ନୂଆଦିଲ୍ଲୀ,୨୧।୯: ଭାରତରେ ଅକ୍ଷୟ ଶକ୍ତି ଉତ୍ପାଦନ ବଢ଼ିଥିଲେ ମଧ୍ୟ ଏବେ ବି ଏହା ୧.୫ ଡିଗ୍ରୀ ସେଲସିୟସ୍ ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହୋଇନାହଁି। ତାପଜ ବିଦ୍ୟୁତ୍ ଉତ୍ପାଦନରେ ମଧ୍ୟ ଦେଶ ପଛୁଆ ରହିଥିବା ମଙ୍ଗଳବାର ଜଳବାୟୁ ଆକ୍ସନ ଟ୍ରାକର ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ବିକାଶଶୀଳ ଦେଶଗୁଡ଼ିକର ଦାୟିତ୍ୱକୁ ଅଣଦେଖା କରାଯାଇଛି ବୋଲି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ କହିଛି।
ଏହି ରିପୋର୍ଟ ସ୍ବୟଂଶାସିତ ଗବେଷକ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହା ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ନିୟମ ଓ ପ୍ୟାରିସ ଚୁକ୍ତିନାମାକୁ ମଧ୍ୟ ଉଲ୍ଲଂଘନ କରୁଛି। ଗ୍ଲୋବାଲ ଓ୍ବାର୍ମିଂକୁ ୧.୫ ଡିଗ୍ରୀ ତଳେ ରଖିବାକୁ ଦୃଷ୍ଟିରେ ରଖି ୧୬ଟି ଦେଶ ସେମାନଙ୍କ ବିଦ୍ୟୁତ୍ ଉତ୍ପନ୍ନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଭାବେ ପ୍ରଦୂଷଣମୁକ୍ତ କରିବା ଲାଗି ଯୋଜନା କରୁଛନ୍ତି। ଅଷ୍ଟ୍ରେଲିଆ, ବ୍ରାଜିଲ, ଚିଲି, ଚାଇନା, ଇୟୁ୨୭, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଜାପାନ, ମେକ୍ସିକୋ, ତୁର୍କୀ, ଦକ୍ଷିଣ ଆଫ୍ରିକା, ବ୍ରିଟେନ, ଆମେରିକା ସମେତ ୧୬ଟି ଦେଶ ଏହି ତାଲିକାରେ ରହିଛନ୍ତି। ବିକଶିତ ରାଷ୍ଟ୍ରଗୁଡ଼ିକ ୨୦୩୦ ସୁଦ୍ଧା କୋଇଲା ଓ ୨୦୩୫ ସୁଦ୍ଧା ଗ୍ୟାସ୍ ଉପରେ ନିର୍ଭରଶୀଳତା କମ୍ କରିବାକୁ ପ୍ୟାରିସ୍ ଚୁକ୍ତିନାମାରେ କୁହାଯାଇଛି।
ସେହିପରି ବିକାଶଶୀଳ ଦେଶଗୁଡ଼ିକ ୨୦୪୦ ସୁଦ୍ଧା କୋଇଲା ଓ ଜୀବାଶ୍ମ ଇନ୍ଧନ ବ୍ୟବହାର କମ୍ କରିବା ପାଇଁ କୁହାଯାଇଛି। ଏଥିପାଇଁ ସେହି ଦେଶଗୁଡ଼ିକୁ ଅନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ଆର୍ଥତ୍କ ସହାୟତା ପ୍ରଦାନ କରିବେ। ଫଳରେ ସାରା ବିଶ୍ୱରେ ଆଗାମୀ କିଛି ବର୍ଷ ପରେ ପ୍ରଦୂଷଣମୁକ୍ତ ଶକ୍ତି ଉତ୍ପନ୍ନ ହୋଇପାରିବ ବୋଲି କୁହାଯାଇଛି। ଏହି ଆକଳନ ଅନୁସାରେ ୨୦୩୫ ସୁଦ୍ଧା ବିଶ୍ୱର ଅଧିକାଂଶ ଦେଶ ୮୦% ବିଦ୍ୟୁତ୍ ଅକ୍ଷୟଶକ୍ତି ଉତ୍ସରୁ ଉତ୍ପନ୍ନ କରୁଥିବେ। ଏହା ୨୦୫୦ ସୁଦ୍ଧା ଶତ ପ୍ରତିଶତ ହୋଇପାରିବ। ଭାରତ ଓ ଚାଇନା ବର୍ତ୍ତମାନ ବିଦ୍ୟୁତ୍ ଶକ୍ତି ପାଇଁ ଅକ୍ଷୟଶକ୍ତି ଉତ୍ସ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି।
ତେବେ ଏଥିପାଇଁ ଦୀର୍ଘମିଆଦୀ ସୂତ୍ରରେ କାର୍ଯ୍ୟ କରିବାକୁ ପଡ଼ିବ। ସେହିପରି ଜର୍ମାନୀ ଓ ଚିଲି ମଧ୍ୟ ଅକ୍ଷୟ ଶକ୍ତି ଉତ୍ସରୁ ବିଦ୍ୟୁତ୍ ଉତ୍ପନ୍ନ କରିବା ଦିଗରେ କାମ କରୁଛନ୍ତି। ଭାରତ ଅକ୍ଷୟ ଶକ୍ତି ଉତ୍ସରୁ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରିବାରେ ଅଗ୍ରଣୀ ଭୂମିକା ନେଇଛି। ଦଶନ୍ଧି ଶେଷ ସୁଦ୍ଧା ସୌର ଉତ୍ସରୁ ୩୦୦ ଗିଗା ଓ୍ବାଟ ଏବଂ ପବନ ଉତ୍ସରୁ ୮୦ ଗିଗା ଓ୍ବାଟ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି।