
ଭୁବନେଶ୍ୱର,୨୭।୧: ଶିଳ୍ପ ବିଭାଗ ପକ୍ଷରୁ ପ୍ରକାଶିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୮ (ମଙ୍ଗଳବାର) ଜନତା ମଇଦାନରେ ନିବେଶକ ସମ୍ମିଳନୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ୨ ଦୁଇଦିନ ଧରି ଚାଲିବ।
ଏହି କନ୍କ୍ଲେଭରେ ଦେଶ ବିଦେଶରୁ ବହୁ ଶିଳ୍ପପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁଷ୍, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି କନ୍କ୍ଲେଭରେ ସାମିଲ ହେବେ ବୋଲି ଜଣାପଡ଼ିଛି । ୨ ଦିନରେ ହେବାକୁ ଥିବା ଏହି କନ୍କ୍ଲେଭରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଏହି କନ୍କ୍ଲେଭରେ ଏଲ.ଏନ. ମିତ୍ତଲ, କୁମାର ମଙ୍ଗଳମ୍ ବିର୍ଲା, ଅନିଲ ଅଗ୍ରୱାଲ, ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, କରଣ ଆଦାନୀ, ଟି.ଭି. ନରେନ୍ଦ୍ରନଙ୍କ ଭଳି ଦେଶର ବଡ଼ ବଡ଼ ଶିଳ୍ପପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ଉତ୍କର୍ଷ ଓଡ଼ିଶା କନ୍କ୍ଲେଭରେ ୧୦୦ରୁ ଊର୍ଦ୍ଧ୍ୱ ଶିଳ୍ପପତିଙ୍କ ସହ ଏମ୍ଓୟୁ ସ୍ବାକ୍ଷର ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି, ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ ଏକ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ହେବ। ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ଆଗାମୀ ଦିନରେ ଓଡ଼ିଶା ଶିଳ୍ପ ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ପୂର୍ବ ସରକାର ସମୟରେ ଦୁଇ ଦଶନ୍ଧି ଧରି ସବୁପ୍ରକାର ସମ୍ଭାବନା ଥାଇ ବି ଓଡ଼ିଶା ଶିଳ୍ପର ମରୁଭୂମି ପାଲଟିଥିଲା। ଶିଳ୍ପ କ୍ଷେତ୍ରରେ ଓଡ଼ିଶା ବହୁତ ଆଗକୁ ଯିବ। ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ସହ ଶିଳ୍ପର ଇକୋ ହବ୍ କରିବା ସରକାରଙ୍କ ଲକ୍ଷ୍ୟ ରହିଛି।