ଇଣ୍ଡୋନେସିଆରେ ଛୋଟପିଲାଙ୍କ ସମସ୍ତ ସିରପ୍‌ ଉପରେ ପ୍ରତିବନ୍ଧକ…

ଜାକର୍ତ୍ତା,୨୦।୧୦ : ଇଣ୍ଡୋନେସିଆ ସରକାର ଦେଶରେ ଉପଲବ୍ଧ ଥିବା ଛୋଟପିଲାଙ୍କ ସମସ୍ତ ସିରପ୍‌ ଏବଂ ସମସ୍ତ ତରଳ ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଗତ କିଛି ମାସ ମଧ୍ୟରେ ୯୯ ଶିଶୁଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ମିଡିଆ ରିପୋର୍ଟରେ କୁହାଯାଇଛି ଯେ ସିରପ୍‌ ନେବା ପରେ ପିଲାମାନଙ୍କର କିଡନୀରେ ଗୁରୁତର କ୍ଷତି ଘଟିଛି। ଏହି କାରଣରୁ ପିଲାମାନଙ୍କ ପାଇଁ ସମସ୍ତ ସିରପ ଏବଂ ତରଳ ଔଷଧ ସପ୍ଲିମେଣ୍ଟ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଇଣ୍ଡୋନେସିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ଏହି ପ୍ରତିବନ୍ଧକ ଘୋଷଣା କରିଛନ୍ତି। ତାଙ୍କ କହିବାନୁସାରେ, ଜାନୁଆରୀରୁ ଦେଶରେ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ସାୟାରିଲ ମନସୁରଙ୍କ ଅନୁଯାୟୀ ୨୦ ଟି ପ୍ରଦେଶରେ ୯୯ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମନସୁର କହିଛନ୍ତି ଯେ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ମନ୍ତ୍ରଣାଳୟ ସମସ୍ତ ଡାକ୍ତରଖାନା ଏବଂ ଡାକ୍ତରଙ୍କୁ ସିରପ କିମ୍ବା ତରଳ ଔଷଧ ନ ଲେଖିବାକୁ ନିର୍ଦ୍ଦେଶ ଦେଇଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଔଷଧ ଦୋକାନଗୁଡ଼ିକୁ ଏହି ସିରପ ବିକ୍ରୟ ନକରି କାଉଣ୍ଟରରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share