ବିଶ୍ୱ ପ୍ରତିଯୋଗିତା ସୂଚକାଙ୍କରେ ଭାରତର ମାନ୍ୟତା ହ୍ରାସ ପାଇଛି, ଅର୍ଥନୈତିକ ପ୍ରଦର୍ଶନ ରହିଛି ଦୁର୍ବଳ…

ନୂଆଦିଲ୍ଲୀ,୨୬।୬ : ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ ଫର ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ (ଆଇଏମଡି) ବିଶ୍ୱ ପ୍ରତିଯୋଗିତା ମାନ୍ୟତା ଅନ୍ତର୍ଗତ ବିଶ୍ୱ ପ୍ରତିଯୋଗିତା ସୂଚକାଙ୍କ ପ୍ରକାଶ କରିଛି । ଏହାର ସାମଗ୍ରିକ ର଼୍ୟାଙ୍କିଙ୍ଗରେ ସିଙ୍ଗାପୁର ତୃତୀୟ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଖସି ଆସିଛି। ଏଥି ସହିତ ଭାରତ ମଧ୍ୟ ଏହି ର଼୍ୟାଙ୍କିଙ୍ଗରେ ତଳକୁ ଖସିଛି। ଭାରତର ମାନ୍ୟତା ତିନୋଟି ସ୍ଥାନ ହ୍ରାସ ପାଇଛି ଏବଂ ୪୦ ନମ୍ବରରେ ରହିଛି। ଗତ ବର୍ଷ ଏହି ତାଲିକାରେ ଭାରତର ମୋଟ ମାନ୍ୟତା ୩୭ ଥିଲା ।

ଆଇଏମଡି ରିପୋର୍ଟ ଅନୁଯାୟୀ, ସରକାରଙ୍କ ଦକ୍ଷତା ଦୃଷ୍ଟିରୁ ଭାରତର ସ୍ଥିତି ଉନ୍ନତ ହୋଇଛି। ତେବେ ବ୍ୟବସାୟିକ ଦକ୍ଷତା, ଭିତ୍ତିଭୂମି ବିକାଶ, ଅର୍ଥନୈତିକ ପ୍ରଗତି ଦୃଷ୍ଟିରୁ ଭାରତର ମାନ୍ୟତା ସାମାନ୍ୟ ହ୍ରାସ ପାଇଛି। ଗତ ବର୍ଷ ଅର୍ଥନୈତିକ ପ୍ରଗତିରେ ଭାରତ ୨୮ ନମ୍ବରରେ ଥିଲା ଏବଂ ଏଥର ଏହାର ମାନ୍ୟତା ୩୩ ଅଟେ । ସରକାରଙ୍କ ଦକ୍ଷତା ଦୃଷ୍ଟିରୁ ଭାରତର ୨୦୨୩ ର଼୍ୟାଙ୍କିଙ୍ଗ ହେଉଛି ୪୪, ଯାହା ଗତ ବର୍ଷ ୪୫ ଥିଲା । ବାଣିଜ୍ୟ ଦକ୍ଷତା କ୍ଷେତ୍ରରେ ଭାରତର ମାନ୍ୟତା ୨୮ ରହିଛି। ଯାହା ଗତ ବର୍ଷର ୨୩ ରୁ ବୃଦ୍ଧି ପାଇଛି। ଗତ ବର୍ଷ ୪୯ ତୁଳନାରେ ଭିତ୍ତିଭୂମି ବିକାଶରେ ଭାରତର ମାନ୍ୟତା ଚଳିତ ବର୍ଷ ୫୨ କୁ ଖସି ଆସିଛି।

ଆଇଏମଡିର ବିଶ୍ୱ ପ୍ରତିଯୋଗିତା କେନ୍ଦ୍ର (ବିଶ୍ୱ ପ୍ରତିଯୋଗିତା ସୂଚକାଙ୍କ) ସିଙ୍ଗାପୁରକୁ ବିଶ୍ୱର ୬୪ ଅର୍ଥନୀତି ମଧ୍ୟରୁ ଚତୁର୍ଥ ସ୍ଥାନରେ ରଖିଛି। ୨୦୨୨ ମସିହାରେ ସିଙ୍ଗାପୁର ତୃତୀୟ ସ୍ଥାନରେ ଥିଲା । ବିଶେଷ କଥା ହେଉଛି ୨୦୧୯ ଏବଂ ୨୦୨୦ ରେ ସିଙ୍ଗାପୁର ଏହି ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ଥିଲା କିନ୍ତୁ ୨୦୨୧ ମସିହାରେ ଏହା ସିଧାସଳଖ ପଞ୍ଚମ ସ୍ଥାନରେ ପହଞ୍ଚିଥିଲା। ଚଳିତ ବର୍ଷର ର଼୍ୟାଙ୍କିଙ୍ଗରେ ପ୍ରଥମ ତିନୋଟି ସ୍ଥାନରେ ଡେନମାର୍କ, ଆୟର୍ଲାଣ୍ଡ ଏବଂ ସ୍ବିଜରଲାଣ୍ଡ ରହିଛନ୍ତି। ନେଦରଲାଣ୍ଡ ପଞ୍ଚମ, ତାଇୱାନ ଷଷ୍ଠ, ହଂକଂ ସପ୍ତମ, ସ୍ବିଡେନ ଅଷ୍ଟମ ଏବଂ ଆମେରିକା ନବମ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଦଶମ ସ୍ଥାନରେ ରହିଛି।

କରୋନା ମହାମାରୀ ପରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଥାଇଲାଣ୍ଡ, ଇଣ୍ଡୋନେସିଆ ଏବଂ ମାଲେସିଆ ପରି ଦେଶର ମାନ୍ୟତାରେ ଉନ୍ନତି ହେବାର ଏହା ହେଉଛି ଏକ ମୁଖ୍ୟ କାରଣ। ଗତ ବର୍ଷର ର଼୍ୟାଙ୍କିଙ୍ଗରେ ପାଞ୍ଚଟି ୟୁରୋପୀୟ ଦେଶ ଶ୍ରେଷ୍ଠ ୧୦ରେ ଅନ୍ତର୍ଭୁକ୍ତ ହୋଇଥିଲେ।

 

Share