Categories: ଜାତୀୟ

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଭାରତର ଲକ୍ଷ୍ୟ: ମୋଦି

ନୂଆଦିଲ୍ଲୀ,୨୨।୨: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଲକ୍ଷ୍ୟ ନେଇ ଭାରତ ନିରନ୍ତର ଉଦ୍ୟମ ଜାରି ରଖିଛି। ପୃଥିବୀରେ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ କ୍ଷେତ୍ରରେ ଭାରତ ଆଗରେ ରହିଛି। ତେବେ ଏବେ ଦେଶ ସ୍ବଦେଶୀ ଜ୍ଞାନକୌଶଳର ଉପଯୋଗ କରିବା ଉପରେ ଗୁରୁତ୍ୱାରୋପ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ଭିଡ଼ିଓ କନଫରେନ୍ସିଂରେ ଯୋଗାଦେଇ ସୂଚନା ଦେଇଛନ୍ତି। ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ଆବଣ୍ଟିତ କରାଯାଇଥିବା ଅର୍ଥର ପ୍ରଭାବଶାଳୀ କାର୍ଯ୍ୟକାରିତା ସମ୍ପର୍କିତ ଆଲୋଚନା ଚକ୍ରରେ ମୋଦି ଏଭଳି କହିଛନ୍ତି। ଭାରତ ସ୍ବଦେଶୀ ଜ୍ଞାନକୌଶଳରେ ତେଜସ୍‌ ଯୁଦ୍ଧ ବିମାନ ନିର୍ମାଣ କରି ନିଜର କ୍ଷମତାକୁ ପ୍ରତିପାଦିତ କରି ପାରିଛି। ଦେଶ ସ୍ବାଧୀନ ହେବାପରେପ୍ରଥମ ଥର ଲାଗି ପ୍ରତିରକ୍ଷା କ୍ଷେତ୍ରରେ ପ୍ରାଇଭେଟ ସେକ୍ଟରକୁ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତ ସାମରିକ ଅସ୍ତ୍ରଶସ୍ତ୍ର ଗୋଳାବାରୁଦ ଯୋଗାଇବାରେ ଖ୍ୟାତି ହାସଲ କରିଥିଲା। ମାତ୍ର ସ୍ବାଧୀନତା ପରେ ଏହି କ୍ଷେତ୍ରକୁ ସଶକ୍ତ କରାଯାଇ ପାରି ନ ଥିଲା। ଏବେ ଏନେଇ ଯୋଜନାବଦ୍ଧ ଭାବେ କାର୍ଯ୍ୟଧାରା ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାର ଆମଦାନୀ କରାଯାଉଥିବା ୧୦୦ଟି ସରଞ୍ଜାମର ତାଲିକା ପ୍ରସ୍ତୁତ କରିଛନ୍ତି। ଏସବୁ ସରଞ୍ଜାମକୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ ପାଇଁ ଉଦ୍ୟମ ଅବ୍ୟାହତ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Share