ନୂଆଦିଲ୍ଲୀ,୧୫।୩: ଭାରତର ଫରେକ୍ସ ରିଜର୍ଭ ବା ବିଦେଶୀ ମୁଦ୍ରାଭଣ୍ଡାର ଲଗାତର ଭାବେ ବଢି ଚାଲିଛି। ଏହା ରୁଷିଆକୁ ଟପି ବିଶ୍ୱର ୪ର୍ଥ ସର୍ବବୃହତ୍ ମୁଦ୍ରାଭଣ୍ଡାର ହୋଇଥିବା ଜଣାପଡିଛି। ବର୍ତ୍ତମାନ ଆର୍ବିଆଇ ବିଦେଶୀ ମୁଦ୍ରା ଗଚ୍ଛିତ କରି ରଖୁଛି। ଅର୍ଥ ବ୍ୟବସ୍ଥାରୁ ଯଦି ହଠାତ୍ କୌଣସି ସମୟରେ ଅର୍ଥ ବିଦେଶକୁ ଚାଲିଯାଏ ସେ କ୍ଷେତ୍ରରେ ସ୍ଥିତି ସମ୍ଭାଳିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ପଦକ୍ଷେପ ହାତକୁ ନେଇଛି। ଉଭୟ ଦେଶର ବିଦେଶୀ ମୁଦ୍ରାଭଣ୍ଡାର ଲଗାତର ବଢିବା ପରେ ବର୍ତ୍ତମାନ ସ୍ଥିର ରହିଛି। ମାତ୍ର ଗତ କିଛି ସପ୍ତାହ ହେବ ରୁଷିଆ ବିଦେଶୀ ମୁଦ୍ରାଭଣ୍ଡାର କମିଥିବା ଜଣାପଡିଛି। ଏଭଳି ସ୍ଥିତିରେ ଭାରତୀୟ ମୁଦ୍ରାଭଣ୍ଡାରରେ ସ୍ଥିତାବସ୍ଥା ଜାରି ରହିଛି।
ସୂଚନା ମୁତାବକ, ଭାରତର ବିଦେଶୀ ମୁଦ୍ରାଭଣ୍ଡାର ୪.୩ ବିଲିୟନ ଡଲାର ହ୍ରାସ ହେବା ଫଳରେ ୫୮୦.୩ ବିଲିୟନ ଡଲାର ସ୍ତରରେ ରହିଛି। ସେହିଭଳି ରୁଷିଆ ବିଦେଶୀ ମୁଦ୍ରାଭଣ୍ଡାରରେ ୫୮୦.୧ ବିଲିୟନ ଡଲାର ରହିଛି। ଚାଇନା ବିଦେଶୀ ମୁଦ୍ରା ଭଣ୍ଡାର ବିଶ୍ୱର ସବୁଠାରୁ ବଡ଼ ହୋଇଥିବା ବେଳେ ଏହା ପରେ ଜାପାନ, ତୃତୀୟରେ ସ୍ବିଜରଲାଣ୍ଡ ଏବଂ ଚତୁର୍ଥରେ ଭାରତ ରହିଛି। ଭାରତ ନିକଟରେ ଯେତେ ପରିମାଣର ବିଦେଶୀ ମୁଦ୍ରା ରହିଛି ଏହା ୧୮ ମାସର ଆମଦାନୀକୁ ପରିଚାଳନା କରିବାରେ ସହାୟକ ହେବ ବୋଲି ଏକ ରିପୋର୍ଟରେ କୁହାଯାଇଛି। ସ୍ଥାନୀୟ ପୁଞ୍ଜି ବଜାର, ବିଦେଶୀ ପୁଞ୍ଜି ନିବେଶ ଏବଂ ଚଳନ୍ତି ଖାତା ନିଅଣ୍ଟ କ୍ଷେତ୍ରରେ ମଧ୍ୟ ବଳକା ସ୍ଥିତି ଦେଖାଯାଇଛି।
ଗତ ୪ ଦଶନ୍ଧି ମଧ୍ୟରେ ଭାରତୀୟ ଅର୍ଥ ବ୍ୟବସ୍ଥା ସବୁଠାରୁ ଖରାପ ସ୍ଥିତିରେ ରହିଛି। କରୋନା ମହାମାରୀ ବଜାରକୁ କ୍ଷତିଗ୍ରସ୍ତ କରିବା ଫଳରେ ଚଳିତ ଆର୍ଥତ୍କ ବର୍ଷରେ ଅଭିବୃଦ୍ଧି ଋଣାତ୍ମକ ରହିବ। ମାତ୍ର ବିଦେଶୀ ମୁଦ୍ରାଭଣ୍ଡାର ଦୃଢ ରହିବା କାରଣରୁ ବିଦେଶୀ ନିବେଶକ ଏବଂ କ୍ରେଡିଟ ରେଟିଂ ଏଜେନ୍ସିଗୁଡିକ ଭାରତ ପ୍ରତି ଏକ ସକାରାତ୍ମକ ମନୋଭାବ ସୃଷ୍ଟି କରିବ। ଏହି ପରିପ୍ରେକ୍ଷୀରେ ଡଚ୍ ବ୍ୟାଙ୍କର ଘରୋଇ ବଜାର ଲାଗି ମୁଖ୍ୟ ଅର୍ଥନୀତିଜ୍ଞ କୌଶିକ ଦାସ କହିଛନ୍ତି, ଗତ କିଛିବର୍ଷ ହେବ ଭାରତର ବିଦେଶୀ ମୁଦ୍ରାଭଣ୍ଡାର ଲଗାତର ବଢୁଛି। ଏହି ସ୍ଥିତି ଉନ୍ନତ ରହିଲେ ବାହ୍ୟ ଚାପରୁ ମୁକିଳିବାକୁ ଭାରତ ସକ୍ଷମ ହୋଇପାରିବ। ଗତ ବର୍ଷ ଆର୍ବିଆଇ ୮୮ ବିଲିୟନ ଡଲାର କିଣିଥିଲା। ମୁଦ୍ରାଭଣ୍ଡାରକୁ ଦୃଢ କରିବା ଲାଗି ଆର୍ବିଆଇ ଏହାର ରିପୋର୍ଟରେ କହିଥିଲା। ବାହ୍ୟ ଚାପରୁ ମୁକୁଳିବା ଲାଗି ସାରା ବିଶ୍ୱର ଅଭିବୃଦ୍ଧିଶୀଳ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସେମାନଙ୍କ ବିଦେଶୀ ମୁଦ୍ରାଭଣ୍ଡାରକୁ ଦୃଢ଼କରନ୍ତୁ ବୋଲି ଆର୍ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଥିଲେ।