Categories: ଜାତୀୟ

ଭାରତ-ଆମେରିକା ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ,୨୧।୭: ପୂର୍ବ ଲଦାଖରେ ଚାଇନାର ବିସ୍ତାରବାଦୀ ଆଭିମୁଖ୍ୟ ଓ ସେଠାରେ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଭାରତ ପ୍ରସ୍ତୁତିକୁ ଜୋର୍‌ଦାର କରିଛି। ଜୁଲାଇ ୨୯ରେ ବାୟୁସେନାରେ ୫ଟି ରାଫାଲ ଜେଟ୍‌ ସାମିଲ କରାଯିବ ବୋଲି ଜଣାପଡ଼ିଛି। ସେନା ଅଧିକାରୀସ୍ତରୀୟ ଆଲୋଚନା ଜାରି ରହିଥିଲେ ହେଁ ଚାଇନାର ଜିଦ୍‌ଖୋର୍‌ ବିସ୍ତାରବାଦୀ ନୀତି ଯୋଗୁ ସେନାକୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି। ସୀମାରେ ବିଭିନ୍ନ ଯୁଦ୍ଧାସ୍ତ୍ର ଓ ସୈନ୍ୟବାହିନୀକୁ ସଜାଗ କରିବା ପରେ ଏବେ ଆମେରିକା ସହ ମିଶି ମିଳିତ ସମରାଭ୍ୟାସ ଆରମ୍ଭ କରିଛି ଭାରତ। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ନିକଟରେ ସୋମବାରଠାରୁ ଦୁଇ ମିତ୍ର ରାଷ୍ଟ୍ର ଯୁଦ୍ଧ ଜାହାଜର ମିଳିତ ନୌସମରାଭ୍ୟାସ କରିଛନ୍ତି। ଆମେରିକା ପକ୍ଷରୁ ପରମାଣୁ ଶକ୍ତି ୟୁଏସ୍‌ଏସ୍‌ ନିମିଜ୍‌କୁ ଏଥିରେ ସାମିଲ କରାଯାଇଛି। ଭାରତ ପକ୍ଷରୁ ଡେଷ୍ଟ୍ରୟର, ଫ୍ରାଇଗେଟ୍ସ ଓ ମାରିଟାଇମ୍‌ ପାଟ୍ରୋଲ ଏୟାରକ୍ରରଫ୍ଟକୁ ସାମିଲ କରାଯାଇଛି। କେବଳ ଆଣ୍ଡାମାନ ନିକୋବର ନୁହେଁ ବରଂ ଇଷ୍ଟର୍ନ ନାଭାଲ କମାଣ୍ଡ ହେଡ୍‌ କ୍ୱାର୍ଟର୍ସ ବିଶାଖାପାଟଣାରେ ମଧ୍ୟ ଏଭଳି ମିଳିତ ସମରାଭ୍ୟାସ ଜାରି ରହିଛି। ନୌସେନା ଓ ବାୟୁସେନା ପକ୍ଷରୁ ଏଠାରେ ଶକ୍ତି ପ୍ରଦର୍ଶନ କରାଯାଉଛି। ଭାରତ ମହାସାଗରୀୟ ଅଞ୍ଚଳରେ ଚାଇନାର ଆଧିପତ୍ୟ ରୋକିବା ମାଲାକା ଷ୍ଟ୍ରେଟରେ ସୁରକ୍ଷା ବଢ଼ାଇବା ଲାଗି ଏଭଳି ରଣନୀତି ପ୍ରସ୍ତୁତ କରାଯାଇଛି।
ଭାରତ ଓ ଜାପାନ ମଧ୍ୟରେ ଜୁନ୍‌ରେ ମାଲାକା ଷ୍ଟ୍ରେଟରେ ମିଳିତ ନୌସମରାଭ୍ୟାସ କରାଯାଇଥିଲା। ଏଥିସହ ୨୦୧୫ରୁ ଭାରତ, ଆମେରିକା ସହ ମାଲାବାରରେ ମିଳିତ ନୌସମରାଭ୍ୟାସରେ ଜାପାନ ସାମିଲ ହୋଇଆସୁଛି। ଏଥିରେ ଅଷ୍ଟ୍ରେଲିଆକୁ ସାମିଲ କରିବା ଲାଗି ଭାରତ ବିଚାର କରୁଛି। ଏହା ସମ୍ଭବ ହୋଇପାରିଲେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ବିସ୍ତାରବାଦୀ ଆଭିମୁଖ୍ୟ ଫସର ଫାଟିଯିବ।

Share