Categories: ଖେଳ

ଭାରତର କ୍ରମାଗତ ଦ୍ୱିତୀୟ ପରାଜୟ

ସୁଝୋ, ୧୬ା୫(ପି.ଟି.): ଭାରତ ସୁଦିରମନ କପ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଗ୍ରୁପ୍‌ ‘ସି’ରେ ମାଲେସିଆ ବିପକ୍ଷ ମ୍ୟାଚ୍‌ ହାରିଯାଇଛି। ଦଳର ଏହା ହେଉଛି କ୍ରମାଗତ ଦ୍ୱିତୀୟ ପରାଜୟ। ଏଥିସହ ଭାରତ ଏହି ମିକ୍ସଡ ଟିମ୍‌ ଚାମ୍ପିୟନଶିପ୍‌ରୁ ନକ୍‌ଆଉଟ ହୋଇଛି। ଦଳ ଏହାର ପ୍ରଥମ ମ୍ୟାଚ୍‌ରେ ଚାଇନିଜ୍‌ ତାଇପେଠାରୁ ହାରିଯାଇଥିଲା। ଷ୍ଟାର ଖେଳାଳି କିଡ଼ାମ୍ବୀ ଶ୍ରୀକାନ୍ତ ଓ ପି.ଭି. ସିନ୍ଧୁଙ୍କ ଭଲ ଫଳାଫଳ ଆସି ନ ଥିଲା। ପୁରୁଷ ସିଙ୍ଗଲ୍ସ ମୁକାବିଲାରେ ଶ୍ରୀକାନ୍ତଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ସିନ୍ଧୁ ଲଢୁଆ ପ୍ରଦର୍ଶନ କରି ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ନିର୍ଣ୍ଣାୟକ ଗେମ୍‌ରେ ବିଶ୍ୱର ୩୦ ନମ୍ବର ଖେଳାଳି ଗୋହ ଜିନ୍‌ ଓ୍ବିଙ୍କଠାରୁ ୨୧-୧୪, ୧୦-୨୧,୨୦-୨୨ରେ ହାରିଯାଇଥିଲେ। ତ୍ରୁଟିଯୁକ୍ତ ଖେଳ ଯୋଗୁ ବିଶ୍ୱର ୮ ନମ୍ବର ଖେଳାଳି ଲି’ ଜି ଜିଆଙ୍କ ବିପକ୍ଷ ମ୍ୟାଚ୍‌ରେ ଶ୍ରୀକାନ୍ତ ୨୧-୧୬, ୨୧-୧୧ରେ ପରାଜିତ ହୋଇଯାଇଥିଲେ। ଅନ୍ୟପକ୍ଷରେ ଭାରତୀୟ ଯୋଡ଼ି ଧ୍ରୁବ କାପିଲା ଓ ଅଶ୍ୱିନ ପୋନ୍ନାପ୍ପାଙ୍କ ପକ୍ଷେ ବିଶ୍ୱର ୮ ନମ୍ବର ଯୋଡ଼ି ଗୋହ ସୁନ୍‌ ହୁଆଟ ଏବଂ ଲାଇ ଶେଭନ ଜେମିଙ୍କ ବିପକ୍ଷ ମ୍ୟାଚ କଷ୍ଟସାଧ୍ୟ ଥିଲା। ସେମାନେ ୧୬-୨୧, ୧୭-୨୧ରେ ପରାସ୍ତ ହୋଇଥିଲେ। ଭାରତ ୦-୩ରେ ପଛୁଆ ରହି ଆଗୁଆ ପରାଜିତ ହୋଇଯାଇଥିଲା।

Share