ଜାତିସଂଘରେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଭାରତର କଡ଼ା ଜବାବ…

ଜେନେଭା,୧୩।୧୦ : ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନର ଘୃଣ୍ୟ କାର୍ଯ୍ୟ ପୁଣି ଥରେ ସାମ୍ନାକୁ ଆସିଛି। ଏଥିପାଇଁ ଭାରତ ପୁଣି ଥରେ କଡ଼ା ଜବାବ ଦେବା ସହିତ ନିନ୍ଦା କରିଛି। ସାଧାରଣ ସଭାରେ ୟୁକ୍ରେନ-ରୁଷିଆ ଯୁଦ୍ଧ ପ୍ରସଙ୍ଗ ଚାଲିଥିଲା ।

ଏହି ସମୟରେ ପାକିସ୍ତାନୀ କୂଟନୀତିଜ୍ଞ ମୁନିର ଆକ୍ରାମ କ୍ରମାଗତ ଭାବରେ କଶ୍ମୀରର ସ୍ଥିତିକୁ ରୁଷିଆ-ୟୁକ୍ରେନ ଯୁଦ୍ଧ ସହିତ ତୁଳନା କରୁଥିଲେ। ଏହା ପରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ମୁନିରଙ୍କର ଏଭଳି କାର୍ଯ୍ୟକୁ କଡ଼ା ସ୍ବରରେ ନିନ୍ଦା କରିଥିଲେ। ରୁଚିରା କାମ୍ବୋଜ କହିଛନ୍ତି ଯେ ମିଳିତ ଜାତିସଂଘ ସାଧାରଣ ସଭାରେ ୟୁକ୍ରେନ ଏବଂ ରୁଷିଆ ଯୁଦ୍ଧ ଭଳି ଗୁରୁତର ପ୍ରସଙ୍ଗ ଉପରେ ବିତର୍କ ଚାଲିଛି। କିନ୍ତୁ ଆମେ ଆଶ୍ଚର୍ଯ୍ୟ ହୋଇଛୁ ଯେ ପୁନର୍ବାର ଏହି ଫୋରମକୁ ଏକ ପ୍ରତିନିଧୀ ଦଳ ଦ୍ୱାରା ଅପବ୍ୟବହାର କରାଯାଉଛି। ମୋ ଦେଶ ବିରୁଦ୍ଧରେ ତୁଚ୍ଛ ଏବଂ ଅର୍ଥହୀନ ମନ୍ତବ୍ୟ ଦିଆଯାଉଛି ।

କାମ୍ବୋଜ କହିଛନ୍ତି ଯେ ବାରମ୍ବାର ମିଥ୍ୟା ମାନସିକତା ଥିବା ଦେଶ ସବୁବେଳେ ସହାନୁଭୂତି ପାଇବାକୁ ଚେଷ୍ଟା କରନ୍ତି କିନ୍ତୁ ଏହାର କୌଣସି ଲାଭ ନାହିଁ। ସେ କହିଛନ୍ତି ଯେ ଏଭଳି ବିବୃତ୍ତି ପରେ ପାକିସ୍ତାନ ସାମୁହିକ ଅବମାନନାର ଯୋଗ୍ୟ। ଜମ୍ମୁ-କଶ୍ମୀରର ସମଗ୍ର ଅଞ୍ଚଳ ସର୍ବଦା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପାକିସ୍ତାନର ପ୍ରତିନିଧୀ ଏହାକୁ ବିଶ୍ୱାସ କରୁଛନ୍ତି କି ନାହିଁ ତାହା ଜଣା ନାହିଁ। ଆମେ ପାକିସ୍ତାନକୁ ଆତଙ୍କବାଦ ବନ୍ଦ କରିବାକୁ କହୁଛୁ ଯାହା ଦ୍ୱାରା ଆମର ନାଗରିକମାନେ ସେମାନଙ୍କର ଜୀବନ ଏବଂ ସ୍ବାଧୀନତାର ଅଧିକାର ଉପଭୋଗ କରିପାରିବେ। ମାତ୍ର ଏକ୍ଷେତ୍ରରେ ପଡୋଶୀ ଦେଶ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି କାମ୍ବୋଜ କହିଛନ୍ତି।

Share