Categories: ଜାତୀୟ

ଦିବ୍ୟାଙ୍ଗ ପିଲାଟିକୁ ବିମାନରେ ଯାତ୍ରା କରିବାକୁ ମିଳିଲାନି ଅନୁମତି

ରାଞ୍ଚି,୯।୫: ଝାଡଖଣ୍ଡର ରାଞ୍ଚି ବିମାନବନ୍ଦରରେ ଏକ ଅମାନବୀୟ ଘଟଣା ଘଟିଛି। ଇଣ୍ଡିଗୋ ଏୟାରଲାଇନ୍ସର କର୍ମଚାରୀମାନେ ଜଣେ ଦିବ୍ୟାଙ୍ଗ ପିଲାକୁ ବିମାନରେ ବସିବାକୁ ଅନୁମତି ଦେଇନାହାନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ତଦନ୍ତ ଆରମ୍ଭ କରିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଏବଂ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଏହା ଉପରେ ସୋମବାର ଟୁଇଟ କରି କହିଛନ୍ତି, ଆମେ ଏଭଳି ଆଚରଣକୁ ଆଦୌ ବରଦାସ୍ତ କରିବୁ ନାହିଁ। କୌଣସି ବ୍ୟକ୍ତି ଏପରି ପରିସ୍ଥିତି ଦେଇ ଯିବା ଉଚିତ୍‌ ନୁହେଁ। ମୁଁ ବ୍ୟକ୍ତିଗତ ଭାବେ ଏହି ଘଟଣାର ଅନୁସନ୍ଧାନ କରୁଛି, ଯାହା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତଦନ୍ତ ତାଙ୍କ ଅଧୀନରେ ରହିବ।
ସୂଚନାଯୋଗ୍ୟ, ୧୩ ବର୍ଷୀୟ ଦିବ୍ୟାଙ୍ଗ ପିଲାଟି ହ୍ବିଲ ଚେୟାରରେ ବସି ନିଜ ମାତାପିତାଙ୍କ ସହ ବିମାନକୁ ଅପେକ୍ଷା କରିଥିଲେ। ହେଲେ ପିଲାଟିର ଅସ୍ବାଭାବିକ ଆଚରଣ ଦେଖି ପିଲାଟିକୁ ବିମାନରେ ଯିବାକୁ କର୍ମଚାରୀ ଅନୁମତି ଦେଇ ନ ଥିଲେ। ସମ୍ପୃକ୍ତ ପିଲା ଅନ୍ୟ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଇଣ୍ଡିଗୋ କର୍ମଚାରୀ ଦର୍ଶାଇଥିଲେ । ବିମାନ କର୍ମଚାରୀଙ୍କ ଏଭଳି ବ୍ୟବହାରକୁ ସେଠାରେ ଥିବା ଅନ୍ୟ ଯାତ୍ରୀ ପ୍ରବଳ ବିରୋଧ କରିଥିଲେ। ଏପରିକି ଇଣ୍ଡିଗୋ କର୍ମଚାରୀ ଏଭଳି ଆଚରଣକୁ ଅନ୍ୟ ଯାତ୍ରୀମାନେ ମୋବାଇଲରେ କଏଦ କରିଥିବା ବେଳେ ଏବେ ତାହା ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖି ଇଣ୍ଡିଗୋ ଏୟାରଲାଇନ୍ସ କର୍ମଚାରୀଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡିଛି।
ଏନେଇ ଇଣ୍ଡିଗୋ କହିଛି ଯେ, ପିଲାଟି ବିମାନରେ ଯାତ୍ରା କରିବା ପାଇଁ ଚିନ୍ତିତ ଥିଲେ। ଏହି କାରଣରୁ ତାଙ୍କୁ ବିମାନରେ ଏଣ୍ଟ୍ରି ପାଇଁ ସୁଯୋଗ ଦିଆଯାଇ ନ ଥିଲା।

Share