ସୁରକ୍ଷା ପରିଷଦରେ ଭାରତ କଡ଼ା ଆଭିମୁଖ୍ୟ,ଆତଙ୍କବାଦ ନେଇ ଦୋମୁହାଁ ମାପଦଣ୍ଡ ବନ୍ଦ କରୁ ଚାଇନା…

ଜେନେଭା, ୨୩।୮ : ଆତଙ୍କବାଦ ଉପରେ ଦୋମୁହାଁ ମାପଦଣ୍ଡ ଗ୍ରହଣ ନକରିବାକୁ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ଚାଇନାକୁ ଚେତାବନୀ ଦେଇଛି। ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରି କହିଛି ଯେ ଯଥାସ୍ଥିତିରେ ପରିବର୍ତ୍ତନ କରିବାକୁ ଚାହୁଁଥିବା କୌଣସି ବାଧ୍ୟତାମୂଳକ କିମ୍ବା ଏକପାଖିଆ କାର୍ଯ୍ୟ ସୁରକ୍ଷା ନୀତିର ଉଲ୍ଲଂଘନ କରିବ।

ମିଳିତ ଜାତିସଂଘର ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ଏକ ବୈଠକରେ କହିଛନ୍ତି ଯେ ଆଲୋଚନା ଏବଂ ସହଯୋଗ ମାଧ୍ୟମରେ ସହଭାଗୀ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଜରୁରୀ। ସେ କହିଛନ୍ତି ଯେ ସମସ୍ତ ଦେଶ ପରସ୍ପରର ସାର୍ବଭୌମତ୍ୱ, ଆଞ୍ଚଳିକ ଅଖଣ୍ଡତା ଏବଂ ଅନ୍ତର୍ଜାତୀୟ ଚୁକ୍ତିନାମାକୁ ସମ୍ମାନ ଦେବା ଆବଶ୍ୟକ। ୟୁଏନଏସସିର ଏହି ବୈଠକକୁ ଚାଇନା ପକ୍ଷରୁ ଆୟୋଜିତ ହୋଇଥିଲା।

ଅଗଷ୍ଟ ମାସ ପାଇଁ ଚାଇନା ସୁରକ୍ଷା ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛି। ଏହି ୧୫ ସଦସ୍ୟ ବିଶିଷ୍ଟ ପରିଷଦରେ ଚାଇନାର ଭିଟୋ କ୍ଷମତା ଅଛି। ଚାଇନା ଏବଂ ଏହାର ଘନିଷ୍ଠ ସହଯୋଗୀ ପାକିସ୍ତାନ ଉଦ୍ଦେଶ୍ୟରେ କମ୍ବୋଜ କହିଛନ୍ତି ଯେ ଆତଙ୍କବାଦ ଭଳି ବିପଦ ବିରୁଦ୍ଧରେ ସମସ୍ତ ଦେଶ ଏକାଠି ଠିଆ ହେଲେ ଏବଂଦୋମୁହାଁ ମାପଦଣ୍ଡ ଗ୍ରହଣ ନକଲେ ସାଧାରଣ ସୁରକ୍ଷା ସମ୍ଭବ ହୋଇ ପାରିବ।

Share