Categories: ବାଣିଜ୍ୟ

ରେକର୍ଡ ସ୍ତରରେ ପୁଣି ଭାରତର ବୈଦେଶିକ ମୁଦ୍ରାଭଣ୍ଡାର

ନୂଆଦିଲ୍ଲୀ,୧୪।୯ (ଅନୁରାଧା ମହାରଣା): ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପୁଣି ଥରେ ଏକ ନୂତନ ସ୍ତରରେ ପହଞ୍ଚିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଅନୁଯାୟୀ, ୨୦୨୪ ସେପ୍ଟେମ୍ବର ୬ ଶେଷ ହେବାକୁ ଥିବା ସପ୍ତାହରେ ବୈଦେଶିକ ମୁଦ୍ରା ସଂରକ୍ଷଣ ୫.୨୪ ବିଲିୟନ ଡଲାରରୁ ୬୮୯.୨୩୫ ବିଲିୟନ ଡଲାରରେ ପହଞ୍ଚିଛି ଯାହା ପୂର୍ବ ସପ୍ତାହରେ ୬୮୩.୯୮ ବିଲିୟନ ଡଲାର ଥିଲା।

ଏହି କ୍ରମରେ ପ୍ରଥମ ଥର ପାଇଁ ବୈଦେଶିକ ମୁଦ୍ରାଭଣ୍ଡାର ୬୦୦ ବିଲିୟନ ଡଲାର ଅତିକ୍ରମ କରିଛି। ବ୍ୟାଙ୍କିଙ୍ଗ୍‌ ସେକ୍ଟର ନିୟାମକ ଆର୍‌ବିଆଇ ବୈଦେଶିକ ମୁଦ୍ରାଭଣ୍ଡାର ତଥ୍ୟ ପ୍ରକାଶ କରିଛି। ଆର୍‌ବିଆଇର ଏହି ତଥ୍ୟ ଅନୁଯାୟୀ, ଚଳିତ ସପ୍ତାହ ଶେଷ ସୁଦ୍ଧା ବୈଦେଶିକ ମୁଦ୍ରା ଭଣ୍ଡାର ୫.୨୪୮ ବିଲିୟନ ଡଲାରରେ ବୃଦ୍ଧି ହୋଇ ୬୮୯.୨୩୫ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ପ୍ରଥମ ସପ୍ତାହରେ ୬୮୪ ବିଲିୟନ ଡଲାର ଥିଲା।

୫.୧୦୭ ବିଲିୟନ ଡଲାର ସହିତ ବିଦେଶୀ ମୁଦ୍ରାଭଣ୍ଡାରରେ ୬୦୪.୧୪୪ ବିଲିୟନ ଡଲାରରେ ପହଞ୍ଚିଛି। ୧୨୯ ମିଲିୟନ ଡଲାର ବୃଦ୍ଧି ସହ ଆର୍‌ବିଆଇର ଗୋଲ୍ଡ ରିଜର୍ଭ ୬୧.୯୮ ବିଲିୟନ ଡଲାରରେ ପହଞ୍ଚିଛି। ୪ ମିଲିୟନ ଡଲାର ସହ ଏସ୍‌ଡିଆର୍‌ ୧୮.୪୭୨ ବିଲିୟନ ଡଲାରରେ ପହଞ୍ଚିଛି ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରେ ଜମା ହୋଇଥିବା ୯ ମିଲିୟନ ଡଲାର ବୃଦ୍ଧି ସହ ୪.୬୩ ବିଲିୟନ ଡଲାରରେ ପହଞ୍ଚିଛି ।

ମୁଦ୍ରା ବଜାରରେ ଶୁକବ୍ରାର ଟ୍ରେଡ୍‌ରେ ଟଙ୍କା ୧ ଡଲାର ତୁଳନାରେ ୮୩.୮୯ ସ୍ତରରେ ବନ୍ଦ ହୋଇଯାଇଥିଲା। ଶୁକବାର ଟ୍ରେଡ୍‌ରେ ଟଙ୍କାରେ ୯ ପଇସା ବୃଦ୍ଧି ହୋଇଛି। ସୂଚନା ଥାଉକି, ୨୦୨୪ର ପ୍ରଥମ ୮ ମାସରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାରରେ ୬୬ ବିଲିୟନ ଡଲାରର ବୃଦ୍ଧି ଘଟିଛି। ୨୦୨୩ର ଶେଷ ସପ୍ତାହରେ, ବୈଦେଶିକ ମୁଦ୍ରା ସଂରକ୍ଷଣ ୬୨୩.୨୦ ବିଲିୟନ ଡଲାରରେ ପହଞ୍ଚିଛି। ଚଳିତ ବର୍ଷ ଲୋକ ସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଦେଶୀ ପୁଞ୍ଜି ବିନିଯୋଗ ଏବଂ ବିଶେଷ ଭାବରେ ବୈଦେଶିକ ପୋର୍ଟଫୋଲିଓ ଇନ୍‌ଭେଷ୍ଟମେଣ୍ଟ (ଏଫ୍‌ପିଆଇ)ରେ ବୃଦ୍ଧି ଘଟିଛି। ଏହି କାରଣରୁ ବୈଦେଶିକ ମୁଦ୍ରା ସଂରକ୍ଷଣରେ ରେକର୍ଡ ବୃଦ୍ଧି ହୋଇଛି।

Share