Categories: ଜାତୀୟ

ଲଗେଜ ଖୋଜିବା ପାଇଁ ଇଣ୍ଡିଗୋ ଓ୍ବେବସାଇଟ୍‌କୁ ହ୍ୟାକ କଲେ ଯାତ୍ରୀ

ମୁମ୍ବାଇ,୩୧।୩: ଜଣେ ଇଣ୍ଡିଗୋ ଯାତ୍ରୀ ହଜି ଯାଇଥିବା ଲଗେଜ ଖୋଜିବା ପାଇଁ ଏୟାରଲାଇନ ସିଷ୍ଟମକୁ ହ୍ୟାକ କରି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଟୁଇଟର ପ୍ରୋଫାଇଲ ଅନୁଯାୟୀ, ପେଶାରେ ସଫ୍ଟଓ୍ବେର ଇଞ୍ଜିନିୟର ନନ୍ଦନ କୁମାର ନିଜ ଟେକ୍‌ନିକାଲ ଶିକ୍ଷାର ବ୍ୟବହାର କରି କେଉଁ ଭଳି ବିମାନରେ ଅନ୍ୟ ଯାତ୍ରୀଙ୍କ ସହ ବଦଳ ହୋଇଥିବା ଲଗେଜ ଖୋଜି ପାଇଥିଲେ, ତାହା ଏକ ପୋଷ୍ଟରେ ପ୍ରକାଶ କରିଛନ୍ତି। ସାଥି ଯାତ୍ରୀଙ୍କ ଡିଟେଲ୍ସ ଜାଣିବା ପାଇଁ ଇଣ୍ଡିଗୋ ଓ୍ବେବସାଇଟ୍‌କୁ ହ୍ୟାକ କରିଥିବା ସେ ସ୍ବୀକାର କରିଛନ୍ତି।

ତାଙ୍କ ପୋଷ୍ଟ ଭାଇରାଲ ହେବା ପରେ ଏୟାରଲାଇନ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ଯାତ୍ରୀଙ୍କ ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ଅଛି ଏବଂ ନନ୍ଦନ କୁମାର ଇଣ୍ଡିଗୋ ଓ୍ବେବସାଇଟ୍‌ ସହ କୌଣସି ପ୍ରକାର ସାଲିସ କରି ନ ଥିଲେ ବୋଲି କୁହାଯାଇଛି।

ରବିବାର ନନ୍ଦନ ଇଣ୍ଡିଗୋ ଫ୍ଲାଇଟ୍‌ ଜରିଆରେ ପାଟଣାରୁ ବେଙ୍ଗାଲୁରୁ ଯାଇଥିଲେ। ବେଙ୍ଗାଲୁରୁ ବିମାନ ବନ୍ଦରରେ ତାଙ୍କ ବ୍ୟାଗ ଅନ୍ୟ ଯାତ୍ରୀଙ୍କ ସହ ବଦଳ ହୋଇଯାଇଥିଲା। ଏହି ତ୍ରୁଟି ଉଭୟ ପକ୍ଷରୁ ହୋଇଥିଲା। କାରଣ ଉଭୟ ବ୍ୟାଗ ଦେଖିବାକୁ ପ୍ରାୟତଃ ସମାନ। ବ୍ୟାଗ ବଦଳ ହୋଇଥିବା ସମ୍ପର୍କରେ ସେ ଘରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ। ସେ ଏଥି ନେଇ ଇଣ୍ଡିଗୋ କଷ୍ଟମର ଏଜେଣ୍ଟଙ୍କୁ ଜଣାଇଥିଲେ। କିନ୍ତୁ ଲଗାତାର ଫୋନ କଲ ପରେ ମଧ୍ୟ ଉକ୍ତ ବ୍ୟକ୍ତି ଫୋନ ଉଠାଇ ନ ଥିଲେ।

“ସେମାନେ ମୋତେ ସାଥି ଯାତ୍ରୀଙ୍କ ସହିତ ଯୋଗାଯୋଗ କରିବାରେ ସହଯୋଗ କରିଥିଲେ। କିନ୍ତୁ ସବୁ କିଛି ବେକାର ସାବ୍ୟସ୍ତ ହୋଇଥିଲା। କଷ୍ଟମର କେୟାର ଟିମ୍‌ ଉକ୍ତ ଯାତ୍ରୀଙ୍କ ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ ମୋତେ ତାଙ୍କ ସବିଶେଷ ତଥ୍ୟ ଦେବାକୁ ମନା କରି ଦେଇଥିଲେ। ଅନ୍ୟ ବ୍ୟକ୍ତିଙ୍କ ସହ ଯୋଗାଯୋଗ ହେବା ପରେ ମୋତେ ଜଣାଇବେ ବୋଲି ଏଜେଣ୍ଟ ମୋତେ ଆଶ୍ୱାସନା ଦେଇଥିଲେ” ବୋଲି ସେ ଲେଖିଛନ୍ତି।

ଦୀର୍ଘ ସମୟ ଧରି କଲକୁ ଅପେକ୍ଷା କରିବା ପରେ ମୁଁ ଇଣ୍ଡିଗୋ ଓ୍ବେବସାଇଟ୍‌ରେ ସର୍ଚ୍ଚ କରିଥିଲି। ବ୍ୟାଗରେ ଲାଗିଥିବା ଉକ୍ତ ଯାତ୍ରୀଙ୍କ ପିଏନ୍‌ଆର୍‌ ସହାୟତାରେ ତାଙ୍କ ଠିକଣା ଖୋଜିଥିଲି। ଏଥିରେ ନିରାଶ ହେବା ପରେ ମୁଁ ଇଣ୍ଡିଗୋ ଓ୍ବେବସାଇଟ୍‌କୁ ହ୍ୟାକ କରିବାକୁ ନିଷ୍ପତ୍ତି ନେଇଥିଲି। ସେଠାରୁ ମୋତେ ତାଙ୍କ ଇମେଲ ଆଡ୍ରେସ ଏବଂ ଫୋନ ନମ୍ବର ମିଳିଥିଲା। ସେହି ନମ୍ବରକୁ କଲ କରିବା ପରେ ଉକ୍ତ ବ୍ୟକ୍ତି ଫୋନ ରିସିଭ କରିଥିଲେ। ଭାଗ୍ୟବଶତଃ ସେ ଘର ପାଖରେ ରହୁଥିବାରୁ ବ୍ୟାଗ ମିଳିଛି ବୋଲି ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

Share