Categories: ଖେଳ

ଇତିହାସ ରଚିଲେ ଭାରତର ଜ୍ୱାଇଁ

ଲାହୋର,୮।୧୦: ପାକିସ୍ତାନର ବରିଷ୍ଠ ଖେଳାଳି ଶୋଏବ ମଲିକ ଦିନ ଟି -୨୦ କ୍ରିକେଟରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଦୁନିଆର ତୃତୀୟ ଏବଂ ପାକିସ୍ତାନ ପ୍ରଥମ କ୍ରିକେଟର୍‌ ଭାବେ ଟି-୨୦ରେ ୧୧,୦୦୦ ରନ ସ୍କୋର କରିବାରେ ହୋଇଥିଲେ। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ସେ ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଦଳରେ ସ୍ଥାନ ପାଇନାହାଁନ୍ତି। ଏନେଇ ଦଳ ଚୟନ ପରେ ଚୟନକର୍ତ୍ତାଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା। ଘରୋଇ ଟି -୨୦ ଲିଗ ବ୍ୟାଶନାଲ୍‌ କପ ସମୟରେ ମଲିକ ଏହି ପ୍ରଦର୍ଶନ କରିଥିଲେ। ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନଙ୍କ ଶ୍ରେଷ୍ଠ-୬ ତାଲିକାରେ ମଧ୍ୟ ସ୍ଥାନ ପାଇଛନ୍ତି। ସେଣ୍ଟା୍ରାଲ ପାକିସ୍ତାନ ପାଇଁ ଖେଳୁଥିବା ଶୋଏବ ମଲିକ ୨୬ ରନ ସ୍କୋର କରି ଏହି ରେକର୍ଡ ସୃଷ୍ଟି କରିଛନ୍ତି। ଏହି ମ୍ୟାଚ ପୂର୍ବରୁ ସେ ୪୧୧ ଟି -୨୦ ମ୍ୟାଚରେ ୧୦୯୮୮ରନ ସ୍କୋର କରିଥିଲେ। ହାରାହାରି ହେଉଛି ୩୭ରେ ସେ ୬୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ଶ୍ରେଷ୍ଠ ସ୍କୋର ୯୮। ସେ ୮୬୨ ଚୌକା ଓ ୩୩୩ ଛକା ମାରିଛନ୍ତି। କେବଳ ଏତିକି ନୁହେଁ ୩୯ ବର୍ଷୀୟ ଅଫ-ସ୍ପିନର ମଲିକ ମଧ୍ୟ ଟି -୨୦ ରେ ୧୫୨ ଉଇକେଟ ନେଇଛନ୍ତି। ଶୋଏବ ଭାରତର ଟେନିସ ଷ୍ଟାର୍‌ ସାନିଆ ମିର୍ଜାଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ଏକ ପୁଅ ଅଛି।
ଟି -୨୦ କ୍ରିକେଟ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ କେବଳ ତିନିଜଣ ବ୍ୟାଟ୍ସମ୍ୟାନ ୧୧ ହଜାର କିମ୍ବା ତା’ଠାରୁ ଅଧିକ ରନ୍‌ କରିବାରେ ସକ୍ଷମ ହୋଇଛନ୍ତି। ୱେଷ୍ଟଇଣ୍ଡଜ୍‌ର କ୍ରିସ ଗେଲ ୧୪୨୭୬ ରନ ସହ ଶୀର୍ଷରେ ଅଛନ୍ତି । ୨୨ ଶତକ ଏବଂ ୮୭ ଅର୍ଦ୍ଧଶତକ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜର କିରନ ପୋଲାର୍ଡ ୧୧୨୨୩ ରନ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ଗୋଟିଏ ଶତକ ଏବଂ ୫୬ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ସେ ଟି -୨୦ରେ ୩୦୦ରୁ ଅଧିକ ଉଇକେଟ ନେଇଛନ୍ତି। ଏହି ଦୁଇ ଖେଳାଳି ଟି -୨୦ ବିଶ୍ୱକପ ପାଇଁ ୱେଷ୍ଟଇଣ୍ଡିଜ ଦଳରେ ସ୍ଥାନ ପାଇଛନ୍ତି। କିନ୍ତୁ ଟି -୨୦ରେ ୧୧,୦୦୦ ରନ ସ୍କୋର କରିଥିବା କେବଳ ତୃତୀୟ ଖେଳାଳି ଶୋଏବ ମଲିକ ପାକିସ୍ତାନ ଦଳ ବାହାରେ ଅଛନ୍ତି।

Share