ପ୍ରଧାନମନ୍ତ୍ରୀ ପଦରେ ବସିବାକୁ ଇନ୍ଦିରା ଗଣତନ୍ତ୍ରକୁ ହତ୍ୟା କରିଥିଲେ: ଭାଜପା

ଭୁବନେଶ୍ୱର,୨୫ା୬(ଅନିଲ ଦାସ): ଦେଶରେ ସାଧାରଣ ନିର୍ବାଚନ ସରିଛି। ଅଷ୍ଟାଦଶ ଲୋକ ସଭା ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ତା’ର ସ୍ବାର୍ଥ ହାସଲ କରିବା ପାଇଁ ହୀନ ରାଜନୀତି ଆରମ୍ଭ କରିଦେଇଛି। ୪୯ ବର୍ଷ ତଳେ କଂଗ୍ରେସ ଜରୁରିକାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ର ଓ ସମ୍ମିଧାନକୁ ହତ୍ୟା କରିବାକୁ ଚେଷ୍ଟା କରିଥିବା ବେଳେ ଏତେ ବର୍ଷ ପରେ ବି ଉକ୍ତ ଦଳରେ କୌଣସି ସୁଧାର ଆସିନାହିଁ ବୋଲି ରାଜ୍ୟ ଭାଜପା ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି। ସୋମବାର ରାଜ୍ୟ ଭାଜପା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଭାରତୀୟ ସମ୍ବିଧାନ ଇତିହାସରେ କଂଗ୍ରେସ ଅତୀତରେ ଅନେକ କଳାକାହାଣୀ ଲେଖିଛି। ଆଜକୁ ୪୯ ବର୍ଷ ତଳେ ଅର୍ଥାତ୍‌ ୧୯୭୫ ଜୁନ୍‌୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରୀ କଳର ଅପବ୍ୟବହାର କରି ଭାରତରେ ପ୍ରଥମଥର ପାଇଁ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ସେ ଗଣତନ୍ତ୍ରକୁ ହତ୍ୟା କରିବା ସହ ମାନବିକ ଅଧିକାରକୁ ମଧ୍ୟ କ୍ଷୁଣ୍ଣ କରିଥିଲେ। ଦେଶର ସମସ୍ତ ବିରୋଧୀ ଦଳର ନେତୃବୃନ୍ଦଙ୍କୁ ନେଇ ଜେଲ୍‌ ଭିତରେ ରଖିଥିଲେ। ୧୯ ମାସ ଧରି କଂଗ୍ରେସ ସରକାର ଭାରତରେ ସ୍ବେଚ୍ଛାଚାରୀ ଶାସନ ଚଳାଇ ସମ୍ବିଧାନର ମୁଖବନ୍ଧକୁ ପରିବର୍ତ୍ତନ କରିଥିଲା। ଏହି ଦିବସକୁ ଭାଜପା ‘କଳା ଦିବସ’ ଭାବେ ପାଳନ କରିଆସିଛି। ଗଣତନ୍ତ୍ରର କଥା କହୁଥିବା କଂଗ୍ରେସ ସମ୍ବିଧାନକୁ ସର୍ବାଧିକ ଥର ଅପବ୍ୟବହାର କରିବା ସହ କ୍ଷତି ପହଞ୍ଚାଇଛି। ୩୫୬ ଧାରାର ସର୍ବାଧିକ ଥର ଉପଯୋଗ କରି ନିର୍ବାଚିତ ରାଜ୍ୟ ସରକାରମାନଙ୍କୁ ଏହି ଦଳ ଭାଙ୍ଗିଛି। ଭାରତୀୟ ଜନତା ପାର୍ଟି ଏକ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ଭାବେ ସମଗ୍ର ଦେଶବାସୀଙ୍କୁ କଂଗ୍ରେସର ଏହି କଳା କାରନାମା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଛି। ଏ ନେଇ ମଙ୍ଗଳବାର ରାଜ୍ୟର ବିଭିନ୍ନ ଜିଲାରେ ଭାଜପା ପକ୍ଷରୁ ବୁଦ୍ଧଜୀବୀ ଓ ଖବରଦାତା ସମ୍ମିଳନୀ କରାଯିବ। ଯେଉଁମାନେ ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ଗିରଫ ହୋଇଥିଲେ, ସେମାନଙ୍କ ଅନୁଭୂତି ପାଠ ସହ ସମ୍ମାନିତ କରାଯିବ ବୋଲି ମଲ୍ଲିକ କହିଛନ୍ତି।
ଭାଜପା ଉପସଭାପତି ବିରଞ୍ଚତ୍ ନାରାୟଣ ତ୍ରିପାଠୀ କହିଛନ୍ତି, କଂଗ୍ରେସ ସର୍ବଦା ଓଡ଼ିଶା ଏବଂ ଓଡ଼ିଆ ବିରୋଧୀ ମାନସିକତା ରଖିଆସିଛି। ଅପରପକ୍ଷେ ମୋଦି ସରକାର ଓଡ଼ିଶାବାସୀଙ୍କୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅନେକ ଓଡ଼ିଆ ପ୍ରତିଭାମାନଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଓଡ଼ିଶାର ଝିଅ ଆଜି ଭାରତର ସର୍ବପ୍ରଥମ ନାଗରିକ। ମନ୍ତ୍ରିମଣ୍ଡଳରେ ଓଡ଼ିଆଙ୍କୁ ସର୍ବଦା ଗୁରୁତ୍ୱ ଦିଆଯିବା ସହ ଭାରତର ବିଭିନ୍ନ ବିଭାଗରେ ଓଡ଼ିଆଙ୍କୁ ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ କରାଯାଇଛି। ଓଡ଼ିଶାର ବିକାଶକୁ ଭାଜପା ଗୁରୁତ୍ୱ ଦେଉଥିବା ବେଳେ କଂଗ୍ରେସ ତାହା ସହିପାରୁନାହିଁ। ଏକ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳର ଦାୟିତ୍ୱ ନେଇ କଂଗ୍ରେସ ଦେଶକୁ ଆଗକୁ ବଢ଼ିବାର ଚେଷ୍ଟା କରିବା ଆବଶ୍ୟକ ବୋଲି ସେ କହିଛନ୍ତି।