ଭାରତର ଦୁଇ ପଡ଼ୋଶୀ ଦେଶ

ପଡ଼ୋଶୀଟିଏ ଉତ୍ତମ ବନ୍ଧୁତ୍ୱର ନିଦର୍ଶନ ହୋଇପାରେ କିମ୍ବା ଶତ୍ରୁତା ଆଚରଣ ବି କରିପାରେ। ଏହା ପରିବାର, ଗୋଷ୍ଠୀ, ସମାଜ ଏବଂ ସର୍ବୋପରି ଦେଶ ଦେଶ ମଧ୍ୟରେ ଦେଖାଯାଏ। ଜଣେ ଉତ୍ତମ ପଡ଼ୋଶୀ ସେହି ଯେ ସୁଖଦୁଃଖରେ ଆନ୍ତରିକତାର ସହଭାଗିତା ସ୍ଥାପନ କରେ। ଗୋଟିଏ ଦେଶର ପଡ଼ୋଶୀ ଯଦି ଉତ୍କଟ ଶତ୍ରୁତା ଆଚରଣ କରେ ତେବେ ଦୁଇଦେଶ ମଧ୍ୟରେ ତିକ୍ତତା ବୃଦ୍ଧିପାଏ ଓ ଉଭୟ ଦେଶର ସାଧାରଣ ଜନତା ଏଥିରେ ଦୁଃଖ ଭୋଗ କରନ୍ତି। ଭାରତର ଦ୍ରୁତ ବିକାଶ ତା’ର ପଡ଼ୋଶୀ ଦେଶ ବିଶେଷ ଭାବେ ପାକିସ୍ତାନକୁ ଈର୍ଷାନ୍ବିତ କରିଛି। ଫଳ ସ୍ବରୂପ ପାକିସ୍ତାନ ପ୍ରତ୍ୟକ୍ଷ ବା ପରୋକ୍ଷରେ ଭାରତରେ ଆତଙ୍କୀ କାର୍ଯ୍ୟକଳାପ ଜାରିରଖିଛି। ପାକିସ୍ତାନର ସାଧାରଣ ଜନତା ମଧ୍ୟ ସେ ଦେଶର ସରକାରୀ ବ୍ୟବସ୍ଥାକୁ ବିରୋଧ କରିବା ଆରମ୍ଭ କଲେଣି। ଭାରତ ପରି ପାକିସ୍ତାନ କାହିଁକି ସଫଳତା ଅର୍ଜନ କରି ପାରୁନାହିଁ ବୋଲି ସେ ଦେଶର ଶିକ୍ଷିତ ନାଗରିକ ପ୍ରଶ୍ନ ଉଠାଇଲେଣି। ଏପରି କି ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଧ୍ୟ ଏ ବିଷୟରେ ପ୍ରଶ୍ନ ଉଠାଇଛନ୍ତି। ସମ୍ପ୍ରତି ଲଣ୍ଡନରେ ଥିବା ସରିଫ୍‌ ପ୍ରଶ୍ନ କରିଛନ୍ତି ଭାରତ ପରି ପାକିସ୍ତାନ କାହିଁକି ସଫଳତା ହାସଲ କରିପାରୁନାହିଁ- ଏ ବିଷୟରେ ପାକିସ୍ତାନ ନେତୃମଣ୍ଡଳୀ ସମୀକ୍ଷା କରିବା ଆବଶ୍ୟକ। ଚନ୍ଦ୍ରୟାନ-୩ର ସଫଳତା ଓ ଜି-୨୦ ସମ୍ମିଳନୀରେ ସଫଳ ଆୟୋଜନ ପରେ ପାକ୍‌ ଗଣମାଧ୍ୟମଗୁଡ଼ିକ ଭାରତକୁ ପ୍ରଶଂସା କରିଛନ୍ତି, ଯାହା ସେ ଦେଶର ଶାସକଙ୍କୁ ବିବ୍ରତ କରିଛି। ବଡ଼କଥା ହେଲା, ପାକିସ୍ତାନ ଜନ୍ମିତ ସ୍ବିଡେନ ରାଜନୀତି ବିଶେଷଜ୍ଞ ଭାବେ ସୁପରିଚିତ ଇସ୍ତିଆଜ ଅହମ୍ମଦ କହିଛନ୍ତି ଯେ, ଭାରତରେ ବସବାସ କରୁଥିବା ମୁସଲମାନମାନେ ପାକିସ୍ତାନ ମୁସଲମାନଙ୍କ ତୁଳନାରେ ଯଥେଷ୍ଟ ଭଲରେ ଅଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ଏତେ ସଂଖ୍ୟକ ମୁସଲମାନ ଯଦି ଭାରତରେ ସୁଖରେ ରହି