ଭାରତର ସମର୍ଥନ, ନିନ୍ଦା କଲା ଚାଇନା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯ା୫: ମହାମାରୀ କରୋନା ସଂକ୍ରମଣକୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏହି ଘାତକ ଭୂତାଣୁର ଉତ୍ପତ୍ତିକୁ ନେଇ ବୈଜ୍ଞାନିକମାନେ କୌଣସି ନିଷ୍କର୍ଷରେ ପହଞ୍ଚତ୍ପାରି ନାହାନ୍ତି। ଚାଇନାର ଉହାନ ସହରସ୍ଥିତ ଏକ ଲାବ୍‌ରୁ ନୋଭେଲ କରୋନା ଭାଇରସ୍‌ ସୃଷ୍ଟି ହୋଇଥିବା ଅନେକେ କହୁଛନ୍ତି। ତେବେ ଏହି ଥିଓରିକୁ ସାବ୍ୟସ୍ତ କରିବା ଭଳି କୌଣସି ପ୍ରାମାଣିକ ତଥ୍ୟ ହସ୍ତଗତ ହୋଇନାହିଁ। ଫଳରେ ଘାତକ କୋଭିଡ୍‌-୧୯ର ଜନ୍ମ ଏବେ ବି ରହସ୍ୟାବୃତ ହୋଇ ରହିଛି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହାକୁ ନେଇ ତଦନ୍ତ ତ୍ୱରାନ୍ବିତ କରିବା ଲାଗି ନିର୍ଦ୍ଦେଶ ଦେବା ପରେ ଚାଇନା କଡ଼ା ବିରୋଧ କରିଛି।
ବର୍ଷେ ପୂର୍ବରୁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କରୋନାକୁ ଚାଇନା ଭାଇରସ୍‌ କହି ତାଚ୍ଛଲ୍ୟ କରୁଥିଲେ। ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ଙ୍କ ପରାଜୟର ଅନ୍ୟତମ କାରଣ ରୂପେ କୋଭିଡ୍‌ ମୁକାବିଲାରେ ତାଙ୍କ ବିଫଳତାକୁ ଦାୟୀ କରାଯାଇଥାଏ। ଟ୍ରମ୍ପ୍‌ ନିଜ ବିଫଳତା ଲୁଚାଇବା ପାଇଁ ଚାଇନା ବେକରେ ଘଣ୍ଟି ବାନ୍ଧିବାକୁ ଉଦ୍ୟମ କରିଥିବା ବେଜିଂ କହିଛି। ଏବେ ରାଷ୍ଟ୍ରପତି ବାଇଡେନ୍‌ ମଧ୍ୟ ଚାଇନାରୁ ଏହି ଭାଇରସ୍‌ର ଉତ୍ପତ୍ତି ହୋଇଥିବା ସନ୍ଦେହ କରୁଛନ୍ତି। କାରଣ ୨୦୧୯ ନଭେମ୍ବରରେ ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିର ଅନେକ ଗବେଷକ ଅସୁସ୍ଥ ହୋଇପଡ଼ିଥିବା ନେଇ ଏକ ଗୋଇନ୍ଦା ରିପୋର୍ଟ ପ୍ରକାଶ ପାଇଛି। ଚାରିଆଡ଼ୁ ଚାପ ବଢ଼ିବା ପରେ ବାଇଡେନ୍‌ ଗୋଇନ୍ଦା ଅଧିକାରୀମାନଙ୍କୁ ଜୋର୍‌ଦାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଚାଇନା ବହିର୍ବ୍ୟାପାର ମୁଖପାତ୍ର ଝାଓ ଲିଜିଆନ୍‌ ଶୁକ୍ରବାର କହିଛନ୍ତି, ଆମେରିକା ତଥ୍ୟ ଓ ସତ ସମ୍ପର୍କରେ କହି ନ ଥାଏ। ଏପରି କି ଗମ୍ଭୀର ବୈଜ୍ଞାନିକ ଅଧ୍ୟୟନ ଉପରେ ମଧ୍ୟ ଏହାର ଆଗ୍ରହ ନାହିଁ। ଆମେରିକାର କେବଳ ଗୋଟିଏ ଲକ୍ଷ୍ୟ, ତାହା ହେଉଛି ମହାମାରୀକୁ ନେଇ ରାଜନୀତି ଓ ଦୋଷାରୋପ କରିବା। ଅନ୍ୟପକ୍ଷରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଦ୍ୱାରା କରୋନା ଭାଇରସ୍‌ର ଉତ୍ପତ୍ତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ ନେଇ ବିଶ୍ୱବ୍ୟାପୀ ହେଉଥିବା ଦାବିକୁ ଭାରତ ସମର୍ଥନ କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି, ଡବ୍ଲ୍ୟୁଏଚ୍‌ଓ ରିପୋର୍ଟକୁ ନେଇ ଫଲୋଅପ୍‌ କରାଯିବା ଆବଶ୍ୟକ। ଚୂଡ଼ାନ୍ତ ନିଷ୍କର୍ଷରେ ପହଞ୍ଚତ୍ବା ପାଇଁ ଅଧିକ ଗବେଷଣା ସକାଶେ ସମସ୍ତଙ୍କ ସହଯୋଗ ଜରୁରୀ।

Share