କୋଇଲା ଫେଜ୍‌ ଆଉଟ୍‌କୁ ଭାରତର ବିରୋଧ

ଦୁବାଇ,୪ା୧୨(ପି.ଟି.): ୨୦୩୦ ସୁଦ୍ଧା କୋଇଲା ବ୍ୟବହାରକୁ ପର୍ଯ୍ୟାୟକ୍ରମେ ବାଦ୍‌ ଦେଇ ବୈଶ୍ୱିକ ପୁନଃନବୀକରଣଯୋଗ୍ୟ ଶକ୍ତି ସାମର୍ଥ୍ୟ ୩ ଗୁଣ ବଢ଼ାଇବା ପାଇଁ ଅଣାଯାଇଥିବା ସଂକଳ୍ପରେ ସ୍ବାକ୍ଷର କରିବାରୁ ଭାରତ ଦୂରେଇ ରହିଛି। ପର୍ଯ୍ୟାୟକ୍ରମେ କୋଇଲା ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ସର୍ତ୍ତକୁ ନୂଆଦିଲ୍ଲୀ ସମର୍ଥନ କରୁ ନ ଥିବା ଭାରତୀୟ ପ୍ରତିନିଧିଙ୍କ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ଜି୨୦ ସମିଟ୍‌ରେ ଏହାର ଅଧ୍ୟକ୍ଷତା କରୁଥିବା ଭାରତ ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ ବଢ଼ାଇବା ଲାଗି ପ୍ରତିଶ୍ରୁତିବଦ୍ଧ ଥିଲା। ଅଥଚ କପ୍‌୨୮ରେ ବିଶ୍ୱର ଅକ୍ଷୟ ଶକ୍ତି ସାମର୍ଥ୍ୟ ୨୦୩୦ ସୁଦ୍ଧା ତିନିଗୁଣ ବଢ଼ାଇବା ପାଇଁ ୧୧୮ଟି ଦେଶ ପ୍ରତିଶ୍ରୁତିବଦ୍ଧ ହୋଇଥିବାବେଳେ କୋଇଲା ଫେଜ୍‌ ଆଉଟ୍‌ ସର୍ତ୍ତ ଉଲ୍ଲେଖ ଥିବାରୁ ଚିଠା ପ୍ରସ୍ତାବରେ ସ୍ବାକ୍ଷର କରିବାରୁ ଉଭୟ ଭାରତ ଓ ଚାଇନା ଦୂରେଇ ରହିଛନ୍ତି। କେବଳ କୋଇଲା ନୁହେଁ, ସମସ୍ତ ଜୀବାଶ୍ମ ଇନ୍ଧନ ବ୍ୟବହାର ପର୍ଯ୍ୟାୟକ୍ରମେ ବନ୍ଦ କରିବା ପାଇଁ ଭାରତ ବିଭିନ୍ନ ଦେଶକୁ କହିଥିଲା। ଗତ ସେପ୍ଟେମ୍ବରରେ ଦିଲ୍ଲୀରେ ଅନୁଷ୍ଠିତ ଜି୨୦ ସମିଟ୍‌ରେ ନବୀକରଣଯୋଗ୍ୟ ଶକ୍ତି କ୍ଷମତା ତିନିଗୁଣ କରିବା ଚୁକ୍ତିରେ ଭାରତ ସମ୍ମତି ପ୍ରଦାନ କରିଥିଲା। ଯେଉଁ ଦେଶଗୁଡ଼ିକ ଏଥିରେ ସଂକଳ୍ପ ନେଇଥିଲେ, ସେମାନେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଫ୍ରେମ୍‌ଓ୍ବାର୍କ (ୟୁଏନ୍‌ଏଫ୍‌ସିସିସି) ପରିସରରୁ ବାହାରେ ଥିଲେ। ନିରନ୍ତର କୋଇଲା ଶକ୍ତିର ବ୍ୟବହାରକୁ ପର୍ଯ୍ୟାୟକ୍ରମେ ହ୍ରାସ କରିବା ଏବଂ କୋଇଲା ଚାଳିତ ନୂଆ ବିଦ୍ୟୁତ୍‌ ପ୍ଲାଣ୍ଟଗୁଡ଼ିକୁ ଆର୍ଥିକ ସହଯୋଗ ବନ୍ଦ କରିବା ପାଇଁ ଉକ୍ତ ସଂକଳ୍ପରେ ଆହ୍ବାନ ଦିଆଯାଇଥିଲା। ନିରନ୍ତର ଜୀବାଶ୍ମ ଇନ୍ଧନ ସାଧାରଣତଃ ଉତ୍ସର୍ଜନ ହ୍ରାସ ଲାଗି ଉଦ୍ୟମ ନ କରି କୋଇଲା, ତୈଳ ଓ ଗ୍ୟାସ୍‌ର କ୍ରମାଗତ ବ୍ୟବହାରକୁ ବୁଝାଏ। ଏହା ସତ୍ତ୍ୱେ ଏହି ସାର୍ବଜନୀନ ଗ୍ରହଣୀୟ ସର୍ତ୍ତ ବର୍ତ୍ତମାନର ଚିଠା ସଂକଳ୍ପରେ ନ ଥିବା ଜଣାପଡ଼ିଛି।

Share