ପାରୁଛନ୍ତି, ତେବେ ପାକିସ୍ତାନରେ ଏହା କାହିଁକି ସମ୍ଭବ ହେଉନାହିଁ ? ଇସ୍ତିଆଜ ଭାରତର ସମାନ ନାଗରିକ ସଂହିତା (ୟୁସିସି)କୁ ସମର୍ଥନ କରି କହିଛନ୍ତି ଯେ ଏହାଦ୍ୱାରା ସବୁ ସମ୍ପ୍ରଦାୟ ସମାନଭାବେ ଆଇନଗତ ସୁବିଧା ପାଇବେ, ଯାହାଫଳରେ ବିକାଶ ଅବଶ୍ୟମ୍ଭାବୀ। ଇସ୍ତିଆଜ ପୁଣି କହିଛନ୍ତି ଭାରତଠାରୁ ଅଲଗା ହେବା ଥିଲା ଏକ ଭୁଲ୍‌ ନିଷ୍ପତ୍ତି। ଅବଶ୍ୟ ବିଭାଜନ ପରେ ଆମେରିକା ଓ ବିଶ୍ୱବ୍ୟାଙ୍କ ସହାୟତାରେ ପାକିସ୍ତାନ ଆର୍ଥିକ ପ୍ରଗତି ହାସଲ କରିଥିଲା। କିନ୍ତୁ ୧୯୬୫ର ଯୁଦ୍ଧ ପାକିସ୍ତାନକୁ ପ୍ରଭୂତ କ୍ଷତି ପହଞ୍ଚାଇଲା ଓ ପାକ୍‌ ଅର୍ଥନୀତି ଭୟଙ୍କର ପ୍ରଭାବିତ ହେଲା। ବିଶେଷକରି ୧୯୭୧ରେ ବାଂଲାଦେଶ ପାକିସ୍ତାନଠାରୁ ଅଲଗା ହେବାପରେ ପାକିସ୍ତାନର ଆର୍ଥିକ ଅଧୋଗତି ତୀବ୍ରତର ହେଲା। ବାଂଲାଦେଶ ଶିଳ୍ପ ସମୃଦ୍ଧ ହୋଇ ବିକାଶ ପଥରେ ଅଗ୍ରସର ହେଲା। ବାଂଲାଦେଶର ବୟନଶିଳ୍ପ ଉପତ୍ାଦ ବିଶ୍ୱବିଖ୍ୟାତ। ପାକିସ୍ତାନ ପ୍ରାୟତଃ ଶିଳ୍ପଶୂନ୍ୟ ହୋଇଗଲା। ଇସ୍ତିଆଜ କହିଛନ୍ତି ଆତଙ୍କବାଦ ପ୍ରୋତ୍ସାହନ ବ୍ୟୟଭାର ପାକିସ୍ତାନର ଆର୍ଥିକ ଦୁର୍ଗତିର ଅନ୍ୟତମ କାରଣ। ଉଦ୍‌ବେଗର କଥା ପାକିସ୍ତାନର ଗଣତାନ୍ତ୍ରିକ ସରକାର ପରିବର୍ତ୍ତେ ଶାସନ ବ୍ୟବସ୍ଥା ଅଙ୍କୁଶ ସେନାହାତକୁ ଚାଲିଯିବା ଦ୍ୱାରା ପାକିସ୍ତାନରେ ଅରାଜକତା ବ୍ୟାପିଗଲା। ମୋଟାମୋଟି ଇସ୍ତିଆଜଙ୍କ ମତହେଲା ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ବନ୍ଦକଲେ ଭାରତ ସହ ସମ୍ପର୍କ ସୁଧୁରିବାର ସୁଯୋଗ ସୃଷ୍ଟିହେବ ଓ ଦୁଇଦେଶ ମଧ୍ୟରେ ଉତ୍ତମ ବୁଝାମଣା ସ୍ଥାପିତ ହୋଇ ପ୍ରଗତିର ପଥ ଉନ୍ମୁକ୍ତ ହେବ। ଇସ୍ତିଆଜଙ୍କ ସର୍ବଶେଷ ମତହେଲା ଯେ ଭାରତରେ ସାମାଜିକ ସୁରକ୍ଷା ଓ ବିଶେଷକରି ମହିଳାମାନଙ୍କର ସ୍ବାଧୀନତା ସେ ଦେଶକୁ ଆଗକୁ ନେଇଥିବା ବେଳେ, ପାକିସ୍ତାନ ଏ କ୍ଷେତ୍ରରେ ବହୁ ପଛରେ ପଡ଼ିଛି।
