ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ନେଇ ଉତ୍ସବ ପାଳିଲେ ଖଲିସ୍ତାନୀ

ଓଣ୍ଟାରିଓ,୮।୬: କାନାଡାରେ ଖାଲିସ୍ତାନୀଙ୍କ ଆଉ ଏକ ଲଜ୍ଜାଜନକ କାର୍ଯ୍ୟ ସାମ୍ନାକୁ ଆସିଛି। ବାସ୍ତବରେ କାନାଡାର ବ୍ରମ୍ପଟନ ଅଞ୍ଚଳରେ ଏକ ପ୍ରଜ୍ଞାପନ ମେଢ ବାହାରିଥିଲା। ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣାକୁ ଏଥିରେ ସାମିଲ କରାଯାଇଥିଲା। ପ୍ରଜ୍ଞାପନ ମେଢରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ଏହାକୁ ପ୍ରତିଶୋଧ ବୋଲି ବର୍ଣ୍ଣନା କରାଯାଇଥିଲା। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତୀୟ ୟୁଜର୍ସ ଏହାକୁ ତୀବ୍ର ସମାଲୋଚନା କରୁଛନ୍ତି। କଂଗ୍ରେସ ମଧ୍ୟ ଏହାକୁ ସମାଲୋଚନା କରିଛି।

ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ କାନାଡାର ପ୍ରଜ୍ଞାପନ ମେଢରେ ଅନ୍ତର୍ଭୁକ୍ତ କରିବା ଉପରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ରଖିଛି। ଭାରତୀୟ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଏହି ପ୍ରସଙ୍ଗକୁ କାନାଡା ସରକାରଙ୍କ ସହିତ ଦୃଢ ଭାବେ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି। ବର୍ହିବ୍ୟାପାରମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ କାନାଡା ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ସେଠାରେ ବିଚ୍ଛିନ୍ନତାବାଦୀ, ମୌଳବାଦୀଙ୍କୁ ସୁରକ୍ଷା ଦିଆଯାଉଛି। କଂଗ୍ରେସ ନେତା ମିଲିନ୍ଦ ଦେଓରା ଟୁଇଟ କରି କହିଛନ୍ତି ଯେ ଏହା କୌଣସି ପକ୍ଷ ରଖିବା କଥା ନୁହେଁ ବରଂ ଏହା ଦେଶର ଇତିହାସକୁ ସମ୍ମାନ ଦେବା ଏବଂ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ଯୋଗୁ ହୋଇଥିବା ଯନ୍ତ୍ରଣାର କଥା। ଦେଓରାଙ୍କ ଟୁଇଟକୁ ରିଟୁଇଟ କରି କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ବର୍ହିବ୍ୟାପାର ମନ୍ତ୍ରୀଙ୍କୁ କାନାଡା ସରକାରଙ୍କ ସହ ଦୃଢ ଭାବରେ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି।

Share