ଇଣ୍ଡୋନେସିଆ ଭୂକମ୍ପ: ବହୁ ଘର କ୍ଷତିଗ୍ରସ୍ତ

ଜାକର୍ତ୍ତା,୧୧ା୧: ପୂର୍ବ ଇଣ୍ଡୋନେସିଆ ଅନ୍ତର୍ଗତ ସମୁଦ୍ର ଗର୍ଭରେ ସୋମବାର ବିଳମ୍ବିତ ରାତିରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୬ ଥିଲା। ଭୂକମ୍ପ ଯୋଗୁ ପୂର୍ବ ଇଣ୍ଡୋନେସିଆ ଅନ୍ତର୍ଗତ ଦ୍ୱୀପପୁଞ୍ଜର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପ ଝଟ୍‌କା ପପୁଆ ଓ ପୂର୍ବ ନୁସା ଟେଙ୍ଗଗରା ପ୍ରଦେଶ ସମେତ ଉତ୍ତର ଅଷ୍ଟ୍ରେଲିଆରେ ମଧ୍ୟ ଅନୁଭୂତ ହୋଇଥିଲା। ଇଣ୍ଡୋନେସିଆରେ ତାନିମ୍ବର ଦ୍ୱୀପ ଏବଂ ମାଲୁକୁ ଜିଲାରେ ୨ଟି ସ୍କୁଲ୍‌ ବିଲ୍ଡିଂ ଓ ୧୨୪ଟି ଘର ଭାଙ୍ଗିଥିବାବେଳେ ଜଣେ ଆହତ ହୋଇଥିବା ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା (ଏନ୍‌ଡିଏମ୍‌ଏ) ପକ୍ଷରୁ କୁହାଯାଇଛି। ୩ରୁ ୫ ସେକେଣ୍ଡ ପର୍ଯ୍ୟନ୍ତ କମ୍ପନରେ ବିଲ୍ଡିଂଗୁଡ଼ିକ ଦୋହଲିବାରୁ ସ୍ଥାନୀୟ ଲୋକେ ଭୟରେ ଘର ଛାଡ଼ି ପଳାଇଯାଇଥିଲେ। ଭୂକମ୍ପର କେନ୍ଦ୍ରସ୍ଥଳ ତାନିମ୍ବର ଦ୍ୱୀପ ନିକଟ ବନ୍ଦା ସମୁଦ୍ରରେ ବୋଲି ଏନ୍‌ଡିଏମ୍‌ଏ ମୁଖପାତ୍ର ଅବଦୁଲ ମୁହାରି କହିଛନ୍ତି। ଇଣ୍ଡୋନେସିଆ ପାଣିପାଗ ବିଭାଗ ଓ ଜିଓଫିଜିକାଲ ଏଜେନ୍ସି ପକ୍ଷରୁ ସୁନାମୀ ସତର୍କ ସୂଚନା ଜାରି ହୋଇଥିବାବେଳେ ୩ ଘଣ୍ଟା ପରେ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା।

Share