  ଅପରପକ୍ଷେ ଅନ୍ୟତମ ଦକ୍ଷିଣ ଏସୀୟ ପଡ଼ୋଶୀ ଦେଶ ଭୁଟାନ କଥା ଚିନ୍ତା କରାଯାଉ। ଭୁଟାନର ସମୁଦାୟ ବାଣିଜି୍ୟକ କାରବାରର ଦୁଇ/ତୃତୀୟାଂଶ କେବଳ ଭାରତ ସହ ହୋଇଥାଏ। ଭୁଟାନ ଜଳବିଦ୍ୟୁତ ଉପତ୍ାଦନରେ ପୃଥିବୀ ବିଖ୍ୟାତ। ବଳକା ଜଳବିଦ୍ୟୁତ ଭାରତ ସମେତ ପୃଥିବୀର ଅନେକ ଦେଶକୁ ଯୋଗାଇଦିଏ ଭୁଟାନ। ଯଦିଓ ଚାଇନା ଭାରତ ବିରୋଧରେ ଭୁଟାନକୁ ଉସୁକାଉଛି, ଭୁଟାନ କିନ୍ତୁ ଭାରତ ସହ ତା’ର ବନ୍ଧୁଭାବାପନ୍ନ ମନୋଭାବକୁ ପରିହାର କରିନାହିଁ। ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ସେଗିଂ ନିକଟରେ ସୂଚନା ଦେଇଛନ୍ତି ଯେ, ଯେଉଁ ବିଶ୍ୱସ୍ତରୀୟ କମ୍ପାନୀମାନେ ଭାରତରେ ପୁଞ୍ଜିନିବେଶ କରୁଛନ୍ତି ଓ ଅନ୍ୟ ଯେଉଁମାନେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ସେମାନଙ୍କୁ ଭୁଟାନ ପ୍ରତି ଆକର୍ଷିତ କରିବା ପାଇଁ ନୂଆଦିଲ୍ଲୀକୁ ଅନୁରୋଧ କରାଯାଇଛି। ଭୁଟାନର ପର୍ଯ୍ୟଟନ ଶିଳ୍ପ ଅତ୍ୟନ୍ତ ବ୍ୟବସ୍ଥିତ। ଅନ୍ୟ ଦେଶ ତୁଳନାରେ ଭାରତୀୟ ପର୍ଯ୍ୟଟକଙ୍କୁ ପର୍ଯ୍ୟଟନ ଖର୍ଚ୍ଚର ଏକ ବଡ଼ ରିହାତି ଘୋଷଣା ଭାରତୀୟଙ୍କୁ ସେ ଦେଶପ୍ରତି ଆକୃଷ୍ଟ କରିବ ବୋଲି ଭୁଟାନ ଆଶାବାଦୀ। ଭୁଟାନ ସମ୍ପ୍ରତି ଉକତ୍ଟ ବେକାରିକୁ ସାମନା କରୁଥିବା ବେଳେ ଖୁବ୍‌ଶୀଘ୍ର ଏଥିରୁ ମୁକ୍ତିଲାଭ କରିବା ପାଇଁ ଆଶାବାଦୀ। ବଡ଼କଥା ହେଲା ଭୁଟାନ ପାକିସ୍ତାନ ପରି ସନ୍ତ୍ରାସବାଦକୁ ପ୍ରୋତ୍ସାହନ ଦିଏନାହିଁ। ଚାଇନାର ବିସ୍ତାରବାଦୀ ରାଜନୀତିକୁ ଭୁଟାନ ଭଲଭାବରେ ବୁଝିସାରିଛି। ନେପାଳପରି ଚାଇନାକୁ ସେ ସମର୍ଥନ କରିନାହିଁ। ଭୁଟାନ ଦୃଷ୍ଟିରେ ଭାରତ ହିଁ ଏକମାତ୍ର ନିର୍ଭରଯୋଗ୍ୟ ପଡ଼ୋଶୀ ଦେଶ। ବିଗତ ୨୦୦୦ ମସିହାଠାରୁ ୨୦୨୩ ମଧ୍ୟରେ ଭାରତ ଭୁଟାନରେ ୮୬ ନିୟୁତ ଡଲାର ପୁଞ୍ଜି ନିବେଶ କରିସାରିଛି, ଯାହା ଭୁଟାନର ପ୍ରଗତି ପ୍ରତି ଭାରତର ଏକ ବଡ଼ ଅବଦାନ। ଭୁଟାନ ବୁଝିସାରିଛି ଯେ ଭାରତର ସେପରି କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। ଭାରତ ମଧ୍ୟ ଭୁଟାନର ବିକାଶରେ ସହଭାଗିତା ପାଇଁ ହାତ ବଢ଼ାଇଛି।
– ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri