ଯୁବବର୍ଗଙ୍କ ହାତରେ ଭାରତର ଭବିଷ୍ୟତ: ଜାତିସଂଘରେ ଚର୍ଚ୍ଚା…

ଜେନେଭା,୨।୧୨: ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ଏକ କାର୍ଯ୍ୟକ୍ରମରେ ତାଙ୍କ ଅଭିଭାଷଣରେ କହିଛନ୍ତି ଭାରତର ଯୁବବର୍ଗଙ୍କ ଜନସଂଖ୍ୟା ବିଶ୍ୱରେ ସର୍ବାଧିକ। କାମ୍ବୋଜ କହିଛନ୍ତି ଆମର ଯୁବବର୍ଗମାନେ ଭବିଷ୍ୟତ ଗଠନ କରୁଛନ୍ତି ଏବଂ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାକୁ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି। ମିଳିତ ଜାତିସଂଘରେ ୧ଏମ୧ବି ଆକ୍ଟିଭେଟ ଇମ୍ପାକ୍ଟ ସମ୍ମିଳନୀରେ ତାଙ୍କ ଅଭିଭାଷଣରେ ରୁଚିରା କାମ୍ବୋଜ କହିଛନ୍ତି ପରିବର୍ତ୍ତନ ପାଇଁ ଯୁବ ଶକ୍ତିର କ୍ଷମତା ଉପରେ ଭାରତ ଦୃଢ଼ ବିଶ୍ୱାସ କରେ।

୨୦୩୦ ସୁଦ୍ଧା ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ଶକ୍ତି ଉତ୍ସ, ମୌଳିକତା ଏବଂ ଯୁବପିଢ଼ିଙ୍କ ଅଭିନବତା ଗୁରୁତ୍ୱପୂର୍ଣ୍ଣ। ସବୁଠାରୁ ଅଧିକ ଯୁବବର୍ଗଙ୍କ ଜନସଂଖ୍ୟା ବିଶିଷ୍ଟ ଦେଶ ମଧ୍ୟରୁ ଭାରତ ଅନ୍ୟତମ ଏବଂ ଆମେ କେବଳ ଭବିଷ୍ୟତକୁ ଦେଖୁନାହୁଁ ବରଂ ଭବିଷ୍ୟତକୁ ପୁନର୍ନିର୍ମାଣ କରୁଛୁ। କୃଷି ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଭାରତୀୟ ଯୁବବର୍ଗମାନଙ୍କ ଦ୍ୱାରା କରାଯାଉଥିବା ଉଦ୍ଭାବନଗୁଡ଼ିକ ଟେକ୍ନୋଲୋଜିରେ କିପରି ଉନ୍ନତି ଆଣିପାରିବ ଏବଂ ଚ୍ୟାଲେଞ୍ଜ ଗୁଡିକ କିପରି ସୁଯୋଗରେ ପରିଣତ ହୋଇପାରିବ ତାହାର ଏକ ଉତ୍ତମ ଉଦାହରଣ ସୃଷ୍ଟି କରୁଛନ୍ତି।

ଜାତିସଂଘର ଗ୍ଲୋବାଲ ଯୋଗାଯୋଗ ବିଭାଗ ଏନଜିଓ ୧ଏମ୧ବି ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗ୍ଲୋବାଲ କମ୍ୟୁନିକେଶନର ଆଉଟରିଚର ନିର୍ଦ୍ଦେଶକ ମେହେର ନାସିର ମଧ୍ୟ ସହମତ ହୋଇଛନ୍ତି ଭାରତ ଏକ ଯୁବ ଜନସଂଖ୍ୟା ବିଶିଷ୍ଟ ଦେଶ। ସେ କହିଛନ୍ତି ଜାପାନର ହାରାହାରି ବୟସ ୪୮ ବର୍ଷ, ୟୁରୋପର ବୟସ ୪୪ ବର୍ଷ ଏବଂ ଆମେରିକାର ହାରାହାରି ବୟସ ୩୯ ବର୍ଷ। ଯେତେବେଳେ କି ଭାରତର ହାରାହାରି ବୟସ ୨୮ ବର୍ଷ ରହିଛି।

 

Share