କଙ୍ଗନାଙ୍କ ଅଭିନୟକୁ ପ୍ରଶଂସା କଲେ ରାମ ଗୋପାଳ ବର୍ମା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ମୁଭି ‘ଏମରଜେନ୍ସି’ର ଟିଜର କିଛିଦିନ ତଳେ ରିଲିଜ ହୋଇଛି । ଏହାପରେ ଏହି ମୁଭି ଏବେ ଖୁବ୍ ଚର୍ଚ୍ଚାରେ ରହୁଛି । କଙ୍ଗନା ରାନାୱତ ଏହି ମୁଭିର ନିର୍ଦ୍ଦେଶନା ଦେଇଛନ୍ତି । କେବଳ ସେତିକି ନୁହେଁ ମୁଭିର ମୁଖ୍ୟ ଚରିତ୍ର ଅର୍ଥାତ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି କଙ୍ଗନା । ଟିଜରରେ କଙ୍ଗନଙ୍କ ଲୁକ୍ ଦର୍ଶକଙ୍କୁ ଫିଦା କରିଛି । ସେ କୁଆଡେ ଅବିକଳ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି ବୋଲି ତାଙ୍କ ପ୍ରଶଂସକମାନେ କମେଣ୍ଟ କରିଛନ୍ତି । ଆଉ ଦର୍ଶକେ ଏହି ଫିଲ୍ମକୁ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି ।
ଏହି ଟିଜର ଦେଖିବା ପରେ ଏବେ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମାଙ୍କ କମେଣ୍ଟ ବି ସାମ୍ନାକୁ ଆସିଛି । ରାମ ଗୋପାଳ ବର୍ମା ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ୧୯୮୪ ମସିହାରେ ଇନ୍ଦିରା ଗାନ୍ଧୀ ଦେଇଥିବା ଏକ ସାକ୍ଷାତକାରକୁ ଶେୟାର କରିଛନ୍ତି । ଏହାସହ ସେ ଲେଖିଛନ୍ତି, ଏହାକୁ ବିଶ୍ୱାସ କରନ୍ତୁ ଅବା ନ କରନ୍ତୁ! ଇନ୍ଦିରା ଗାନ୍ଧୀ କଙ୍ଗନା ରାନାୱତଙ୍କ ଭଳି ଅଭିନୟ କରୁଛନ୍ତି । ଇନ୍ଦିରା ଗାନ୍ଧୀଙ୍କ ୧୯୮୪ର ସାକ୍ଷାତକାର ଦେଖନ୍ତୁ । କଙ୍ଗନା ରାମ ଗୋପାଳ ବର୍ମାଙ୍କ ଏହି ଟୁଇଟକୁ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ରିପୋଷ୍ଟ କରି ଲେଖିଛନ୍ତି, ହାହା ଥ୍ୟାଙ୍କ ୟୁ ସାର, ଏହା ଆଶ୍ୱସ୍ତି ଦେଉଛି ଯେ ମୁଁ ନିଜେ ଏହି ଚରିତ୍ରରେ ଅଭିନୟ କରିଛି ।
ସୂଚନାଯୋଗ୍ୟ, ମୁଭି ‘ଏମରଜେନ୍ସି’ରେ କଙ୍ଗନା ରାନାୱତଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲୁକ୍‌ରେ ଦେଖିବାକୁ ମିଳିଛି । ଏକ ଭିଡିଓରେ କଙ୍ଗନା ଦେଖାଇଥିଲେ ଯେ ସେ ଇନ୍ଦିରାଙ୍କ ଲୁକ ପାଇଁ କେତେ ପରିଶ୍ରମ କରିଛନ୍ତି । ଫିଲ୍ମ ‘ଏମରଜେନ୍ସି’ରୁ ଅନୁପମ ଖେରଙ୍କ ଲୁକ୍ ବି ସାମ୍ନାକୁ ଆସିଲାଣି । ସେ ଫିଲ୍ମରେ ରାଜନେତା ଜୟପ୍ର୍ରକାଶ ନାରାୟଣଙ୍କ ଭୂମିକାରେ ନଜର ଆସିବେ ।

Share