ଡ. ଚିତ୍ତରଂଜନ ମିଶ୍ର
ଯେତେବେଳେ ବିଶ୍ୱର ଏକ ବିଶାଳକାୟ ଔଦ୍ୟୋଗିକ କମ୍ପାନୀ ଜଣେ ଭାରତୀୟ ବଂଶୋଦ୍ଭବ ପ୍ରଯୁକ୍ତିବିଦ୍ୟା ବିଶାରଦଙ୍କୁ ନେତୃତ୍ୱ ଭାର ଅର୍ପଣ କରିଥାଆନ୍ତି, ସେତେବେଳେ ଆମ ଛାତି କୁଣ୍ଢେମୋଟ ହୋଇଯାଇଥାଏ। ସମଗ୍ର ବିଶ୍ୱର କୋଣ ଅନୁକୋଣରେ ଏଭଳି ବହୁ ପ୍ରଯୁକ୍ତିବିଦ୍ୟାବିତ୍ ସମ୍ମାନାସ୍ପଦ ଆସନରେ ଅଧିଷ୍ଠିତ ହୋଇଥିଲେ ମଧ୍ୟ ଭାରତ କାହିଁକି ଏପର୍ଯ୍ୟନ୍ତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱରେ ନିଜକୁ ଏକ ପ୍ରମୁଖ ଖେଳାଳି ଭାବେ ସାବ୍ୟସ୍ତ କରିପାରି ନାହିଁ? ବିଶ୍ୱ ପ୍ରଯୁକ୍ତିବିଦ୍ୟାର ଉପର ସୋପାନରେ ଅଧିଷ୍ଠିତ ହେବା ପାଇଁ ଭାରତ ପାଖରେ ଯଥେଷ୍ଟ କ୍ଷମତା ରହିଛି, ଯଦି ନିଜର ଦୋଷତ୍ରୁଟିକୁ ଠିକ୍ ଭାବେ ମୂଲ୍ୟାୟନ କରି ତଦନୁଯାୟୀ ଜରୁରୀ ଓ ବିହିତ ପଦକ୍ଷେପ ଗ୍ରହଣ କରେ, ତେବେ ଭାରତ ବିଶ୍ୱର ଶୀର୍ଷ ସ୍ତରରେ ପହଞ୍ଚତ୍ପାରିବ। ହେଲେ ଏଥିରେ ସଫଳ ହୋଇ ପାରୁନାହିଁ।
ଭାରତର ବିଫଳତାର ମୂଳ କାରଣ ହେଲା ବଜାର ସଂଚାଳିତ ଅଭିବୃଦ୍ଧିର ସୁଯୋଗକୁ ବ୍ୟବହାର କରିବାର ଅପାରଗପଣିଆ। ପଞ୍ଚବାର୍ଷିକ ଯୋଜନା ପ୍ରଣୟନ ଓ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକର ପ୍ରତିଷ୍ଠା କ୍ଷେତ୍ରରେ ଭାରତର ପୂର୍ବ ପ୍ରତିବଦ୍ଧତା ରାଷ୍ଟ୍ରର ଭବିଷ୍ୟତ ଓ ସୁଯୋଗକୁ ଧୂଳିସାତ୍ କରି ଚାଲିଲା। ଏପରିକି ୧୯୯୧ରେ ଅର୍ଥନୈତିକ ସଂସ୍କାର ବ୍ୟବସ୍ଥାର ପ୍ରଣୟନ ପରେ ପ୍ରଚଣ୍ଡ ପ୍ରତିଭାଧାରୀ ଓ ବିଦ୍ୱାନ୍ ମନୀଷୀମାନେ ଦେଶ ଛାଡ଼ି ଆମେରିକା ଯାତ୍ରା କଲେ। ୨୦୧୯ର ଏକ ହିସାବ ଅନୁଯାୟୀ ଆମେରିକାରେ ୨.୭ ନିୟୁତ ପ୍ରବାସୀ ଭାରତୀୟ ବସବାସ କରୁଛନ୍ତି। ସେମାନେ ସମସ୍ତେ ଅତ୍ୟନ୍ତ ଶିକ୍ଷିତ ହେବା ସହ ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆମେରିକାରେ ଅସାଧାରଣ ସଫଳତା ଲାଭ କରିଛନ୍ତି।
