାସଲ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁରଦୃଷ୍ଟି ଅନୁଯାୟୀ ଇସ୍ପାତ କ୍ଷେତ୍ର ଏକ ସବୁଜ ଭବିଷ୍ୟତ ପାଇଁ ନବୋନ୍ମେଷ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି।
ଏହି ପ୍ରକଳ୍ପକୁ ନେଇ ଆଶାବାଦୀ ଥିବା ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ସଷ୍ଟେନେବଲିଟି ପାଇଁ ଆମର ପ୍ରତିବଦ୍ଧତା ଏହି ପାଇଲଟ ପ୍ରୋଜେକ୍ଟରୁ ଊଦ୍ଧର୍‌ବରେ। ଏହା କେବଳ ଆରମ୍ଭ ମାତ୍ର ଷ୍ଟେନ୍‌ଲେସ ଷ୍ଟିଲ ଉତ୍ପାଦନର ଅନ୍ୟାନ୍ୟ ପ୍ରକ୍ରିୟାରେ ସଫଳ ପ୍ରୟୋଗକୁ ଦୃଷ୍ଟିରେ ରଖି ଆମେ ଏହାକୁ ବଢ଼ାଇବୁ। ଆମେ ଅନୁଭବ କରୁ ଯେ ସଷ୍ଟେନେବିଲିଟି କେବଳ ଏକ ଲକ୍ଷ୍ୟ ନୁହେଁ, ବରଂ ଏକ ଯାତ୍ରା, ଯାହା ନିରନ୍ତର ପ୍ରୟାସ ଏବଂ ନୂତନତ୍ୱ ଆବଶ୍ୟକ କରିଥାଏ।

Share