Categories: ଖେଳ

ଆଖିବୁଜିଲେ ଭାରତର ସବୁଠୁ ବୟୋଜ୍ୟେଷ୍ଠ କ୍ରିକେଟର

ନୂଆଦିଲ୍ଲୀ,୧୩।୨: ପୂର୍ବତନ ଭାରତୀୟ ଅଧିନାୟକ ତଥା ଦେଶର ସବୁଠୁ ବୟୋଜ୍ୟେଷ୍ଠ କ୍ରିକେଟର ଦତ୍ତାଜିରାଓ ଗାଇକ୍ୱାଡ ଦୁନିଆରୁ ବିଦାୟ ଦେଇଛନ୍ତି। ବୟସ ସମ୍ବନ୍ଧୀୟ ରୋଗ ହେତୁ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି। ଦତ୍ତାଜିରାଓ ଗାଏକ୍ୱାଡ ୧୯୫୨ରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ ଏବଂ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ୧୯୬୧ରେ ଚେନ୍ନାଇରେ ପାକିସ୍ତାନ ବିପକ୍ଷରେ ହୋଇଥିଲା। ସେ ପୂର୍ବତନ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ତଥା ଜାତୀୟ କୋଚ ଅଂଶୁମାନ ଗାଇକ୍ୱାଡଙ୍କ ପିତା ଥିଲେ। ୯୫ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।
୧୨ଦିନ ଧରି ବରୋଦାସ୍ଥିତ ଏକ ହସ୍ପିଟାଲର ଆଇସିୟୁ (ଇଣ୍ଟେନ୍ସିଭ କେୟାର ୟୁନିଟ) ରେ ଜୀବନ ପାଇଁ ସଂଗ୍ରାମ କରିବା ପରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ୧୯୫୨ ରୁ ୧୯୬୧ ମଧ୍ୟରେ ଭାରତ ପାଇଁ ୧୧ଟି ଟେଷ୍ଟ ଖେଳିଥିଲେ। ସେ ୧୯୫୯ରେ ଇଂଲଣ୍ଡ ଗସ୍ତରେ ଜାତୀୟ ଦଳର ଅଧିନାୟକ ମଧ୍ୟ ହୋଇଥିଲେ।
ଡାହାଣହାତୀ ବ୍ୟାଟ୍ସମ୍ୟାନ ଦତ୍ତାଜିରାଓ ଗାଏକ୍ୱାଡ ୧୯୫୨ରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ ଏବଂ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ୧୯୬୧ରେ ଚେନ୍ନାଇରେ ପାକିସ୍ତାନ ବିପକ୍ଷରେ ହୋଇଥିଲା। ଗାଇକ୍ୱାଡ ୧୯୪୭ ରୁ ୧୯୬୧ ପର୍ଯ୍ୟନ୍ତ ରଣଜୀ ଟ୍ରଫିରେ ବରୋଦାରୁ ପ୍ରତିନିଧିତ୍ୱ କରିଥିଲେ। ସେ ହାରାହାରି ୪୭.୫୬ ରେ ୩୧୩୯ ରନ ସ୍କୋର କରିଥିଲେ, ଏଥିରେ ୧୪ ଶତକ ସାମିଲ ଥିଲା। ୧୯୫୯-୬୦ ସିଜନରେ ମହାରାଷ୍ଟ୍ର ବିପକ୍ଷରେ ତାଙ୍କର ସର୍ବାଧିକ ସ୍କୋର ଅପରାଜିତ ୨୪୯ ଥିଲା। ସେ ୨୦୧୬ରେ ଭାରତର ସବୁଠୁ ବୟୋଜ୍ୟେଷ୍ଠ ଟେଷ୍ଟ କ୍ରିକେଟର ହୋଇଥିଲେ। ତାଙ୍କ ପୂର୍ବରୁ ଦୀପକ ଶୋହନ ସବୁଠୁ ବୟୋଜ୍ୟେଷ୍ଠ ଟେଷ୍ଟ କ୍ରିକେଟର ଥିଲେ। ପୂର୍ବତନ ବ୍ୟାଟ୍ସମ୍ୟାନ ଶୋହନଙ୍କର ୮୭ ବର୍ଷ ବୟସରେ ଅହମ୍ମଦାବାଦରେ ମୃତ୍ୟୁ ହୋଇଥିଲା।

Share