ନିର୍ବାଚନ ପୂର୍ବରୁ ଠାବ ହେଲା ଦେଶୀ ବନ୍ଧୁକ କାରଖାନା

ରାଇକିଆ,୧ା୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ପୋଲିସ ଏକ ଦେଶୀ ବନ୍ଧୁକ ତିଆରି କାରଖାନ ଠାବ କରିଛି। ଦେଶୀ ବନ୍ଧୁକ ତିଆରି କରିବା ଅଭିଯୋଗରେ ସୋମବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ  ରାଇକିଆ ଥାନା କତିଙ୍ଗିଆ ପଞ୍ଚାୟତର ରିଶିଗୁଡ଼ା ଗ୍ରାମର ମୁନିବର ମଲିକ। ତାଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ବନ୍ଧୁକ ତିଆରି ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଜବତ କରିଛି।  ଏ ନେଇ ରାଇକିଆ ଥାନାରେ ଏକ ମାମଲା(ନଂ. ୪୧/୨୪) ରୁଜୁ ହୋଇଛି ।
୨୦୧୯ରେ ମଧ୍ୟ ବେଆଇନ ବନ୍ଧୁକ ତିଆରି କରିବା ଅଭିଯୋଗରେ ମୁନିବରଙ୍କୁ ଗିରଫ କରାଯାଇଥିଲା। ସେ ଜେଲରୁ ଫେରିବା ପରେ ପୁଣି  ବନ୍ଧୁକ ତିଆରି କରିବା ଅଭିଯୋଗ ଗିରଫ ହୋଇଥିବା ନେଇ ଜି ଉଦୟଗିରି ଏସ୍‌ଡିପିଓ ବିଜୟ କୁମାର ବିଶି ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ନିର୍ବାଚନକୁ ଦୃଷ୍ଟିରେ ରଖି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜେ ସେ ନେଇ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ଗତ ସପ୍ତାହରେ ରାଇକିଆ ଥାନା ରଣବା ପଞ୍ଚାୟତର କାନସୁର ଅଞ୍ଚଳରୁ ମଧ୍ୟ ଜଣେ ବ୍ୟକ୍ତିଙ୍କଠାରୁ ବନ୍ଧୁକ ଓ ଗୁଳି ଜବତ କରାଯାଇଥିଲା।