ଜାକର୍ତ୍ତା,୨୩ା୪: ଇଣ୍ଡୋନେସିଆରେ ରବିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଆଜି ସକାଳେ ଇଣ୍ଡୋନେସିଆରେ ଲଗାତର ଦୁଇଟି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ଯଥାକ୍ରମେ ୬.୧ ଏବଂ ୫.୮ ଥିଲା।
ୟୁଏମ୍ଏସ୍ସି କହିଛି, ରବିବାର ସକାଳେ କେପୁଲୁଆନାର ବାଟୁରେ ଦୁଇଥର ଭୂକମ୍ପ ହୋଇଛି। ପ୍ରଥମ କମ୍ପନର ତୀବ୍ରତା ୬.୧ ଥିବା ବେଳେ ଏହାର କିଛି ଘଣ୍ଟା ପରେ ୫.୮ ତୀବ୍ରତାର ଆଉ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ୪୩ କିଲୋମିଟର ଗଭୀରରେ ଥିବା ବେଳେ ଦ୍ୱିତୀୟ ଭୂକମ୍ପ ୪୦ କିଲୋମିଟର ଗଭୀରରେ ଥିଲା। ତେବେ ଏହି ଭୂକମ୍ପରେ କୌଣସି ଧନଜୀବନ ନଷ୍ଟ ହୋଇଥିବାର ଖବର ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।