Categories: ଜାତୀୟ

ଦାରିଦ୍ର୍ୟ ସୂଚକାଙ୍କରେ ଭାରତର ସଫଳତା : ୧୫ ବର୍ଷରେ ୪୧ କୋଟିରୁ ଅଧିକ ଦାରିଦ୍ର୍ୟ ରେଖାରୁ ବାହାର…

ନୂଆଦିଲ୍ଲୀ,୧୧।୭ : ଦାରିଦ୍ର୍ୟ ସୂଚକାଙ୍କରେ ଭାରତ ଏକ ପ୍ରମୁଖ ସଫଳତା ହାସଲ କରିଛି। ମଙ୍ଗଳବାର ମିଳିତ ଜାତିସଂଘ ସୂଚନା ଦେଇଛି ଗତ ୧୫ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୪୧.୫ କୋଟି ଲୋକ ଦାରିଦ୍ର ୍ୟ ସୀମାରୁ ବାହାରି ଆସିଛନ୍ତି। ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ଏବଂ ଅକ୍ସଫୋର୍ଡ ଦାରିଦ୍ର୍ୟ ଏବଂ ମାନବ ବିକାଶ ଉଦ୍ୟମ ମିଳିତ ଭାବେ ଗ୍ଲୋବାଲ ଦାରିଦ୍ର୍ୟ ସୂଚକାଙ୍କ ରିପୋର୍ଟ ପ୍ରକାଶ କରିଛନ୍ତି।

ଏହି ରିପୋର୍ଟରେ ସୂଚିତ କରାଯାଇଛି ଭାରତ ସମେତ ୨୫ ଟି ଦେଶ ୧୫ ବର୍ଷ ମଧ୍ୟରେ ଗ୍ଲୋବାଲ ମଲ୍ଟିଡାଇମେନଶନାଲ ଦାରିଦ୍ର୍ୟ ସୂଚକାଙ୍କରେ ଉନ୍ନତି କରିଛନ୍ତି। ଭାରତ ବ୍ୟତୀତ କାମ୍ବୋଡିଆ, ଚାଇନା, କଙ୍ଗୋ, ହୋଣ୍ଡୁରାସ, ଇଣ୍ଡୋନେସିଆ, ମୋରୋକୋ, ସର୍ବିଆ ଏବଂ ଭିଏତନାମ ଭଳି ଦେଶରେ ମଧ୍ୟ ବହୁ ସଂଖ୍ୟାରେ ଲୋକ ଦାରିଦ୍ର୍ୟ ରେଖାରୁ ବାହାରିଛନ୍ତି।

ମିଳିତ ଜାତିସଂଘର ତଥ୍ୟ ଅନୁଯାୟୀ, ଏପ୍ରିଲ ମାସରେ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଚାଇନାକୁ ଅତିକ୍ରମ କରିଥିଲା। ରିପୋର୍ଟ ଅନୁଯାୟୀ, ଏପ୍ରିଲରେ ଭାରତର ଜନସଂଖ୍ୟା ୧୪୨.୮୬ କୋଟି ଥିଲା। ଏହି ରିପୋର୍ଟରେ ଭାରତକୁ ବହୁତ ପ୍ରଶଂସା କରାଯାଇଛି।

ରିପୋର୍ଟରେ ଏହା ଲେଖାଯାଇଛି ଭାରତର ପ୍ରଦର୍ଶନ ଅତ୍ୟନ୍ତ ଉଲ୍ଲେଖନୀୟ। ସୂଚନା ଅନୁଯାୟୀ, ୨୦୦୫-୦୬ ମସିହାରେ ଦେଶରେ ପ୍ରାୟ ୬୪.୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିଲେ। ଏହା ପରେ, ୨୦୧୫-୧୬ ବର୍ଷରେ ଏହି ସଂଖ୍ୟା ୩୭ କୋଟିକୁ ହ୍ରାସ ପାଇଥିଲା। ଏବଂ ୨୦୧୯-୨୧ ରେ ଏହି ସଂଖ୍ୟା ୨୩ କୋଟିକୁ ହ୍ରାସ ପାଇଛି।

Share