Categories: ଜାତୀୟ

୧୨୨ ବର୍ଷ ପରେ ସବୁଠାରୁ ଉତ୍ତପ୍ତ ରହିଲା ଫେବୃୟାରୀ

ନୂଆଦିଲ୍ଲୀ,୧ ।୩: ଚଳିତ ବର୍ଷ ମେ’ରେ ସବୁଠାରୁ ଅଧିକ ଗରମ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଏହାର ସାମାନ୍ୟ ଝଲକ ଦେଇଛି ଫେବୃୟାରୀ । ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗ କହିଛି ୧୨୨ ବର୍ଷ ପରେ ୨୦୨୩ରେ ଫେବୃୟାରୀ ପଛ ରେକର୍ଡକୁ ଭାଙ୍ଗି ଦେଇଛି । ୧୯୦୧ ପରେ ଚଳିତ ବର୍ଷର ଫେବୃୟାରୀ ମାସ ସବୁଠାରୁ ଉତ୍ତପ୍ତ ଥିଲା । ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ଦିନରେ ଆସୁଥିବା ଭବିଷ୍ୟବାଣୀ ମଧ୍ୟ ଡରାଇ ଦେଉଛି । ବିଭାଗ ପକ୍ଷରୁ ଭୟଙ୍କର ଲୁ ଆସିବାର ଚେତାବନୀ ଦିଆଯାଇଛି ।
ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଭାରତ ୧୯୦୧ ପରେ ସବୁଠାରୁ ଗରମ ଫେବୃୟାରୀରେ ଅନୁଭୁତ ହୋଇଛି । ଆଇଏମଡିର ହାଇଡ୍ରୋମେଟ ଓ ଏଗ୍ରୋମେଟ ଆଡଭାଇଜରୀ ସର୍ଭିସେସର ମୁଖ୍ୟ ବୈଜ୍ଞାନିକ ଏସ.ସି ଭାନଙ୍କ ଅନୁଯାୟୀ, ପାଣିପାଗ ବିଭାଗ ମାର୍ଚ୍ଚ, ଏପ୍ରିଲ ଓ ମେ’ରେ ଦେଶର ଅଧିକାଂଶ ସ୍ଥାନରେ ଭୟଙ୍କର ଲୁ ପଡିବାର ଅନୁମାନ କରାଯାଇଛି । ଭାନ କହିଛନ୍ତି ସମ୍ପୂର୍ଣ୍ଣ ବିଶ୍ୱ ଏବେ ଗ୍ଲୋବାଲ ୱାର୍ମିଂର ଶିକାର ହୋଇଛି । ଆମେ ଏକ ଉତ୍ତପ୍ତ ବିଶ୍ୱରେ ରହୁଛୁ ।
ସେ କହିଛନ୍ତି ମାର୍ଚ୍ଚରେ ଲୁ ର ସମ୍ଭାବନା କମ ଥିବା ବେଳେ ଏପ୍ରିଲ ଓ ମେ’ରେ ଚରମ ପାଣିପାଗ ସ୍ଥିତି ଅନୁଭୁତ ହୋଇପାରେ । ସୂଚନାଯୋଗ୍ୟ, ୧୮୭୭ ପରେ ଚଳିତ ବର୍ଷ ଫେବୃୟାରୀ ସବୁଠାରୁୁ ଗରମ ରହିଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ୨୯.୫୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗ ଏହାକୁ ଗ୍ଲୋବାଲ ୱାର୍ମିଂ ସହ ଯୋଡିଛି ।

Share