Categories: ଖେଳ

ପ୍ରଥମ ଭାରତୀୟ ଭାବେ ଏମିତି ସମ୍ମାନ ପାଇଲେ ସ୍ମୃତିି

ନୂଆଦିଲ୍ଲୀ,୨୪।୧: ସମସ୍ତ ଫର୍ମାଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତୀୟ ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧନା ୨୦୨୧ ମସିହା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ମନୋନୀତ ହୋଇଛନ୍ତି। ସେ ଇଂଲଣ୍ଡର ଟମସିନ୍‌ ବିମୋଣ୍ଟ, ଦକ୍ଷିଣ ଆଫ୍ରିକାର ଲିଜେଲ ଲି ଏବଂ ଆୟର୍ଲାଣ୍ଡର ଗାବି ଲୁଇସଙ୍କୁ ପଛରେ ପକାଇ ଏହି ସମ୍ମାନ ଜିତିଛନ୍ତି।
ମନ୍ଧନା ଦ୍ୱିତୀୟ ଥର ପାଇଁ ଏହି ପୁରସ୍କାର ଜିତିଛନ୍ତି । ଏହାପୂର୍ବରୁ ସେ ୨୦୧୮ରେ ଶ୍ରେଷ୍ଠ ମହିଳା କ୍ରିକେଟର ତଥା ଶ୍ରେଷ୍ଠ ମହିଳା ଦିନିକିଆ କ୍ରିକେଟର ପୁରସ୍କାର ଜିତିଥିଲେ। ଦୁଇଥର ଏହି ପୁରସ୍କାର ଜିତିଥିବା ମନ୍ଧାନା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଖେଳାଳ। ଏହାପୂର୍ବରୁ ଝୁଲାନ ଗୋସ୍ବାମୀ (୨୦୦୭) କେବଳ ଥରେ ଏହି ପୁରସ୍କାର ଜିତିଛନ୍ତି। ଏଥି ସହିତ, ସାମଗ୍ରିକ ଭାବେ ମନ୍ଧାନା ହେଉଛନ୍ତି ଦ୍ୱିତୀୟ ମହିଳା କ୍ରିକେଟର। ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଏଲିସ ପେରି ଦୁଇଥର (୨୦୧୭, ୨୦୧୯) ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟର ପୁରସ୍କାର ଜିତିଥିଲେ।

ଭାରତୀୟ ମହିଳା କ୍ରିକେଟ ଦଳର ଓପନର୍‌ ସ୍ମୃତି ଗତ ବର୍ଷ ହାରାହାରି ୩୮.୮୬ରେ ୨୨ଟି ଅନ୍ତର୍ଜାତୀୟ ମ୍ୟାଚରେ ୮୫୫ ରନ ସଂଗ୍ରହ କରିଥିଲେ। ସେ ଗତ ବର୍ଷ ୧ ଶତକ ଏବଂ ୫ ଅର୍ଦ୍ଧଶତକ ହାସଲ କରିଥିଲେ। ଗତ ବର୍ଷ ଭାରତୀୟ ଦଳ ପାଇଁ ଭଲ ବର୍ଷ ହୋଇ ନ ଥାଇପାରେ, କିନ୍ତୁ ସ୍ମୃତି ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ।

Share