ନୂଆଦିଲ୍ଲୀ/ବେଜିଂ, ୩୦।୬: ଗଲଓ୍ବାନ ଘାଟିରେ ୨୦ ଜଣ ଭାରତୀୟ ଯବାନ ଶହୀଦ ହେବାପରେ ଦେଶରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। ଏହାର ଫଳ ସ୍ବରୂପ ଭାରତ ଚାଇନା ମଧ୍ୟରେ ଡିଜିଟାଲ ଯୁଦ୍ଧ ଆରମ୍ଭ ହୋଇଛି। ପୂର୍ବରୁ ଚାଇନା ଉତ୍ପାଦ ବହିଷ୍କାର ପାଇଁ ଭାରତବାସୀ ଅଣ୍ଟା ଭିଡ଼ିଥିବାବେଳେ ସୋମବାର ଭାରତ ସରକାରଙ୍କ ପକ୍ଷରୁ ୫୯ ଚାଇନା ଆପ୍କୁ ବ୍ୟାନ୍ କରିଛନ୍ତି। ସେହିପରି ଚାଇନା ମଧ୍ୟ ଭାରତୀୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ଓ୍ବେବସାଇଟ୍ ଉପରେ କଟକଣା ଜାରି କରିଛି। ଏଣିକି ଏହି ଓ୍ବେବସାଇଟ୍ ଗୁଡ଼ିକ ଚାଇନାରେ ଆକ୍ସେସ୍ ହେବ ନାହିଁ। ଭାରତରେ ୫-ଜି ମୋବାଇଲ୍ ସେବା ଯୋଗାଣ କ୍ଷେତ୍ରରେ ଚାଇନା କମ୍ପାନୀ ହାଓ୍ବାଇକୁ ବାହାର କରିବା ଲାଗି ମଧ୍ୟ ଯୋଜନା ଜାରି ରହିଛି। ଏହାଦ୍ୱାରା ଚାଇନା ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଭାରତ ଚାଇନା ଉତ୍ପାଦର ଏକ ବଡ଼ ବଜାର ଭାବେ ପୃଥିବୀରେ ପରିଗଣିତ। ଏଭଳି ଯୋଜନା ଦ୍ୱାରା ପ୍ରତି କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ ବୋଲି କୁହାଯାଇଛି।