ନୂଆଦିଲ୍ଲୀ,୧୫।୧୨ : ଗର୍ଭାଶୟ କର୍କଟ ପାଇଁ ସ୍ବଦେଶୀ ଟିକା ଆସନ୍ତା ବର୍ଷ ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ। ଏହା ପରେ ଦେଶରେ ନଅରୁ ୧୪ ବର୍ଷ ବୟସର ବାଳିକାମାନଙ୍କୁ ଟିକା ଦିଆଯିବ। ଗର୍ଭାଶୟ କର୍କଟ ବିରୁଦ୍ଧରେ ସ୍ବଦେଶୀ ଭାବେ ବିକଶିତ ହ୍ୟୁମାନ ପାପିଲୋମା ଭାଇରସ ଟିକା (ଏଚପିଭି) ଆସନ୍ତା ବର୍ଷ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେବ ବୋଲି ଜାତୀୟ ବୈଷୟିକ ପରାମର୍ଶଦାତା କମିଟିର ଚେୟାରମ୍ୟାନ ଡାକ୍ତର ଏନ.କେ ଆରୋରା କହିଛନ୍ତି।
ଡକ୍ଟର ଏନ.କେ ଆରୋରା କହିଛନ୍ତି ଯେ ଜନସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ବ୍ୟବହାର ପାଇଁ ସର୍ଭେ ଭ୍ୟାକ୍ସ ଟିକାକୁ ଡିସିଜିଆଇ ତଥା ସରକାରୀ ପରାମର୍ଶଦାତା ପ୍ୟାନେଲ ଅନୁମୋଦନ କରିଛନ୍ତି। ବର୍ତ୍ତମାନ, ଗର୍ଭାଶୟ ଟିକା ପାଇଁ ବିଦେଶୀ ଉତ୍ପାଦକଙ୍କ ଉପରେ ଭାରତ ନିର୍ଭରଶୀଳ ରହିଛି।
ତିନୋଟି ବିଦେଶୀ କମ୍ପାନୀ ଏହାକୁ ଉତ୍ପାଦନ କରୁଛନ୍ତି, ସେଥିମଧ୍ୟରୁ ଦୁଇଟି ଭାରତରେ ସେମାନଙ୍କର ଟିକା ବିକ୍ରି କରୁଛି । ବଜାରରେ ପ୍ରତ୍ୟେକ ଡୋଜର ମୂଲ୍ୟ ଚାରି ହଜାର ଟଙ୍କାରୁ ଅଧିକ ରହିଛି। ତେବେ ସ୍ବଦେଶୀ ଟିକା ପ୍ରବର୍ତ୍ତନ ପରେ ଏହାର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ସେରମ କମ୍ପାନୀର ସିଇଓ ଆଦର୍ଶ ପୁନାୱାଲା କହିଛନ୍ତି ଯେ ଗର୍ଭାଶୟ କର୍କଟ ଟିକା ଭାରତରେ ୨୦୦ରୁ ୪୦୦ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ।