Categories: ଜାତୀୟ

ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଭାରତର କଡା ଜବାବ: ପାସ୍‌ପୋର୍ଟ, ଓଆଇସି କାର୍ଡ ରଦ୍ଦ କରିବ ଭାରତ

ନୂଆଦିଲ୍ଲୀ,୨୪।୯: ଭାରତ-କାନାଡା ବିବାଦ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀଙ୍କ ଅବାଧ ପ୍ରବେଶକୁ ରୋକିବା ପାଇଁ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆମେରିକା, ବ୍ରିଟେନ, କାନାଡା ଓ ଅଷ୍ଟ୍ରେଲିଆର ସମସ୍ତ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଭାରତରେ ପ୍ରବେଶ ନ କରିବା ପାଇଁ ସେମାନଙ୍କ ଓଭରସିଜ ସିଟିଜେନ ଅଫ ଇଣ୍ଡିଆ(ଓସିଆଇ)କାର୍ଡ ଓ ପାସ୍‌ପୋର୍ଟ କୁ ରଦ୍ଦ କରିବାକୁ ଭାରତ ସରକାର ଅନୁସନ୍ଧାନକାରୀ ଏଜେନ୍ସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଡ ଦ୍ୱାରା ଖଲିସ୍ତାନୀମାନେ ଭାରତକୁ ସହଜରେ ଯାତାୟାତ କରିପାରୁଥିଲେ। ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯେଉଁମାନେ ବିଦେଶରେ ଭାରତୀୟ ଅନୁଷ୍ଠାନ, କାଉନସୁଲେଟ ଏବଂ ଦୂତାବାସ ଉପରେ ଆକ୍ରମଣ କରିଛନ୍ତି ସେମାନଙ୍କ ପାସପୋର୍ଟ ବାତିଲ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଗୁରୁପତଓ୍ବନ୍ତ ସିଂ ପନ୍ନୁଙ୍କ ଭାରତରେ ସମ୍ପତ୍ତି ଜବତ କରିବାର ଗୋଟିଏ ଦିନ ପରେ ଏହି ପଦକ୍ଷେପ ନିଆଯାଇଛି। ଅନେକ ଏଜେନ୍ସି ପନ୍ନୁଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ସୂଚନା ଅନୁଯାୟୀ ବିଦେଶରେ ଥିବା ଆତଙ୍କବାଦୀଙ୍କ ସମ୍ପତ୍ତି ଚିହ୍ନଟ କରିବାକୁ ଭାରତ ସରକାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଆମେରିକା, ବ୍ରିଟେନ, କାନାଡା ଓ ଅଷ୍ଟ୍ରେଲିଆ ଭଳି ଦେଶରେ ଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଚିହ୍ନଟ କରିବାକୁ ଭାରତ ସରକାର ଏଜେନ୍ସିଗୁଡ଼ିକୁ କହିଛନ୍ତି। ଏହାପରେ ଆତଙ୍କବାଦୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିବ। ଆତଙ୍କବାଦୀ ତଥା ସେମାନଙ୍କ ସହଯୋଗୀ ଗୋଷ୍ଠୀ ବିରୋଧରେ ଭାରତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି ସମସ୍ତଙ୍କର ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟଗୁଡିକ ଚିହ୍ନଟ କରାଯାଉଛ।

ସୂଚନାନୁସାରେ, ଏନଆଇଏ ଖଲିସ୍ତାନୀ ଆତଙ୍କବାଦୀଙ୍କ ଏକ ନୂଆ ତାଲିକା ପ୍ରକାଶ କରିଛି। ତାଲିକାରେ ସମୁଦାୟ ୧୯ଜଣଙ୍କ ନାମ ରହିଛି। ଏଥିମଧ୍ୟରେ ବ୍ରିଟେନରେ ରହୁଥିବା ୭ଜଣ ଖଲିସ୍ତାନୀ ଏବଂ ଆମେରିକାରେ ରହୁଥିବା ୫ଜଣ ଖଲିସ୍ତାନୀ ଅଛନ୍ତି। ଏହି ୧୯ଜଣ ବିଦେଶରେ ରହୁଥିବାବେଳେ ଭାରତ ବିରୋଧରେ ପ୍ରଚାର କରୁଛନ୍ତି।

 

Share