ନୂଆଦିଲ୍ଲୀ, ୧୪।୪ : ଆମେରିକାର ବୈଦେଶିକ ବିଭାଗ ମାନବ ଅଧିକାର ରିପୋର୍ଟ-୨୦୨୧ପ୍ରକାଶ କରିଛି। ଏହି ରିପୋର୍ଟରେ ଭାରତରେ ମନଇଚ୍ଛା ଗିରଫ, ହାଜତ ମୃତ୍ୟୁ, ଧାର୍ମିକ ହିଂସା, ବାକ୍ ସ୍ବାଧୀନତା ଉପରେ ପ୍ରତିବନ୍ଧକ, ଗଣମାଧ୍ୟମର କଣ୍ଠରୋଧ, ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଅତ୍ୟଧିକ ପ୍ରତିବନ୍ଧକ ଆଇନ ଲାଗୁ କରାଯାଉଛି।
ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଏହି ସମସ୍ତ ପ୍ରତିବନ୍ଧକକୁ ନେଇ ସ୍ବର ଉତ୍ତୋଳନ କରାଯାଇଛି, କିନ୍ତୁ ଏହା ସତ୍ତ୍ୱେ କେନ୍ଦ୍ର ସରକାର କୌଣସି ଜବାବ ତଲବ କରି ନାହାଁନ୍ତି। ଏଥିସହିତ ରିପୋର୍ଟରେ ଚାଇନାର ରାଜନୈତିକ ବ୍ୟବସ୍ଥା ଏବଂ ମାନବିକ ଅଧିକାରର ପରିସ୍ଥିତି ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ତେବେ ଚାଇନା ଏନେଇ କଡ଼ା ଜବାବ୍ ଦେଇଛି।
ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତର ଉଭୟ ସ୍ଥାନୀୟ ତଥା ଜାତୀୟ ସ୍ତରରେ ସରକାରୀ କର୍ମଚାରୀମାନେ ଶାରୀରିକ ନିର୍ଯାତନା ତଥା ଆକ୍ରମଣ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଗଣମାଧ୍ୟମ ତଥ୍ୟ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭୟଭୀତ କରିବାରେ ଜଡିତ ଅଛନ୍ତି। ଏପ୍ରିଲ ୧୨ ରେ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏହି ରିପୋର୍ଟକୁ ଆମେରିକା କଂଗ୍ରେସରେ ଦାଖଲ କରିଛନ୍ତି।
ରିପୋର୍ଟ ଅନୁଯାୟୀ, ଭାରତରେ ଅଣ-ସରକାରୀ ସଂଗଠନ (ଏନଜିଓ) ଅଭିଯୋଗ କରିଛନ୍ତି ଯେ ୨୦୨୧ରେ ସରକାରଙ୍କୁ ସମାଲୋଚନା କରୁଥିବା ସାମ୍ବାଦିକମାନଙ୍କୁ ଭୟଭୀତ କରିବା ପାଇଁ ସେମାନଙ୍କ ବିରୋଧ ଅପରାଧିକ ମାମଲା ରୁଜୁ କରାଯାଇଥିଲା। ଦିଶା ରବି, କବି ବରବରା ରାଓଙ୍କ ହେପାଜତଙ୍କୁ ନେଇ ରିପୋର୍ଟ ପ୍ରଶ୍ନ ଉଠାଯାଇଛି।
ଫେବୃଆରୀ ୨୦୨୧ ରେ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି, ମାନବାଧିକାର କର୍ମୀ ହିଡେମ ମାର୍କାମ ଏବଂ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଜେଲରେ ରଖାଯାଇଥିଲା। ଏହାର ବାରମ୍ବାର ଉଲ୍ଲେଖ ରିପୋର୍ଟରେ କରାଯାଇଛି।
ଏହା ବ୍ୟତୀତ ଭୀମ କୋରେଗାଓଁ ମାମଲାକୁ ବିରୋଧ କରି ୧୫ ଜଣ କାର୍ଯ୍ୟକର୍ତ୍ତାଙ୍କୁ କିପରି ଅଟକ ରଖାଯାଇଥିଲା,ସେ ସମ୍ପର୍କରେ ରିପୋର୍ଟରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ମାମଲାରେ ଅଧିକାଂଶ କାର୍ଯ୍ୟକର୍ତ୍ତାଙ୍କ ଜାମିନ ନାମଞ୍ଜୁର କରାଯାଇଥିଲା।
ଏହି ରିପୋର୍ଟରେ ୮୧ ବର୍ଷିୟ କବି ବାରବରା ରାଓ ଏବଂ ଷ୍ଟେନ ସ୍ବାମୀଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ଅଣଦେଖା ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଯାହା ପରେ ଷ୍ଟେନଙ୍କର କିଛି ଦିନ ପରେ ମୃତୂ୍ୟ ଘଟିଥିଲା।
ପେଗାସସ ମାଲୱେୟାର ସଫ୍ଟୱେୟାର ସାହାଯ୍ୟରେ ଭାରତରେ ସାମ୍ବାଦିକମାନଙ୍କର ବ୍ୟକ୍ତିଗତ ତଥ୍ୟ ଉପରେ ନଜର ରଖାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ମାର୍ଚ୍ଚରେ ପ୍ରକାଶିତ ଜାତୀୟ ନିର୍ଯାତନା ଅଭିଯାନ ଅନୁଯାୟୀ, ୨୦୨୦ରେ ୧୧୧ ଜଣଙ୍କର ପୋଲିସ ହେପାଜତରେ ମୃତ୍ୟୁ ଘଟିଛି। ରିପୋର୍ଟରେ କୁହାଯାଇଛି ମୃତକଙ୍କ ମଧ୍ୟରୁ ୮୨ ଜଣଙ୍କର ନିର୍ଯାତନା ଯୋଗୁ ମୃତ୍ୟୁ ହୋଇଛି।
ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏହାର ଜବାବରେ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ବିଷୟରେ ଭାରତର ଚିନ୍ତା ମଧ୍ୟ ସମାନ। ଦ୍ୱିପାକ୍ଷିକ ଆଲୋଚନାରେ ମାନବ ଅଧିକାର ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ନାହିଁ ବୋଲି ଏସ ଜୟଶଙ୍କର କହିଛନ୍ତି।