Categories: ଖେଳ

ଡେନ୍‌ମାର୍କ ଓ ଫ୍ରେଞ୍ଚ୍‌ ଓପନରୁ ଓହରିଲେ ଭାରତର ଷ୍ଟାର୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରଣୟ

ଓଡେଞ୍ଜ(ଡେନ୍‌ମାର୍କ),୧୭ା୧୦: ପିଠିରେ ଆଘାତ ଯୋଗୁ ଭାରତର ଷ୍ଟାର୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ଏଚ୍‌ଏସ୍‌ ପ୍ରଣୟ ଡେନ୍‌ମାର୍କ ଓପନ ସୁପର ୭୫୦ ଓ ଫ୍ରେଞ୍ଚ୍‌ ଓପନ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ନିକଟରେ ଅନୁଷ୍ଠିତ ଏସିଆନ ଗେମ୍ସରେ ପ୍ରଥମ ବ୍ରୋଞ୍ଜ ପଦକ ବିଜୟୀ ମ୍ୟାଚରେ ଏହି ଆଘାତ ତାଙ୍କୁ ସମସ୍ୟାରେ ପକାଇଥିଲା। ହାଙ୍ଗ୍‌ଝୋଠାରେ ଏହି ୩୧ ବର୍ଷୀୟ ଭାରତୀୟ ଦୀର୍ଘ ୪୧ ବର୍ଷ ବ୍ୟବଧାନରେ ପୁରୁଷ ସିଙ୍ଗଲ୍ସରେ ଭାରତ ପାଇଁ ପ୍ରଥମ ପଦକ ଆଣିଦେଇଥିଲେ। ଆଘାତପ୍ରାପ୍ତ ଥିବାରୁ ସେ ଆସନ୍ତା ୨ରୁ ୩ ସପ୍ତାହ ଖେଳିପାରିବେ ନାହିଁ। ତେଣୁ ସେ ଡନ୍‌ମାର୍କ ଓ ଫ୍ରେଞ୍ଚ୍‌ ଓପନରେ ଅଂଶଗ୍ରହଣ କରିପାରିବେନାହିଁ। ତାଙ୍କ ଅନୁପସ୍ଥିତିରେ ଲକ୍ଷ୍ୟ ସେନ୍‌ ମଙ୍ଗଳବାର ଆରମ୍ଭ ହେବାକୁଥିବା ଡେନ୍‌ମାର୍କ ଓପନରେ ଭାରତୀୟ ଚ୍ୟାଲେଞ୍ଜର ନେତୃତ୍ୱ ନେବେ। ଏସିଆନ ଗେମ୍ସ ପୁରୁଷ ଟିମ୍‌ ଇଭେଣ୍ଟରେ ଭାରତର ପ୍ରଥମ ରୌପ୍ୟ ଦଳର ବିଜୟ ପଥରେ ସେନ୍‌ଙ୍କର ପ୍ରମୁଖ ଭୂମିକା ରହିଥିଲା। ଏସିଆନ ଗେମ୍ସରେ ଅପରାଜେୟ ରହିଥିବା ସେନ୍‌ ଥାଇଲାଣ୍ଡର କାଣ୍ଟାଫନ୍‌ ଓ୍ବାଙ୍ଗଚାରୋନଙ୍କ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ଅଭିଯାନ ଆରମ୍ଭ କରିବେ। ଦ୍ୱିତୀୟ ରାଉଣ୍ଡରେ ସେ ୬ଷ୍ଠ ସିଡ୍‌ ତଥା ଚାଇନାର ଶି’ ୟୁକିଙ୍କୁ ଭେଟିପାରନ୍ତି। ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା ପି.ଭି. ସିନ୍ଧୁ ଗତ ସପ୍ତାହରେ ଆର୍କଟିକ୍‌ ଓପନରେ ଭଲ ପ୍ରଦର୍ଶନ କରି ସେମିଫାଇନାଲ ପର୍ଯ୍ୟନ୍ତ ଯାଇପାରିଥିଲେ। ବର୍ତ୍ତମାସ ସେ ଡେନମାର୍କରେ ସ୍କଟ୍‌ଲାଣ୍ଡର କିର୍ଷ୍ଟି ଗିଲ୍‌ମୋରଙ୍କୁ ଭେଟିବେ। ଅନ୍ୟପକ୍ଷରେ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା ଲାଗି ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ବୃଦ୍ଧି କରିବା ଲକ୍ଷ୍ୟରେ ଥିବା ବିଶ୍ୱର ୨୦ ନମ୍ବର ମାନ୍ୟତାପ୍ରାପ୍ତ କିଡାମ୍ବି ଶ୍ରୀକାନ୍ତ ତାଙ୍କ ଓପ୍‌ନିଂ ଗେମ୍‌ ଚାଇନାର ଓ୍ବେଙ୍ଗ ହଙ୍ଗ୍‌ ୟାଙ୍ଗ୍‌ଙ୍କ ବିପକ୍ଷରେ ଖେଳିବେ।

Share