Categories: ଖେଳ

ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ କଳା ବାଦଲ

ମୁମ୍ବାଇ,୨୬।୧୧: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଯୋଗୁ ଭାରତୀୟ କ୍ରିକେଟ ଦଳର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ ଛାୟୀ ହୋଇଯାଇଛି କଳା ବାଦଳ। ଏହି ଗସ୍ତ ଆସନ୍ତା ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବାର ଅଛି। ଏହି ସିରିଜ୍‌ ପୂର୍ବରୁ ପ୍ରସ୍ତୁତି ଲାଗି ଦକ୍ଷିଣ ଆଫ୍ରିକା ଏ’ ସହ ଏକ ଅନଅଫିସିଆଲ ଟେଷ୍ଟ ସିରିଜ୍‌ ଖେଳୁଛି ଭାରତୀୟ ଏ’ ଦଳ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଏବେ ଚାଲିଛି।

ସୂତ୍ରରୁ ଜଣାପଡ଼ିଛି, ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନୁମତି ମାଗିଛି ବିସିସିଆଇ। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ ଶେଷ ହେବା ପରେ ଭାରତୀୟ ଦଳର ବରିଷ୍ଠ ଖେଳାଳିମାନେ ଡିସେମ୍ବର ୮ ତାରିଖରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବେ ବୋଲି ଆଶା କରାଯାଉଛି। ଭାରତୀୟ ଏ’ ଦଳର କିଛି ଖେଳାଳିଙ୍କୁ ମୁଖ୍ୟ ସିରିଜ୍‌ ପାଇଁ ରଖିବାକୁ ବିସିସିଆଇ ଯୋଜନା କରୁଛି।

କରୋନା ଭୂତାଣୁ ଭାରିଆଣ୍ଟ- ବି. ୧.୧.୫୨୯କୁ ସବୁଠୁ ଘାତକ ବୈଜ୍ଞାନିକମାନେ ଘୋଷଣା କରିଛନ୍ତି। କାରଣ ଏହି ଭାରିଆଣ୍ଟ ଅନ୍ୟ ଭାରିଆଣ୍ଟ ଅପେକ୍ଷା ଖୁବ୍‌ କ୍ଷିପ୍ର ଗତିରେ ସଂକ୍ରମିତ କରୁଛି। ଚଳିତ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଏହି ଭାରିଆଣ୍ଟ ବୋଟସ୍ବାନା ଭଳି ପଡ଼ୋଶୀ ଦେଶକୁ ବ୍ୟାପିଯାଇଛି।

କାର୍ଯ୍ୟସୂଚୀ ଅନୁଯାୟୀ, ଭରତକୁ ଦକ୍ଷିଣ ଆଫ୍ରିକା ସହ ୩ ଟେଷ୍ଟ, ୩ ଦିନିକିଆ ଓ ୪ ଟି୨୦ ମ୍ୟାଚ୍‌ ଖେଳିବାର ଅଛି।

Share