ଖେଳ ପଡ଼ିଆ ପାଲଟିଲା ମୃତ୍ୟୁର ମଇଦାନ, ୧୭୪ ମୃତ, ୧୮୦ରୁ ଅଧିକ ଆହତ

ଜାକର୍ତ୍ତା,୨ ।୧୦: ଇଣ୍ଡୋନେସିଆରେ ଚାଲିଥିବା ଏକ ଫୁଟବଲ ମ୍ୟାଚ ସମୟରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଶେଷରେ ହିଂସାର ରୂପ ନେଇଥିଲା । ଏହା ଏତେ ତୀବ୍ର ହେଲା ଯେ ଏବେ ପର୍ଯ୍ୟନ୍ତ ଏହି ହିଂସାରେ ପ୍ରାୟ ୧୭୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏହାସହ ଶହ ଶହ ଲୋକ ଆହତ ବି ହୋଇଛନ୍ତି । ଘଟଣା ଆରମ୍ଭରୁ ଏହାକୁ କାବୁ କରିବାକୁ ଯାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାରୁ ଉତ୍ତେଜିତ ଲୋକେ ପୋଲିସ ଉପରେ ବି ଆକ୍ରମଣ କରିଥିଲେ । ଫଳରେ ଅନେକ ଲୋକ ମୃତା ହତ ହୋଇଥିଲେ । ଏବେ ପର୍ଯ୍ୟନ୍ତ ୧୮୦ରୁ ଅଧିକ ଜଣ ଆହତଙ୍କର ଚିକିତ୍ସା ଚାଲିଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ଇଣ୍ଡୋନେସିଆର ଏକ ବଡ ଷ୍ଟାଡିୟମରେ ଅରେମା ଏଫସି ଓ ପରସେବାୟା କ୍ଳବ ମଧ୍ୟରେ ଫୁଟବଲ ମ୍ୟାାଚ ଖେଳା ଯାଉଥିଲା ।

ଷ୍ଟାଡିୟମରେ ଦୁଇ ଦଳର ସମର୍ଥକଙ୍କ ପ୍ରବଳ ଭିଡ ଥିଲା । ହେଲେ ସାମାନ୍ୟ କିଛି କଥାକୁ ନେଇ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା । ଦେଖୁ ଦେଖୁ ଏହା ସମଗ୍ର ଷ୍ଟାଡିମକୁ ବ୍ୟାପିଯିବା ସହ ଲୋକେ ପରସ୍ପର ମଧ୍ୟରେ ଲଢେଇ ଆରମ୍ଭ କରିଦେଇଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ ସେଠାରେ ଥିବା ସୁରକ୍ଷା କର୍ମୀ କୌଣସି ପ୍ରକାର ତାଙ୍କ ଜୀବନ ବଞ୍ଚାଇ ନେଇଥିଲେ । ଘଟଣାକୁ ଦେଖି ଇଣ୍ଡୋନେସିଆର ଆର୍ମଡ ଫୋର୍ସଙ୍କୁ ଘଟଣା ସ୍ଥଳକୁ ଡକାଯାଇଥିଲା । ହେଲେ ସେତେବେଳେକୁ ବହୁତ ବିଳମ୍ବ ହୋଇ ସାରିଥିଲା ।

କୌଣସି ପ୍ରକାରେ ସେନା ଯବାନ ଷ୍ଟାଡିୟମ ଭିତରୁ ଲୋକଙ୍କୁ ବାହାରକୁ ବାହାର କରିଥିଲେ । ହେଲେ ଏହାପରେ ବି ଷ୍ଟାଡିୟମ ବାହାରେ ସମାନ ଘଟଣା ଘଟିଥିଲା । ଫଳରେ ଏହି ହିଂସାରେ ୧୭୪ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି । ଅନେକ ଆହତ ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।

Share