Categories: ଖେଳ

ଭାରତ ପଦକ ସଂଖ୍ୟା ୫୦ ଟପିଲା

ହାଙ୍ଗଝୋ,୨ା୧୦(ପି.ଟି.): ରବିବାର ଏସିଆନ୍‌ ଗେମ୍ସରେ ଭାରତୀୟ ଆଥଲେଟ ମାନେ ୩ ସ୍ବର୍ଣ୍ଣ ସହିତ ୧୫ ପଦକ ବିଜୟୀ ହୋଇଥିବା ବେଳେ ଓଡ଼ିଶା ଆଥଲେଟିକ୍ସ ହାଇ ପର୍ଫମାନ୍ସ ସେଣ୍ଟରରେ ଅଭ୍ୟାସ କରୁଥିବା ଜ୍ୟୋତି ୟାରାଜୀ ୧୦୦ ମିଟର ବାଧାଦୌଡରେ ଏକ ରୌପ୍ୟ ପଦକ ଜିତିଛନ୍ତି। ତେବେ ଏହି ଦୌଡଟି ଅତ୍ୟନ୍ତ ବିବାଦୀୟ ରହିଥିଲା। ଆରମ୍ଭରୁ ଫଲ୍ସ ଷ୍ଟାର୍ଟ ପାଇଁ ଜ୍ୟୋତି ଓ ଚାଇନାର ଉ ୟାନିଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ପରେ ଉଭୟ ଆଥଲେଟଙ୍କୁ ଦୌଡିବାର ସୁଯୋଗ ମିଳିଥିଲା। ଚାଇନାର ଲୁ ଉଏଇ ୧୨.୭୪ ସେକେଣ୍ଡର ଟାଇମିଂ ସହିତ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୟାନି(୧୨.୯୧) ଦ୍ୱିତୀୟ ଓ ୟାରାଜୀ(୧୩.୦୪ ) ତୃତୀୟ ସ୍ଥାନରେ ରହିଥିଲେ। ତେବେ ଆଥଲେଟିକ୍ସ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ(ଏଏଫ୍‌ଆଇ) ପକ୍ଷରୁ ଅଭିଯୋଗ କରାଯିବା ପରେ ବୈଷୟିକ ନିୟମ ୧୬.୮ ଆଧାରରେ ୟାନିଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଫଳସ୍ବରୂପ ଜ୍ୟୋତି ୟାରାଜୀଙ୍କ ବ୍ରୋଞ୍ଜ ପଦକ ରୌପ୍ୟରେ ପରିଣତ ହୋଇଥିଲା। ଏହି ନିୟମ ଅନୁସାରେ ଯେଉଁ ଖେଳାଳି ସର୍ବପ୍ରଥମେ ଫଲ୍ସ ଷ୍ଟାର୍ଟ କରିଥାନ୍ତି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଏ। ଫଳରେ ୟାନି ଅଯୋଗ୍ୟ ଘୋଷିତ ହୋଇଥିଲେ।
୧୫୦୦ ମିଟର ମହିଳା ଦୌଡରେ ହରମିଲନ ବେନ୍ସ ୪:୧୨.୪୭ ସେକେଣ୍ଡର ଟାଇମିଂ ସହିତ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ୧୫୦୦ ମି. ପୁରୁଷ ବର୍ଗରେ ଅଜୟ କୁମାର ସରୋଜ(୩:୩୮.୯୪) ଓ ଜିନସନ୍‌ ଜନସନ୍‌(୩:୩୯.୭୪) ସେକେଣ୍ଡର ସମୟ ସହିତ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଭେଟେରାନ ଡିସ୍‌କସ୍‌ ଥ୍ରୋୟର ସୀମା ୫୮.୬୨ ମିଟର ଥ୍ରୋ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୪୦ ବର୍ଷୀୟା ସୀମା ନିଜର ଅନ୍ତିମ ଏସିଆନ ଗେମ୍ସ ଖେଳୁଥିବା ବେଳେ ବୟସ୍କ ଭାରତୀୟ ମହିଳା ଭାବରେ ପଦକ ଜିତିଛନ୍ତି। ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର ୮.୧୯ ମିଟରର ଜମ୍ପ ସହିତ ରୌପ୍ୟ ପଦକ ହାସଲ କରିବାରେ ସମର୍ଥ ହୋଇଛନ୍ତି। ହେପ୍ଟାଥ୍ଲନରେ ଭାରତର ନନ୍ଦିନୀ ଆଗାସରା ୫୭୧୨ ପଏଣ୍ଟ ସହିତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

Share