Categories: ଜାତୀୟ

ମଧ୍ୟ ଏସିଆ ସୁରକ୍ଷା ପାଇଁ ଭାରତ-ରୁଷିଆ ଏକଜୁଟ…

ନୂଆଦିଲ୍ଲୀ/ମସ୍କୋ,୯।୯: ଆଫଗାନିସ୍ତାନରେ ତାଲିବାନ ଦଖଲ କରିବା ପରଠାରୁ ମଧ୍ୟ ଏସିଆ ପ୍ରତି ବିପଦ ଦେଖାଦେଇଛି। ତାଲିବାନକୁ ହାତ ବାରିସି କରି ପାକିସ୍ତାନ ଏବଂ ତୁର୍କୀ ନିଜ ସ୍ବାର୍ଥ ହାସଲ ପାଇଁ ମଧ୍ୟ ଏସିଆରେ ଅଶାନ୍ତି ସୃଷ୍ଟି କରିବାର ଷଡ଼ଯନ୍ତ୍ର କରୁଛନ୍ତି। ଇସଲାମିକ ମୌଳବାଦୀର ବିସ୍ତାର ଲାଗି ପାକିସ୍ତାନ ଏବଂ ତୁର୍କୀ ବିଭିନ୍ନ କାର୍ଯ୍ୟ କରିବାର ଆଶଙ୍କା ସୃଷ୍ଟି ହୋଇଛି।

ତେବେ ଏହି ଏହାକୁ ରୋକିବା ପାଇଁ ବର୍ତ୍ତମାନ ଭାରତ ଏବଂ ରୁଷିଆ ହାତ ମିଳାଇଛନ୍ତି। ଏନଏସଏ ଅଜିତ ଡୋଭାଲ ଏବଂ ରୁଷିଆର ପ୍ରତିପକ୍ଷ ନିକୋଲାଇ ପାଟ୍ରୁଶେଭଙ୍କ ମଧ୍ୟରେ ହୋଇଥିବା ବୈଠକରେ ମଧ୍ୟ ଏସୀୟ ଦେଶଗୁଡିକର ସୁରକ୍ଷା ଉପରେ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଛି।

ଏହି ପ୍ରସଙ୍ଗରେ ବିଶେଷଜ୍ଞମାନେ କହିଛନ୍ତି ଯେ ତୁର୍କୀ ଏବଂ ପାକିସ୍ଥାନ ଏନଜିଓ ମାଧ୍ୟମରେ ମଧ୍ୟ ଏସିଆର ବିଭିନ୍ନ ଦେଶଗୁଡିକରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଇସଲାମୀକରଣ ପ୍ରୟାସ ପାଇଁ ଏହି ଏନଜିଓଗୁଡ଼ିକ ତୁର୍କୀରୁ ବୈଷୟିକ ସହାୟତା ମଧ୍ୟ ପାଉଛନ୍ତି। ମଧ୍ୟ ଏସୀୟ ଦେଶରେ ଇସଲାମ ଧର୍ମ ତାଲିବାନ ଭଳି କଠୋରବାଦୀ ନୁହେଁ।

ପାକିସ୍ତାନ ଏବଂ ତୁର୍କୀର ଏବେ ମୌଳବାଦୀ ଇସଲାମ ବିସ୍ତାର କରିବାର ମିଶନକୁ ପୂରଣ କରିବା ପାଇଁ ତାଲିବାନ ଶାସିତ ଆଫଗାନିସ୍ତାନ ସହାୟତା ନେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅଲ-କାଏଦାର ସହଯୋଗୀ ଇସଲାମିକ ମୁଭମେଣ୍ଟ ଅଫ ଉଜବେକିସ୍ତାନ (ଆଇଏମୟୁ)ର ଆଫଗାନିସ୍ତାନରେ ଏକ ସକ୍ରିୟ କ୍ୟାଡର ରହିଛି। ଉଜବେକିସ୍ତାନର ଫର୍ଗାନା ଉପତ୍ୟକାରେ ଏହା ଏକ ପ୍ରଭାବଶାଳୀ ସଂଗଠନ ଭାବରେ ପରିଚିତି ମଧ୍ୟ ହାସଲ କରିଛି।

ଡୋଭାଲ-ପାଟ୍ରୁଶେଭ ବୈଠକରେ ଯେଉଁଠାରେ ମଧ୍ୟ ଏସୀୟ ଦେଶଗୁଡିକର ସୁରକ୍ଷା ଉପରେ ଆଲୋଚନା କରାଯାଇଛି। ରୁଷ ପକ୍ଷରୁ ସୂଚନା ଦିଆଯାଇଛି ଯେ ବର୍ତ୍ତମାନ ଏହି ଦେଶଗୁଡିକର ସୁରକ୍ଷା ନିୟନ୍ତ୍ରଣରେ ଅଛି। କିନ୍ତୁ ପାକିସ୍ତାନ ନେତୃତ୍ୱରେ ତାଲିବାନ ଏଠାରେ ନିଜର କାର୍ଯ୍ୟ କଳାପ ବିସ୍ତାର କରିବାକୁ ଚେଷ୍ଟା କଲେ ସ୍ଥିତି ସଙ୍କଟ ଜନକ ହେବ।

ଏପରିସ୍ଥଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏବଂ ରୁଷିଆର ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ ସରକାରଙ୍କ ସହଯୋଗରେ ମଧ୍ୟ ଏସିଆରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇ ପାରିବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ଭାରତ ସହିତ ତାଜିକିସ୍ତାନର ସୁରକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ନିବିଡ଼ ସମ୍ପର୍କ ରହିଛି। ଏହା ଦ୍ୱାରା ମଧ୍ୟ ଏସିଆରେ ଭାରତ ରୁଷିଆର ମିଳିତ ପ୍ରୟାସରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବା ସାମ୍ପ୍ରତିକ ସ୍ଥିତିରେ ଅପରିହାର୍ଯ୍ୟ ହୋଇ ପଡ଼ିଛି ବୋଲି ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେଉଛି।

Share