Categories: ମେଟ୍ରୋ

ସଭ୍ୟତାର ସୂଚନା ଦିଏ

ମାନବ ସଭ୍ୟତାର କ୍ରମବିକାଶ ସମ୍ପର୍କିତ ସୂଚନା କ୍ଷେତ୍ରରେ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଐତିହ୍ୟର ଗୁରୁତ୍ୱ ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଏପ୍ରିଲ ୧୮କୁ ବିଶ୍ୱ ଐତିହ୍ୟ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ‘ଐତିହ୍ୟ ପରିବର୍ତ୍ତନ’। ଅନ୍ତର୍ଜାତୀୟ ପରିଷଦ ସ୍ମାରକୀ ଏବଂ ସାଇଟ୍‌ (ଆଇକ୍‌ମୋସ୍‌) ପକ୍ଷରୁ ବିଶ୍ୱର ସାଂସ୍କୃତିକ ଐତିହ୍ୟ ଏବଂ ସ୍ମାରକୀସ୍ଥଳର ବିକାଶକୁ ପ୍ରୋତ୍ସାହିତ କରାଯାଇଥାଏ। ଏହି ଦିବସ ପାଳନ ଅବସରରେ ବିଶ୍ୱ ଐତିହ୍ୟ ସ୍ଥଳଗୁଡ଼ିକର ବିବିଧତା ଏବଂ ସେଗୁଡ଼ିକର ସୁରକ୍ଷା ତଥା ସଂରକ୍ଷଣ ପାଇଁ ଅତ୍ୟାବଶ୍ୟକ ପ୍ରୟାସ ବିଷୟରେ ସଚେତନତା ସୃଷ୍ଟି କରାଯାଏ। ୧୯୮୨ରେ ଆଇକ୍‌ମୋସ୍‌ ପରାମର୍ଶ ଦେଇଥିଲା ଯେ, ଏପ୍ରିଲ ୧୮କୁ ଐତିହ୍ୟ ଦିବସ ଭାବେ ପାଳନ କରାଯିବ। ୧୯୮୩ରେ ୟୁନେସ୍କୋ ଏହାର ୨୨ତମ ସାଧାରଣ ସମ୍ମିଳନୀରେ ଏହି ଦିବସ ପାଳନକୁ ଅନୁମୋଦନ କରିଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇ ଆସୁଛି। ୟୁନେସ୍କୋ ସହଭାଗିତାରେ ଆଇକ୍‌ମୋସ୍‌ ଦ୍ୱାରା ମାନବ ସଭ୍ୟତାର ଯାତ୍ରା ଏବଂ ଇତିହାସ ସମ୍ପର୍କରେ ଏହି ଦିବସ ଅବସରରରେ ସଚେତନତା ସୃଷ୍ଟି କରାଯାଇଥାଏ। ଭାରତରେ ପ୍ରାୟ ୩୬୯୧ ସଂରକ୍ଷିତ ଐତିହ୍ୟ ସ୍ମାରକୀ ରହିଛି। ସେଥିମଧ୍ୟରୁ ପ୍ରାୟ ୫୦ଟି ଐତିହ୍ୟସ୍ଥଳୀ ୟୁନେସ୍କୋ ଅଧୀନରେ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ। କେବଳ ଉତ୍ତର ପ୍ରଦେଶରେ ୭୪୫ ଓ କର୍ନାଟକରେ ୫୦୬ଟି ସଂରକ୍ଷିତ ଐତିହ୍ୟ ଅଛି। ତେବେ ଉଲ୍ଲେଖନୀୟ ଐତିହ୍ୟ ସ୍ଥଳ ମଧ୍ୟରେ ତାଜମହଲ, ହାମ୍ପି, ଅଜନ୍ତା ଏବଂ ଏଲୋରା ଗୁମ୍ଫା, ସୂର୍ଯ୍ୟମନ୍ଦିର, ସାଞ୍ଚିତ୍ସ୍ତୂପ, ରାଜସ୍ଥାନର ହିଲ୍‌ ଫୋଟର୍‌ସ ଆଦି ଅନ୍ତର୍ଭୁକ୍ତ। ପ୍ରାକୃତିକ ଐତିହ୍ୟ ସ୍ଥଳରେ ପଶ୍ଚିମଘାଟ, ଗ୍ରେଟ୍‌ ହିମାଳୟ ଜାତୀୟ ଉଦ୍ୟାନ, କାଜିରଙ୍ଗା ୱାଇଲ୍ଡ ଲାଇଫ୍‌ ଅଭୟାରଣ୍ୟ, ସୁନ୍ଦରବନ ଜାତୀୟ ଉଦ୍ୟାନ, ନନ୍ଦା ଦେବୀ ଏବଂ ଭ୍ୟାଲି ଫୁଲ ଜାତୀୟ ଉଦ୍ୟାନ ଅନ୍ତର୍ଭୁକ୍ତ।

Share