ଆମେରିକା ପ୍ରତ୍ୟେକଟି ଉଦ୍ୟୋଗ ଓ ମୁକ୍ତ ବଜାରର ସଫଳତାକୁ ସମ୍ଭାଳିବା ସହ ସହାୟତା ପ୍ରଦାନ କରିଥାଏ। ରୋମରେ ଜନ୍ମିତ ତଥା ଉଭୟ ଇଟାଲୀ ଓ ଆମେରିକାର ଦ୍ୱୈତ ନାଗରିକତା ଲାଭ କରିଥିବା ୟୁନିଭରସିଟି କଲେଜ ଲଣ୍ଡନର ଇନ୍ନୋଭେସନ ଆଣ୍ଡ୍ ପବ୍ଲିକ୍ ଭ୍ୟାଲୁର ଅର୍ଥନୀତି ପ୍ରଫେସର ମାରିଆନା ମାଜ୍ଜୁକାଟୋଙ୍କ ଗବେଷଣା ଅନୁଯାୟୀ ଆମେରିକା କମ୍ପ୍ୟୁଟର, ଇଣ୍ଟରନେଟ୍ ଓ ନାନୋ ଟେକ୍ନୋଲୋଜି ଶିଳ୍ପ ଆଦି ନୂତନ ପିଢ଼ିର ପ୍ରଯୁକ୍ତିବିଦ୍ୟାର ପ୍ରାରମ୍ଭ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପାଦିତ କରିଥାଏ। ପବ୍ଲିକ ସେକ୍ଟର ପୁଞ୍ଜି ନିବେଶ ଦ୍ୱାରା କଳନ ଗଣିତ ବା ଗାଣିତିକ ପ୍ରଶ୍ନର ସମାଧାନ ପାଇଁ ବ୍ୟବହୃତ ହେଉଥିବା ସୂତ୍ରର ପ୍ରଣାଳୀର ବିକାଶ ସମ୍ଭବପର ହୋଇପାରିଥିଲା, ଯାହାକି ଅନ୍ତତଃ ଗୁଗୁଲକୁ ଆଗକୁ ନେଇପାରିଲା। ପବ୍ଲିକ ସେକ୍ଟର ପୁଂଜି ବିନିଯୋଗ ମଧ୍ୟ ମଲ୍କ୍ୟୁଲାର ଆଣ୍ଟିବଡିର ଆବିଷ୍କାର କ୍ଷେତ୍ରରେ ଯୋଗଦାନ ଦେଇଥିଲା, ଯାହାକି ବାୟୋଟେକ୍ନୋଲୋଜିର ମୂଳଦୁଆ ପକାଇବାରେ ସହାୟକ ହୋଇଥିଲା। ଏସବୁ ସରକାରୀ ଏଜେନ୍ସିମାନଙ୍କର ସକ୍ରିୟ ଯୋଗଦାନ ଦ୍ୱାରା ସମ୍ଭବ ହେଲା, ଯାହାକି ପ୍ରାଇଭେଟ ସେକ୍ଟରମାନଙ୍କ କ୍ଷେତ୍ରରେ ଆଦୌ ସମ୍ଭବ ହୋଇନଥାନ୍ତା।
ଠିକ୍ ସେହିପରି ଚାଇନାର ଅର୍ଥନୈତିକ ଅଭ୍ୟୁତ୍ଥାନକୁ ଚାଇନା ସରକାରଙ୍କ ଯୋଗଦାନ ଧନ୍ୟବାଦାର୍ହ। ଚାଇନା ବିଶ୍ୱ ମହାଶକ୍ତି ଆମେରିକା ସହ ପ୍ରଯୁକ୍ତିବିଦ୍ୟା ମହାଦୌଡ଼ରେ ସାମିଲ ହୋଇଛି ଓ ସେହି ରାଷ୍ଟ୍ରର ସରକାର ପ୍ରଯୁକ୍ତିବିଦ୍ୟାର ବିଶ୍ୱମହାନାୟକ ଭାବେ ଚାଇନାକୁ ଦଣ୍ଡାୟମାନ କରାଇବା ପାଇଁ ଦୃଢ଼ ପ୍ରତିଜ୍ଞାବଦ୍ଧ। ଗୋଟିଏ ଦଶନ୍ଧିର ଟିକିଏ ପୂର୍ବରୁ ଚାଇନା ତା’ର ସ୍ବଳ୍ପ ମଜୁରୀ ମାନୁଫାକ୍ଚରିଂ ପାଇଁ ବେଶ୍ ପରିଚିତ ଥିଲା। ଏପରିକି ଚାଇନା ଯେତେବେଳେ ‘ଫ୍ରାକ୍ଟି ଅଫ ଦି ୱାଲ୍ଡର୍ର୍’ ବା ବିଶ୍ୱର କାରଖାନା ଭାବେ ସର୍ବଜନବିଦିତ, ସେତେବେଳେ ବିଶ୍ୱ ଉପତ୍ାଦନ ନେଟ୍ୱର୍କର ନିମ୍ନ ମୂଲ୍ୟଯୁକ୍ତ ଉପତ୍ାଦ କ୍ଷେତ୍ରରେ ବାନ୍ଧି ହୋଇ ରହିଯାଇଛି। ଚାଇନା ଆର୍ଥିକ କ୍ଷତି ସହି ମଧ୍ୟ ଉପତ୍ାଦିତ ବସ୍ତୁର ଧାର୍ଯ୍ୟ ମୂଲ୍ୟଠାରୁ ବହୁ କମରେ ସେଗୁଡ଼ିକୁ ବଜାରକୁ ଛାଡୁଛି। ୨୦୧୧ରେ ସରକାରୀ ଯୋଜନାର ଅଂଶ ବିଶେଷ ଭାବେ ଚାଇନା ବିକଳ୍ପ ଇନ୍ଧନ ଚାଳିତ ମୋଟର ଗାଡି ଏବଂ ଅଣପାରମ୍ପରିକ ଶକ୍ତି ଭଳି ଆର୍ଥିକ ଓ ସୁରକ୍ଷା ଦୃଷ୍ଟିକୋଣରୁ ଷ୍ଟ୍ରାଟେଜିକ୍ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ପ୍ରବେଶ କଲା। ପରେ ଚାଇନା ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ବଜାର ବ୍ୟବସ୍ଥା ଏବଂ ଜଗତୀକରଣର ମହାଶକ୍ତିକୁ ସମ୍ମିଳିତ କରି ଗୋଟିକ ପରେ ଗୋଟିଏ ସଫଳତାର ପାହାଚ ଆରୋହଣ କରିବାକୁ ଲାଗିଲା। ରାଷ୍ଟ୍ରୀୟ ମାଲିକାନାରେ ଥିବା ଉଦ୍ୟୋଗଗୁଡିକୁ ଘରୋଇକରଣ କରିବା ବଦଳରେ ପୁନର୍ଗଠନ କରିଚାଲିଲା। ଇଲେକ୍ଟ୍ରୋନିକ୍ସ ଓ ଯନ୍ତ୍ରପାତି ପରି ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗ କ୍ଷେତ୍ରରେ ନିଜର ସ୍ଥିତି ମଜଭୁତ କରିବାକୁ ଲାଗିଲେ।
୧୯୫୦ ଦଶକର ପ୍ରାରମ୍ଭିକ ପର୍ଯ୍ୟାୟରେ ଯେତେବେଳେ ଭାରତ ଯୋଜନା ଓ ଔଦ୍ୟୋଗୀକରଣର ମହାପର୍ବ ଉଦ୍ଘାଟନ କଲା, ଏହା ସମ୍ଭବତଃ ବିକାଶଶୀଳ ବିଶ୍ୱରେ ମାନ୍ୟତା ଲାଭ କରିଥିଲା। ସେହି ପ୍ରଚେଷ୍ଟାର ଫଳସ୍ବରୂପ ମହାକାଶ ବିଜ୍ଞାନ ଓ ପରମାଣୁ ଗବେଷଣା କ୍ଷେତ୍ରରେ ପବ୍ଲିକ ସେକ୍ଟର ଫଣ୍ଡିଙ୍ଗ୍ ମାଧ୍ୟମରେ ଦେଶରେ ଏକାଧିକ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇପାରିଥିଲା। ତନ୍ମଧ୍ୟରୁ ଏକାଧିକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବେ ସ୍ବତନ୍ତ୍ର ପରିଚୟ ଜାହିର କରିପାରିଛନ୍ତି। ୧୯୯୧ରେ ଯେତେବେଳେ ଭାରତ ମୁକ୍ତ ବଜାର ବ୍ୟବସ୍ଥା ଓ ଜଗତୀକରଣକୁ ଆପଣାଇଥିଲା, ସେତେବେଳେ ନିଜର ପ୍ରଚେଷ୍ଟାକୁ ଦ୍ୱିଗୁଣିତ କରି ରାଷ୍ଟ୍ରୀୟ ପ୍ରଯୁକ୍ତିବିଦ୍ୟାର ଦକ୍ଷତାକୁ ଦୃଢ଼ୀଭୂତ କରିବାକୁ ବିହିତ ପଦକ୍ଷେପ ଗ୍ରହଣ କରିବା ଉଚିତ ଥିଲା। ତା’ ବଦଳରେ ମୋଟ ଆଭ୍ୟନ୍ତରୀଣ ଉପତ୍ାଦର ଅନୁପାତ ଅନୁଯାୟୀ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ପୁଂଜି ନିବେଶ ୧୯୯୦-୯୧ରେ ୦.୮୫ ପ୍ରତିଶତରୁ ୨୦୧୮ ବେଳକୁ ୦.୬୫ ପ୍ରତିଶତ ସ୍ତରକୁ ହ୍ରାସ ପାଇଲା। ଅପରପକ୍ଷରେ, ମୋଟ ଆଭ୍ୟନ୍ତରୀଣ ଉପତ୍ାଦର ଏହି ଅନୁପାତ ଚାଇନା ଓ ଦକ୍ଷିଣ କୋରିଆରେ ୨୦୧୮ରେ ୨.୧ ଓ ୪.୫ ପ୍ରତିଶତରେ ପହଞ୍ଚତ୍ଥିଲା।
ଭାରତ ହାତମୁଠାରେ ଯୋଗାଣ ଓ ଚାହିଦାର ଅନୁକୂଳ କାରକ ରହିଛି, ଯାହାକି ଦେଶକୁ ପ୍ରଯୁକ୍ତିବିଦ୍ୟାର ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ଅଧିଷ୍ଠିତ କରାଇପାରିବ। ତ୍ରିସ୍ତରୀୟ ଶିକ୍ଷା କ୍ଷେତ୍ରରେ ଭାରତରେ ନାମାଙ୍କିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ୨୦୧୯ରେ ୩୫.୨ ନିୟୁତ ଥିଲା, ଯାହାକି ଚାଇନା ବ୍ୟତିରେକେ ପୃଥିବୀର ଅନ୍ୟ ରାଷ୍ଟ୍ର ତୁଳନାରେ ସର୍ବାଧିକ। ପୁନଶ୍ଚ ୟୁନେସ୍କୋ ଅନୁଯାୟୀ ୨୦୧୯ରେ ଅନ୍ୟ ସମସ୍ତ ବିଷୟରେ ଉତୁରୁଥିବା ଗ୍ରାଜୁଏଟଙ୍କ ସଂଖ୍ୟା ତୁଳନାରେ ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଓ ମ୍ୟାଥ୍ମେଟିକ୍ସ (ଷ୍ଟେମ୍) କ୍ଷେତ୍ରରେ ସଫଳ ଗ୍ରାଜୁଏଟଙ୍କ ସଂଖ୍ୟା ଭାରତରେ ୩୨.୨% ଥିଲା, ଯାହାକି ବିଶ୍ୱର ଅନ୍ୟ ରାଷ୍ଟ୍ରଙ୍କ ତୁଳନାରେ ଅଧିକ। ଏଣୁ ଭାରତ ଆମେରିକାର ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟାଠାରୁ ଖୁବ୍ ଶୀଘ୍ର ଦୁଇଗୁଣ ହେବା ସହ ବିଭିନ୍ନ ପ୍ରକାର ନୂଆ ନୂଆ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ବିଶାଳ ବିଶ୍ୱବଜାର ଭାବେ ଉଭା ହେବାର ସମ୍ଭାବନା ରହିଛି । ଏହା ଭାରତ ପାଇଁ ଏକ ବୃହତ୍ ସୁଯୋଗ ହୋଇପାରିବ। ହେଲେ ଅନ୍ତର୍ଦ୍ଦେଶୀୟ ଶିଳ୍ପସଂସ୍ଥାଗୁଡ଼ିକ ଏହି ସୁଯୋଗକୁ ଫଳପ୍ରଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଉଦାହରଣ ସ୍ବରୂପ ଇଲେକ୍ଟ୍ରୋନିକ ମ୍ୟାନୁଫାକ୍ଚରିଂ କ୍ଷେତ୍ରରେ ଭାରତ ନିଜ କ୍ଷମତାର ବହୁ ନିମ୍ନରେ କାର୍ଯ୍ୟ କରୁଅଛି। ପୁନଶ୍ଚ ୨୦୨୧-୨୨ ତଥ୍ୟ ଅନୁଯାୟୀ ଇଲେକ୍୍ଟ୍ରୋନିକ୍ ପଦାର୍ଥ ଓ ଯନ୍ତ୍ରପାତି କ୍ଷେତ୍ରରେ ଭାରତର ଆମଦାନୀ, ରପ୍ତାନି ଅପେକ୍ଷା ପ୍ରାୟ ୫ଗୁଣ ଅଧିକ। ମୋବାଇଲ ଫୋନ୍ରେ ଆବଶ୍ୟକ ହେଉଥିବା ଉଚ୍ଚ ମୂଲ୍ୟଯୁକ୍ତ ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତିଗୁଡିକର ଟେକ୍ନୋଲୋଜି ଓ ଡିଜାଇନ ଉପରେ ଭାରତ ନିର୍ଭରଶୀଳ।
ଗତ ୩ ଦଶନ୍ଧି ଧରି ଭାରତରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକୁ ସ୍ବଳ୍ପକାଳିକ ବିତ୍ତୀୟ ଲାଭ ଆଧାରରେ ହିଁ ଆକଳନ କରାଯାଉଛି। ପରନ୍ତୁ ସେମାନଙ୍କୁ ଦୀର୍ଘସୂତ୍ରୀ ଅର୍ଥନୈତିକ ଅଭିବୃଦ୍ଧି, ଅଭିନବ ପ୍ରଯୁକ୍ତିବିଦ୍ୟାର ସୃଷ୍ଟି ତଥା ସାମରିକ ଓ ଜ୍ଞାନ ସଂପତ୍ତିର ଅଭ୍ୟୁଦୟ କ୍ଷେତ୍ରରେ ନିଜର ଦକ୍ଷତା ଏବଂ ଭବଷ୍ୟତ ଅବଦାନ ଆଧାରରେ ହିଁ ମୂଲ୍ୟାଙ୍କନ କରାଯିବା ଦରକାର। ଏକ ବଳଶାଳୀ ରାଷ୍ଟା୍ରୟତ୍ତ ଉଦ୍ୟୋଗ ଘରୋଇ ବ୍ୟବସାୟ ପାଇଁ ଅଧିକ ସୁଯୋଗ ଓ ସମ୍ଭାବନା ଉନ୍ମୋଚନ କରିବା ସଙ୍ଗେ ସଙ୍ଗେ ଦେଶରେ ଭିତ୍ତିଭୂମିକୁ ମଧ୍ୟ ସଂପ୍ରସାରିତ କରିପାରିବ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀରୁ ଅଭିବୃଦ୍ଧି ପଥରେ ସେତିକିବେଳେ ଯାଇପାରିବେ, ଯେତେବେଳେ ସାର୍ବଜନିକ ରୂପରେ ସୃଷ୍ଟି ହୋଇଥିବା ପ୍ରଯୁକ୍ତିବିଦ୍ୟାର ପ୍ରସାର ପାଇଁ ଆବଶ୍ୟକ ପ୍ରକ୍ରିୟା ଠିକ୍ ରୂପରେଖ ନେବ ଏବଂ ତତ୍ ସହ ବ୍ୟାଙ୍କ ଋଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ଉପଲବ୍ଧତା ମଧ୍ୟ ସୁଗମ ହୋଇପାରିବ।
ମୋ: ୯୩୩୮୨୦୪୯୯୩