Categories: ଜାତୀୟ

ମହାକାଶରେ ଭାରତର ସ୍ଥିତି ସୁଦୃଢ଼ ହେବା ଜରୁରୀ…

ନୂଆଦିଲ୍ଲୀ, ୧୫।୬ : ମହାକାଶରେ ଉପଲବ୍ଧ ଉତ୍ସଗୁଡିକର ବ୍ୟବହାର ଉପରେ ଏୟାର ଚିଫ ମାର୍ଶଲ ଭି.ଆର ଚୌଧରୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ମହାକାଶରେ ଉପସ୍ଥିତ ଆମର ସମ୍ବଳ ବାୟୁ ସାମରିକ ଦକ୍ଷତାକୁ ଆହୁରି ମଜବୁତ କରିପାରିବ। ସ୍ପେସ ଆସୋସିଏଶନ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଜିଓ ଇଣ୍ଟେଲିଜେନ୍ସ ୨୦୨୨ନାମକ ଏକ ସମ୍ମିଳନୀରେ ଏୟାର ଚିଫ ମାର୍ଶଲ କହିଛନ୍ତି ଯେ ମହାକାଶରେ ବାୟୁସେନାର ବିସ୍ତାର ହେବା ଅପରିହାର୍ଯ୍ୟ ହୋଇପଡ଼ିଛି।

ଭବିଷ୍ୟତରେ ଯୁଦ୍ଧର ଫଳାଫଳ ଏବଂ ବିଜୟ ମହାକାଶରେ ଆମର ସୁଦୃଢ଼ ସ୍ଥିତି ଉପରେ ନିର୍ଭର କରିବ। ତେଣୁ ମହାକାଶରେ ଭାରତର ସ୍ଥିତି ସୁଦୃଢ଼ ହେବା ଜରୁରୀ। ସେ କହିଛନ୍ତି ଯେ ସଶସ୍ତ୍ର ବାହିନୀର ପ୍ରମୁଖ କ୍ଷେତ୍ର ହେଉଛି ଏସଏସଏ ପାଇଁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ରାଡାରର ବିକାଶ, ସ୍ପେସ ଆଧାରିତ ସେନ୍ସର ଏବଂ ଅପ୍ଟିକାଲ ଟେଲିସ୍କୋପ ଯାହା ଶତ୍ରୁ ବସ୍ତୁ ଉପରେ ନଜର ରଖିବ। ତେଣୁ ଇସ୍ରୋ ଏବଂ ଡ୍ରଆରଡିଓର ବିଦ୍ୟମାନ ସାମର୍ଥ୍ୟକୁ ଏକୀଭୂତ କରିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଆଗାମୀ ଦିନରେ ସଶସ୍ତ୍ର ବାହିନୀର ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଫେନ୍ସ ସ୍ପେସ ଏଜେନ୍ସି (ଡିଏସଏ) ସିଭିଲ-ମିଲିଟାରୀ ସ୍ପେସ ସହଯୋଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ମହାକାଶରେ ସ୍ଥିତି ସୁଦୃଢ଼ ହେଲେ ଶତ୍ରୁର ଉଦ୍ଦେଶ୍ୟ ବୁଝିବା ବେଶ୍‌ ସହଜ ହୋଇପାରିବ। ବାୟୁସେନାର ରଣନୀତି ହେଉଛି ବାୟୁ ଏବଂ ମହାକାଶ କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ଏକୀଭୂତ କରିବା। ଏହା ଦ୍ୱାରା ଦେଶର ସାମରିକ ଶକ୍ତିରେ ବୃଦ୍ଧି ସମ୍ଭବ ହୋଇପାରିବ।

Share